କନକ ବ୍ୟୁରୋ : ସାଉଦି ଆରବର ରାଜଧାନୀ ରିୟାଦରେ ଥିବା ଆମେରିକୀୟ ଦୂତାବାସ ଉପରେ ଏକ ଭୟଙ୍କର ଡ୍ରୋନ୍ ଆକ୍ରମଣ ହୋଇଛି । ଆଜି ସକାଳେ ଦୁଇଟି ଇରାନୀୟ ଡ୍ରୋନ୍ ଦୂତାବାସ ପରିସରରେ ମାଡ଼ ହେବା ଫଳରେ ସେଠାରେ ନିଆଁ ଲାଗିଯାଇଥିଲା ଏବଂ କୋଠାର ସାମାନ୍ୟ କ୍ଷତି ଘଟିଛି । ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ହାଇ-ଆଲର୍ଟ ଜାରି କରାଯାଇଛି । ସାଉଦି ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ଦୁଇଟି ଡ୍ରୋନ୍ ଦୂତାବାସର ଛାତ ଏବଂ ପରିସରରେ ମାଡ଼ ହୋଇଥିଲା । ଏହାଫଳରେ ବିସ୍ଫୋରଣର ଶବ୍ଦ ଶୁଣାଯିବା ସହ ଆକାଶରେ କଳା ଧୂଆଁ ଦେଖାଦେଇଥିଲା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଆକ୍ରମଣର କଡ଼ା ଜବାବ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ।

Advertisment

 ସେ କହିଛନ୍ତି, 'ଖୁବଶୀଘ୍ର ଆପଣମାନେ ଆମର ପ୍ରତିଶୋଧ ବିଷୟରେ ଜାଣିବାକୁ ପାଇବେ'। ତେବେ ଏଥିପାଇଁ ବୋଧହୁଏ ସୈନ୍ୟ ପଠାଇବା ବା 'ବୁଟ୍ସ ଅନ୍ ଦ ଗ୍ରାଉଣ୍ଡ'ର ଆବଶ୍ୟକତା ପଡ଼ିନପାରେ ବୋଲି ସେ ସୂଚନା ଦେଇଛନ୍ତି । କେବଳ ରିୟାଦ ନୁହେଁ, ଆବୁଧାବି, ଦୁବାଇ ଏବଂ ଦୋହା ଭଳି ସହରକୁ ମଧ୍ୟ ଇରାନ ଟାର୍ଗେଟ୍ କରିଥିବା ଖବର ମିଳିଛି । ୟୁଏଇ ଏହି ଆକ୍ରମଣକୁ ଭୟଙ୍କର ଉତ୍ତେଜନା ବୋଲି କହିବା ସହ ତେହେରାନରେ ଥିବା ନିଜର ଦୂତାବାସକୁ ବନ୍ଦ କରିଦେଇଛି । ଦୂତାବାସ ଆକ୍ରମଣରେ କେହି ମୃତାହତ ହୋଇଥିବା ଖବର ମିଳିନାହିଁ, କିନ୍ତୁ ଏହି ସଂଘର୍ଷରେ ଏପର୍ଯ୍ୟନ୍ତ ୬ ଜଣ ଆମେରିକୀୟ ସୈନିକ ନିହତ ହୋଇସାରିଛନ୍ତି । ଆମେରିକା ନିଜର ନାଗରିକମାନଙ୍କୁ ତୁରନ୍ତ ସାଉଦି ଆରବ, ୟୁଏଇ ଏବଂ କୁଏତ ସମେତ ୧୩ଟି ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛି । ଇରାନର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ପରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଅତି ଗମ୍ଭୀର ହୋଇପଡ଼ିଛି ।

ଅଧିକ ପଢନ୍ତୁ : ଖାମେନେଇଙ୍କୁ ହତ୍ୟା କରିବା ପରେ ମଧ୍ୟ ଟ୍ରମ୍ପଙ୍କ ଉଦ୍ଦେଶ୍ୟ ଅଧୁରା

ତୀବ୍ର ହେଉଛି ମଧ୍ୟପ୍ରାଚ୍ୟ ଯୁଦ୍ଧ 
ସାଉଦି ଆରବ ଆମେରିକା ଦୂତାବାସ ଉପରେ ଆକ୍ରମଣ 
ରିୟାଦ ସ୍ଥିତ ୟୁଏଏସ୍ ଦୂତାବାସ ଉପରେ ଡ୍ରୋନ୍ ମାଡ଼
ଦୁଇଟି ଡ୍ରୋନ୍ ଦୂତାବାସର ଛାତ ଏବଂ ପରିସରରେ ମାଡ଼
ଡ୍ରୋନ୍ ମାଡ଼ ପରେ ଭୟଙ୍କର ବିସ୍ଫୋରଣ
ଆବୁଧାବି, ଦୁବାଇ ଏବଂ ଦୋହା ଉପରେ ବି ଇରାନ ପକ୍ଷରୁ ଆକ୍ରମଣ
ଦୂତାବାସ ଆକ୍ରମଣରେ କେହି ମୃତାହତ ହୋଇନଥିବା ସୂଚନା