କନକ ବ୍ୟୁରୋ: ମଦ ଦୋକାନ ବଢୁଛି। ମଦ କାରବାର ବି ବଢୁଛି। ସହର ଛାଡ଼, ଗାଁରେ ମିଳିଲାଣି । ବ୍ରାଉନ୍ସୁଗାର। ବେଆଇନ୍ ନିଶା କାରବାର ରାଜ୍ୟରେ କାୟା ମେଲାଉଛି। ଫଳରେ ସରକାରଙ୍କ ସାମ୍ନାରେ ନିଶାକୁ ରୋକିବା ଏବେ ଏକ ବଡ଼ ଆହ୍ବାନ ହୋଇଛି।
୨୦୧୩ ଯୁବନୀତିରେ ସ୍ପଷ୍ଟ ଲେଖା ଅଛି, ନିଶାମୁକ୍ତ ହେବେ ଯୁବପିଢ଼ି। ହେଲେ ନା ସେ ସରକାର ଏହାକୁ କାର୍ଯ୍ୟକାରୀ କଲେ, ନା ଏବେର ସରକାର। ବରଂ, ରାଜ୍ୟରେ ବଢ଼ି ଚାଲିଛି ନିଶା ଦ୍ରବ୍ୟ କାରବାର। ରାଜ୍ୟରେ ଏବେ ଲାଇସେନ୍ସପ୍ରାପ୍ତ ଦେଶୀ ଓ ବିଦେଶୀ ମିଶି ୩୮୫୯ଟି ମଦ ଦୋକାନ ରହିଛି। ବିଧାନସଭାରେ ମନ୍ତ୍ରୀ କହିଛନ୍ତି, ଗଲା ୨୦୨୧-୨୨ରେ ୫୫୨୮ କୋଟି, ୨୦୨୨-୨୩ରେ ୬୪୫୫ କୋଟି ଓ ୨୦୨୩-୨୪ରେ ୭୨୧୬ କୋଟି ଟଙ୍କା ରାଜସ୍ବ ଆଦାୟ ହୋଇଛି ମଦରୁ। ୨୦୨୪ରୁ ଏଯାବତ୍ ୭୭୫୬ କୋଟି ରାଜସ୍ବ ମିଳିଛି।
ଖାଲି ମଦ କାହିଁକି ଗାଁ ଗଣ୍ଡାରେ ଚରିଗଲାଣି ଗଂଜେଇ ଠାରୁ ବ୍ରାଉନ୍ସୁଗାର। ନିଶା କବଳରେ ଯୁବପିଢ଼ି। ଅକାଳରେ ଅନେକଙ୍କ ଜୀବନ ଯାଉଛି। ଫଳରେ ସେ ପରିବାରର ଭବିଷ୍ୟତ ପିଢ଼ି ଆପେ ଗରିବ ହୋଇ ଯାଉଛି। ଏହା ସରକାରଙ୍କୁ ଅନ୍ୟ ଦିଗରେ ପ୍ରଭାବିତ ମଧ୍ୟ କରୁଛି। ଗଲା ୩ ବର୍ଷରେ ୧୩୫୯ ଜଣ ଆନ୍ତରାଜ୍ୟ ନିଶା ବେପାରୀ ଗିରଫ ହୋଇଛନ୍ତି। ଯାହା ଦର୍ଶାଉଛି ରାଜ୍ୟରେ କେମିତି ବେଆଇନ୍ ନିଶା କାରବାରର ଚେର ମାଡ଼ିଛି।
ସରକାର ପରେ ବଦଳୁଛି ସରକାର। ହେଲେ ରାଜସ୍ବ ଲୋଭରେ ମଦ ବନ୍ଦ କଥା ଭୁଲି ଯାଉଛନ୍ତି କି କ୍ଷମତାରେ ଥିବା ରାଜନୈତିକ ଦଳ? ଏ ପ୍ରଶ୍ନ ଆଜି ବି ଗାଁରୁ ସହର ସମସ୍ତଙ୍କୁ ସନ୍ତୁଳୁଛି।