କନକ ବ୍ୟୁରୋ : ଠେଙ୍ଗାବାହିନୀ ପରେ ପୁଣି ଚର୍ଚ୍ଚାରେ ବାବୁ ସିଂଙ୍କ ମାଡ଼ ତତ୍ତ୍ବ । ରାସ୍ତାରେ ଦେଖିଲେ ମଦୁଆଙ୍କୁ ମାଡ଼ ହେବ ବୋଲି ଖୋଲା ଖୋଲି ଚ୍ୟାଲେଞ୍ଜ ଦେଇଛନ୍ତି ଏକାମ୍ର ବିଧାୟକ । ସେପଟେ ନିଶାମୁକ୍ତ ଓଡ଼ିଶା ପାଇଁ କଠୋର ଅବକାରୀ ଆଇନ୍ ଆଣୁଛନ୍ତି ରାଜ୍ୟ ସରକାର ।
ବେଇଆଇନ ନିଶାମୁକ୍ତ ଅଭିଯାନ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଅବକାରୀ ବିଭାଗ ପକ୍ଷରୁ ନିଶା ନୁହେଁ ଜୀବନ ସଂକଳ୍ପ କାର୍ଯ୍ୟକ୍ରମ ଚାଲିଥିଲା ଲୋକସେବା ସମ୍ମିଳନୀ କକ୍ଷରେ । ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମନ୍ତ୍ରୀ ସଚିବ ଓ ତମାମ ଅଧିକାରୀ ଉପସ୍ଥିତ ଥିଲେ । ହଠାତ୍ ଭାଷଣ ଦେଉ ଦେଉ ବାବୁ ସିଂ କହିଲେ ମଦୁଆଙ୍କୁ ରାସ୍ତାରେ ଦେଖିଲେ ମାଡ଼ ମରାଯିବ । ଆଉ ଭୁବନେଶ୍ବରରୁ ଆରମ୍ଭ ହେବ ମଦ ବନ୍ଦ ଅଭିଯାନ । ପୁଲିସ ବାହିନୀ କଡ଼ା ପଦକ୍ଷେପ ସହ ସଂକଳ୍ପ ନିଅନ୍ତୁ । ପ୍ରତି ବର୍ଷ ୧୦ ଲୋକଙ୍କ ନିଶା ଛଡ଼ାଇବାକୁ ସଂକଳ୍ପ ନେବି ।
ଉପକୂଳରୁ ଉପାନ୍ତ, ମୟୁରଭଞ୍ଜରୁ ମାଲକାନଗିରି ଚାରିଆଡ଼େ ଚରିଗଲାଣି ନିଶା କାରବାର । ପୁଲିସ ଆଖିରେ ଅଙ୍ଗୁଳି ଗେଞ୍ଜି ମାଫିଆ କରୁଛନ୍ତି ବେଧଡ଼କ ନିଶା କରାବାର । କେତେବେଳେ ଅପମିଶ୍ରିତ ମଦ ପିଇ ଲୋକଙ୍କ ଜୀବନ ଯାଉଛି, ଆଉ କେତେବେଳେ ଡ୍ରଗ୍ସ , ଗଂଜେଇ ଯୁବପିଢିଙ୍କ ଭବିଷ୍ୟତକୁ ନଷ୍ଟ କରୁଛି । ତେଣୁ ବେଆଇନ ନିଶା କାରାବାର ଉପରେ ଅଙ୍କୁଶ ଲଗେଇବାକୁ କଠୋର ଆଇନ ଆଣୁଛି ଅବକାରୀ ବିଭାଗ । ସୂଚନା ଅନୁସାରେ, ମାସେ ଭିତରେ ଆସୁଛି ୩ ବର୍ଷିଆ ଅବକାରୀ ନୀତି । ଖାଲି ସେତିକି ନୁହେଁ ନିଶାଡ଼ି ଓ ମାଫିଆଙ୍କୁ ସାବାଡ଼ କରିବାକୁ ଦଣ୍ଡ ବ୍ୟବସ୍ଥା ଅଧିକ ହେବ । ଏହାସହିତ ସେସନ କୋର୍ଟରେ ନିଯୁକ୍ତ ହେବ ସ୍ବତନ୍ତ୍ର ଅବକାରୀ ଓକିଲ । ଅବକାରୀ ମନ୍ତ୍ରୀ କହିଛନ୍ତି, ମଦର ପ୍ରସାର ବନ୍ଦ ହେବାର ଆବଶ୍ୟକତା ରହିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସଚେତନତା ଆଳରେ କହିଛନ୍ତି, ଏକ ପ୍ୟାକେଟ୍ ସିଗାରେଟ୍ ୨୮ ମିନିଟର ଆୟୁ କମାଏ । ଆଗ ନିଶା କାରବାର ଉପରେ ରୋକ୍ ଲାଗିବ ।
ନିଶା କାରବାରକୁ ରୋକିବାକୁ ଅବକାରୀ ବିଭାଗ ପକ୍ଷରୁ ଆଜିଠାରୁ ଜୁନ୍ ୨୬ ତାରିଖ ଯାଏ ସଚେତନତା କାର୍ଯ୍ୟକ୍ରମ ଚାଲିବ । ମନ୍ଦିରଠାରୁ ଆରମ୍ଭ କରି ସ୍କୁଲ ନିକଟରୁ ମଦ କାରବାର ସଂପୂର୍ଣ୍ଣ ବନ୍ଦ କରିବାକୁ ଆହ୍ବାନ ଦେଇଛନ୍ତି ସରକାର । ହେଲେ ପ୍ରଶ୍ନ ଉଠୁଛି, ନିଶାମୁକ୍ତ ହୋଇପାରିବ କି ଓଡ଼ିଶା ?