କନକ ବ୍ୟୁରୋ: ପାକିସ୍ତାନ ସେନାକୁ କଡ଼ା ଜବାବ ଦେଉଛି ଭାରତ । ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି । ଏହି କ୍ରମରେ ପାକିସ୍ତାନ ସ୍ଥିତ ରାୱଲପିଣ୍ଡି ଷ୍ଟାଡିୟମ ଉପରେ ଡ୍ରୋନ୍‌ ଆକ୍ରମଣର ଖବର ଆସିଛି ।  ଡ୍ରୋନ୍‌ ଆକ୍ରମଣରେ ଷ୍ଟାଡିୟମର ବଡ଼ ଧରଣର କ୍ଷତି ଘଟିଛି । ଆଇପିଏଲ୍‌ ଭଳି ପାକିସ୍ତାନରେ ବର୍ତ୍ତମାନ୍ ପିଏସ୍‌ଏଲ୍‌ ଜାରି ରହିଛି । ଆଜି ଏହି ଟୁର୍ଣ୍ଣାମେଣ୍ଟ୍‌ର ଏକ ମ୍ୟାଚ୍‌ ରାୱଲପିଣ୍ଡି ଷ୍ଟାଡିୟମରେ ଖେଳାଯିବାକୁ ଥିଲା । ହେଲେ ଏହି ମ୍ୟାଚ୍‌ ଏବେ ଖେଳାଯିବ କି ନାହିଁ ତାହାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି । ସେପଟେ ଏହାକୁ ନେଇ ପାକିସ୍ତାନ କ୍ରିକେଟ୍‌ ବୋର୍ଡ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ । 

Advertisment

ଆଜିର ମ୍ୟାଚ୍‌ କରାଚୀ କିଙ୍ଗ୍‌ସ୍‌ ଓ ପେଶାୱର୍‌ ଜାଲ୍‌ମି ମଧ୍ୟରେ ଖେଳାଯିବାକୁ ଥିଲା । ପାକିସ୍ତାନ୍‌ ସୁପର ଲିଗ୍‌ର ଏହି ୨୭ତମ ମ୍ୟାଚ୍‌ ଖେଳାଯିବ କି ନାହିଁ, ତାହାକୁ ନେଇ ଖୁବଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ପାକିସ୍ତାନ କ୍ରିକେଟ୍‌ ବୋର୍ଡ । କାରଣ ପାକିସ୍ତାନ ସୁପର୍‌ ଲିଗ୍‌ରେ ଏଥର ଅନେକ ଜଣାଶୁଣା ବିଦେଶୀ କ୍ରିକେଟର ସାମିଲ ରହିଛନ୍ତି । 


କରାଚୀ କିଙ୍ଗ୍‌ସ୍‌ ଟିମ୍‌ର ଅଧିନାୟକ ରହିଛନ୍ତି ଡେଭିଡ ୱାର୍ଣ୍ଣର  । ୱାର୍ଣ୍ଣରଙ୍କ ବ୍ୟତୀତ ମହମ୍ମଦ ନବୀ, ଜେମ୍ସ ୱିନ୍ସ, ଟିମ୍ ସିଫର୍ଟଙ୍କ ଭଳି ବିଦେଶୀ ଖେଳାଳି ସାମିଲ ରହିଛନ୍ତି । ପେଶାୱର ଜାଲ୍‌ମି ଟିମ୍‌ରେ ଟମ୍‌ କୋହଲର କ୍ୟାଡ୍‌ମୋର୍‌, ଲ୍ୟୁକ୍‌ ବୁଡ୍‌, ଅଲ୍‌ଜାରୀ ଜୋସେଫ୍‌, ମ୍ୟାକ୍ସ ବ୍ରାୟଣ୍ଟ୍‌ ଭଳି ଖେଳାଳି ସାମିଲ ରହିଛନ୍ତି । ଲିଗ୍‌ରେ ସାମିଲ ଥିବା ଇଂଲଣ୍ଡ ଖେଳାଳି ପାକିସ୍ତାନର ସ୍ଥିତି ଦେଖି ଭୟଭୀତ ଅଛନ୍ତି । ଇଂଲଣ୍ଡ କ୍ରିକେଟ ବୋର୍ଡକୁ ଖେଳାଳିମାନେ ସେମାନଙ୍କୁ ଫେରାଇନେବାକୁ ଅପିଲ୍‌ କରିଛନ୍ତି । କ୍ରିସ୍‌ ଜୋର୍ଡାନ୍‌, ଡେଭିଡ୍‌ ୱିଲି ଟୁର୍ଣ୍ଣାମେଣ୍ଟ୍‌ ଛାଡ଼ିବାକୁ ଚାହୁଥିବା ନେଇ ନିଜନିଜ ଫ୍ରାଞ୍ଚାଇଜ୍‌କୁ ଜଣାଇଛନ୍ତି । ୟୁକେ ସରକାର ମଧ୍ୟ ସ୍ଥିତି ଉପରେ ସମ୍ପୂର୍ଣ୍ଣ ନଜର ରଖିଛି ।