କନକବ୍ୟୁରୋ : ମୂଳପୋଛ ହେବେ ନିଶା ମାଫିଆ । କମିଶନରେଟ ପୋଲିସର ଏବେ ଜିରୋ ଟଲରାନ୍ସ ନୀତି । ରାଜଧାନୀରେ ବଢୁଥିବା ଅପରାଧ ରୋକିବା ଏବଂ ଅପରାଧୀଙ୍କୁ ଧରିବାକୁ ଅଣ୍ଟା ଭିଡ଼ିଛି ପୋଲିସ । ଦୀର୍ଘ ଦିନ ଧରି ରାଜଧାନୀରେ ଚାଲିଥିବା ନିଶା କାରବାର ଉପରେ ଚଢ଼ାଉ କରିଛି ସ୍ବତନ୍ତ୍ର କ୍ରାଇମ୍ ୟୁନିଟ ଏବଂ ଇନଫୋସିଟି ଥାନା ପୋଲିସ ।
ମୁଖ୍ୟତଃ ବିଭିନ୍ନ ପାନ ଦୋକାନରେ ଚଢ଼ାଉ କରାଯାଇଛି । ଇନଫୋସିଟି ଅଞ୍ଚଳରେ ଅନେକ ଶିକ୍ଷାନୁଷ୍ଠାନ ରହିଛି । ଏହି ସବୁ ଶିକ୍ଷାନୁଷ୍ଠାନ ନିକଟରେ ଥିବା ଦୋକାନ ମାନଙ୍କରେ ଗଞ୍ଜେଇ ସିଗାରେଟ ଓ ବିଭିନ୍ନ ମାଦକ ଦ୍ରବ ବିକ୍ରି ନେଇ ଅନେକ ଥର ଅଭିଯୋଗ ହୋଇ ଆସୁଛି । ଯାହାକୁ ନେଇ ଏବେ ଚଢ଼ାଉ କରିଛି ପୋଲିସ । ସେପଟେ ଡ୍ରଗ୍ସ କାରବାର ବେଳେ ୨ ଜଣଙ୍କୁ ମାଡ଼ି ବସିଲା ସ୍ବତନ୍ତ୍ର କ୍ରାଇମ୍ ୟୁନିଟ ।
ଭୁବନେଶ୍ବରକୁ ଚାଲାଣ ବେଳେ ୫୦ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗର ଜବତ କରିଛି ପୋଲିସ । ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ୨ ଜଣ ବାଲେଶ୍ବର ଅଞ୍ଚଳର ହୋଇଥିବା ବେଳେ ଭୁବନେଶ୍ବରକୁ ବ୍ରାଉନସୁଗାର ଚାଲାଣ କରୁଥିଲେ । ତେବେ ଏମାନଙ୍କୁ ଧରିବା ପାଇଁ ପୂର୍ବରୁ ଜାଲ ବିଛାଇଥିଲା ସ୍ବତନ୍ତ୍ର କ୍ରାଇମ୍ ୟୁନିଟ । ଏହାଛଡ଼ା କଟକ ଏବଂ ଭୁବନେଶ୍ବରକୁ ଆସୁଥିବା ସମସ୍ତ ବ୍ୟକ୍ତିଙ୍କ ଉପରେ ନଜର ରଖାଯାଉଛି ।