ପିଲାଟି ବେଳୁ ଜାଣିଛେ ଦାମୀ , ମୂଲ୍ୟବାନ ଜିନିଷ ହଜିଗଲେ ଖାକିବାବୁଙ୍କୁ ଫୋନ୍ କଲେ କିଛି ସମୟ ଭିତରେ ହେଉ କି କିଛି ଦିନ ଭିତରେ ଉକ୍ତ ହଜିଥିବା ଜିନିଷଟି ଖାକିବାବୁ ଖୋଜିଆଣିଦେବେ । ହେଲେ ବର୍ତ୍ତମାନ ସମୟ ବଦଳିବା ସଙ୍ଗେ ସଙ୍ଗେ ଅପରାଧର ସୀମା ବଢିଲାଣି ଏବଂ ଖାକିବାବୁଙ୍କ ଉପରେ କାମର ଭାର ମଧ୍ୟ ବଢିଲାଣି । କିନ୍ତୁ କୁଖ୍ୟାତ ଅପରାଧୀଙ୍କୁ ଧରିବା ପାଇଁ ଦିନରାତି ଏକ କରୁଥିବା ପୁଲିସ୍ ବାବୁଙ୍କୁ ମଧ୍ୟ ଡ୍ୟୁଟି ସମୟରେ ବେଳେବେଳେ ଏମିତି ଅଜବ ଫୋନ୍ କଲ୍ ଆସେ ଯେ ଖାକିବାବୁ ମାମଲା ଶୁଣି କ’ଣ କରିବେ ଦୁଇଥର ଭାବନ୍ତି । ଏମିତି ହିଁ ଏକ ଖବର ଏବେ ଉତ୍ତରପ୍ରଦେଶର ହରଦୋଇ ଜିଲ୍ଲାରୁ ସାମ୍ନାକୁ ଆସିଛି ।
ଘଟଣାଟି କିଛି ଏମିତି ଦୀପାବଳି ପୂର୍ବରୁ ୟୁପି ପୁଲିସ୍ ପାଖକୁ ଏକ ଏମରଜେନ୍ସି କଲ୍ ଆସିଲା । ୧୧୨ ନମ୍ବରରେ ଡାଏଲ୍ କରି ବିଜୟ ବର୍ମା ନାମକ ଜଣେ ବ୍ୟକ୍ତି ତାଙ୍କର ଆଳୁ ଚୋରି ହୋଇଥିବା ଅଭିଯୋଗ ଆଣିଲେ । ଖବର ଶୁଣି ପୁଲିସ୍ ତୁରନ୍ତ ଉକ୍ତ ସ୍ଥାନକୁ ଗଲେ । ହେଲେ ପହଂଚିବା ପରେ ଯେଉଁ କଥାଟି ଶୁଣିଲେ ସେଥିରେ ଖାକିବାବୁଙ୍କ ଉଡ଼ିଗଲା ହୋସ୍ । ବ୍ୟକ୍ତିଜଣକ ରୋଷେଇ ପାଇଁ ଅଢେଇଶ ଆଳୁ କାଟି କିଛି ସମୟ ପାଇଁ ଛାଡ଼ି କୁଆଡେ ଚାଲିଯାଇଥିଲେ । ଆଉ ଆସିବା ପରେ ସେହି ଜାଗାରେ ଆଳୁ ନଥିବା ଦେଖି ତୁରନ୍ତ ପୁଲିସ୍ କୁ ଫୋନ୍ କଲ୍ କଲେ । ଚୋରି ହୋଇଥିବା ଅଢେଇଶ ଆଳୁକୁ ଖୋଜିବା ପାଇଁ ବ୍ୟକ୍ତିଜଣଙ୍କ ପୁଲିସକୁ କହିଲେ ।
ଆଳୁ ଚୋରି ମାମଲା ଶୁଣିବାକୁ ଯାଇଥିବା ପୁଲିସ୍ ବାବୁ ପ୍ରଥମେ ଠୋ ଠା କରି ହସିଲେ । ପରେ ଏହାର ଏକ ଭିଡିଓ କରି ସୋସିଆଲ୍ ମିଡିଆରେ ପୋଷ୍ଟ କଲେ । ଏହି ୫ ସେକେଣ୍ଡର ଭିଡିଓରେ ପୁଲିସ୍ ଉକ୍ତ ବ୍ୟକ୍ତିଙ୍କୁ ପଚାରୁଛନ୍ତି ,
କ’ଣ ତମେ ମଦ ପିଇଛ? ବ୍ୟକ୍ତିଜଣକ କହୁଛନ୍ତି , ହଁ ଦିନସାରା ପରିଶ୍ରମ କରୁଛି , ସଂନ୍ଧ୍ୟା ହେଲେ ଟିକେ ପିଇଦେଉଛି । ଆଜି ବି ପିଇଛି , ହେଲେ ମୁଁ ତରକାରୀ କରିବି ମୋ ଅଢେଇଶ ଆଳୁ ଖୋଜିଆଣନ୍ତୁ । ବ୍ୟକ୍ତିଙ୍କର ଏହି ଭିଡିଓଟି ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଏଥିପାଇଁ କିଛି ୟୁଜର୍ସ ପୁଲିସଙ୍କ ଧର୍ଯ୍ୟକୁ ପ୍ରଶଂସା କରୁଥିବା ବେଳେ ଆଉ କିଛି ୟୁଜର୍ସ ପୁଲିସର ଜରୁରୀକାଳୀନ ସେବାର ଦୂରୁପଯୋଗକୁ ନେଇ ଆଲୋଚନା କରିଛନ୍ତି ।