କନକ ବ୍ୟୁରୋ : ଅନେକ ସ୍ବପ୍ନ ପୂରଣ ଆଶାରେ ଧାର କରଜ କରି ଧାନ ଚାଷ କରିଛନ୍ତି ଚାଷୀ । ଭାବିଥିଲା ଧାନ ଅମଳ ହେଲେ ହାତକୁ କିଛି ପଇସା ଆସିବ । ବର୍ଷା ଅଭାବରୁ ଜମି ଫାଟି ଆଁ କରିଛି । କେତେକ ସ୍ଥାନରେ ଧାନ ଗଛ ନଡ଼ା ପାଲଟିଗଲାଣି । ଉଜୁଡ଼ା ଚାଷକୁ ଦେଖି ଚାଷୀଙ୍କ ଆଶା ମଉଳି ଯାଇଛି । ଚାଷ ପାଇଁ ଆଣିଥିବା ଋଣ କେମିତି ଶୁଝାହେବ, ତାକୁ ନେଇ ଭାଳେଣୀ ପଡ଼ିଛି । 

Advertisment

ରାୟଗଡ଼ା ଏକ କୃଷି ପ୍ରାଧାନ୍ୟ ଜିଲ୍ଲା । ଚଳିତ ଖରିଫ ଋତୁରେ ଗୁଣୁପୁର, ପଦ୍ମପୁର, ରାମାନାଗୁଡା ଓ ଗୁଡ଼ାରୀ ବ୍ଲକରେ ପ୍ରାୟ ୬୨ ହଜାର ହେକ୍ଟର ଜମିରେ ଚାଷ ହୋଇଛି । ୧୫ ହଜାର ହେକ୍ଟର ଜମିରେ ଧାନ ଚାଷ କରାଯାଇଛି । ସ୍ବଳ୍ପ ବୃଷ୍ଟିପାତ ଚାଷୀ ଚିନ୍ତାରେ ପଡ଼ିଛନ୍ତି । ବିଗତ ବର୍ଷ ଅପେକ୍ଷା ଏବର୍ଷ ୧୦୩୪ ମିଲିମିଟର କମ ବୃଷ୍ଟିପାତ ରେକର୍ଡ଼ ହୋଇଛି । ଫଳରେ ଗୁଣୁପୁର ଓ ରାମାନାଗୁଡା ବ୍ଲକରେ ଧାନ ଜମି ଫାଟି ଆଁ କରିଛି । ଗଛ ସବୁ ଶୁଖି ଗଲାଣି। ଚାଷୀ ମଟର ଲଗାଇ ଚାଷକୁ ବଞ୍ଚାଇବାକୁ ପ୍ରୟାସ କରୁଛନ୍ତି । ବର୍ଷା ଅଭାବରୁ ଧାନ ଜମି ପଡ଼ିଆ ପାଲଟିଲାଣି । 

ଚାଷ ସମସ୍ୟା ଓ ଚାଷୀଙ୍କ ଦୁଃଖ ବାବଦରେ ଅବଗତ ରହିଛନ୍ତି ଗୁଣୁପୁର କୃଷି ଜିଲ୍ଲା ଅଧିକାରୀ । କହିଛନ୍ତି, ବିଭାଗୀୟ ଅଧିକାରୀମାନେ ସମ୍ପୃକ୍ତ ଅଞ୍ଚଳ ଗସ୍ତ କରି କ୍ଷୟକ୍ଷତି ରିପୋର୍ଟ ପ୍ରସ୍ତୁତ କରିବେ । ସେହି ରିପୋର୍ଟ ସରକାରଙ୍କୁ ପ୍ରଦାନ କରି କ୍ଷତିପୂରଣ ଦେବାର ବନ୍ଦୋବସ୍ତ କରାଯିବ ।

କେତେବେଳେ ପ୍ରାକୃତିକ ବିପର୍ଯ୍ୟୟ ତ ଆଉ କେତେବେଳେ ରୋଗ ପୋକ । ଚାଷୀଙ୍କ ଆର୍ଥିକ ସ୍ଥିତିକୁ ଦୋହଲାଇ ସାରିଲେଣି । ସେଥିପାଇଁ କୃଷି ବିଭାଗ ଚାଷୀଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରବା ଜରୁରୀ ହୋଇପଡ଼ିଛି ।