କନକ ବ୍ୟୁରୋ : ଚିଲିକା କୂଳରେ ମରୁଡ଼ି ଚିନ୍ତା । ଶ୍ରାବଣରେ ଶୁଖିଲା ପଡ଼ିଛି ଚିଲିକାର ଟାପୁ ଅଞ୍ଚଳ । ଜମି ଶୁଖି ଫାଟି ଆଁ କରିବାକୁ ବସିଲାଣି । ଏଭଳି ପରିସ୍ଥିତିକୁ ଦେଖି ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । ରାଜ୍ୟର କେଉଁଠି ବର୍ଷୁଛି, ପୁଣି କେଉଁଠି ଗଜା ମରୁଡ଼ି ସ୍ଥିତି । ଚାରିପଟେ ଚିଲିକାର ପାଣି ଥାଇ ବି ମରୁଡ଼ି ଭଳି ପରିସ୍ଥିତିକୁ ସାମନା କରିବାକୁ ଯାଉଛନ୍ତି ଚାଷୀ । ଜମି ଶୁଖି ଆଁ କଲାଣି । ଧାନ ଗଛ ପୋଡ଼ିଗଲାଣି । ଯାହାକୁ ଦେଖି ଚିନ୍ତାରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅଞ୍ଚଳର ଚାଷୀ। ପ୍ରାୟ ୬ହଜାର ୫୦୦ ହେକ୍ଟର ଚାଷ ଜମି ଏବେ ପଡ଼ିଆ ପଡ଼ିଛି। ବଡ଼ଅଁଳ ଗାଁର ଚାଷୀ ବିଲରେ ଧାନ ବୁଣି ବର୍ଷାକୁ ଚାହିଁଛି। ବିଲରେ ଧାନ ତଳି ବଡ଼ ହୋଇଗଲାଣି। କିନ୍ତୁ ବର୍ଷା ନହେବାରୁ ତଳି ବି ପୋଡ଼ି ଯାଉଛି। ଏଇ ଦିନେ ଦୁଇ ଦିନ ଭିତରେ ଯଦି ବର୍ଷା ହୁଏ, ପ୍ରାୟ ୮ ହଜାର ଚାଷୀ କ୍ଷତିଗ୍ରସ୍ତ ହେବା ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ ।
ଚାଷ କାମରେ ଟୋପାଏ ବର୍ଷା ପାଣି ପାଇଁ ଚାତକ ଭଳି ଚାହିଁ ରହିଛି ଚାଷୀ । ଚାଷ ପାଇଁ ଋଣ କରିଥିବା ଚାଷୀ ଏବେ କିପରି ସେ ଟଙ୍କା ସୁଝିବେ ସେ ନେଇ ଚିନ୍ତାରେ ଅଛନ୍ତି । ପ୍ରାୟ ମାସେରୁ ଅଧିକ ସମୟ ଧରି ବର୍ଷା ଟାପୁ ଅଞ୍ଚଳର ବାଟ ଭୁଲି ଯାଇଛି । ହେକ୍ଟର ହେକ୍ଟର ଜମି ପଡ଼ିଆ ପଡ଼ି ଏଠାରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ଚାଷୀ ଚାଷ ଜମିରେ ଗୋରୁ ଛାଡ଼ିବାକୁ ବାଧ୍ୟ ହେଉଛି । ଧାନ ଗଜାରୁ ନେଇ ତଳି ସବୁ ପୋଡ଼ି ଯାଉଥିବା ବେଳ ଏଥିପ୍ରତି ଗୁରୁତ୍ବ ଦିଆଯାଇ କିଛି ସହଯୋଗ କରାଯାଇପାରିଲେ ଚାଷୀମାନେ ଉପକୃତ ହୋଇପାରିବେ ।