କନକ ବ୍ୟୁରୋ: ଲୋକଙ୍କ ହିତ ପାଇଁ ସରକାର ବହୁ ଯୋଜନା କାର୍ଯକାରୀ କରୁଛନ୍ତି । କିନ୍ତୁ ତୃଣମୁଳ ସ୍ତରରେ ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ଯୋଜନାର ସଫଳ ରୁପାୟନ ହୋଇପାରୁନି। କେବଳ ଠିକାଦାରଙ୍କ ଲାଭ ପାଇଁ କୋଟି କୋଟି ଟଙ୍କାର ଅନୁଦାନ ଖର୍ଚ୍ଚ କରାଯାଉଛି । କୋଠା ନିର୍ମାଣ କରି ଦାୟିତ୍ୱ ସାରିଦେଉଛନ୍ତି ବିଭାଗୀୟ ଅଧିକାରୀ । ଗଜପତି ଜିଲ୍ଲାରେ ସେଭଳି ଅନିୟମିତତା ଦେଖିବାକୁ ମିଳିଛି । ପାରଳାଖେମୁଣ୍ଡି ନିକଟସ୍ଥ ବେତାଗୁଡ଼ାରେ କୋଠା ନିର୍ମାଣ ସରିଛି, କିନ୍ତୁ ଉଦଘାଟନ ପାଇଁ ବର୍ଷେ ହେଲା ପଡ଼ି ରହିଛି ।
ଡ୍ରାଇଭିଂ ଟେଷ୍ଟିଂ ପାଇଁ ଟ୍ରାକ୍ ଅଛି । ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଅଛି । କୋଠା ନିର୍ମାଣ ହୋଇସାରିଛି କିନ୍ତୁ କାର୍ଯ୍ୟକ୍ଷମ ହେଉନାହିଁ । ଉଦଘାଟନ ଅପେକ୍ଷାରେ କୋଟିକୋଟିର କୋଠା । ଏପଟେ ପାରଳାଖେମୁଣ୍ଡି ସ୍ଥିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପାର୍କିଂରେ ଡ୍ରାଇଭିଂ ଟେଷ୍ଟିଂ ଚାଲିଛି । ଲାଇସେନ୍ସ ପାଇଁ ଆବେଦନ କରିଥିବା ଡ୍ରାଇଭର ଟାଇଲ ଚଟାଣ ଉପରେ ତିନିକୋଣିଆ ସ୍ଥାନରେ ଗାଡ଼ି ଚଳାଇବାକୁ ବାଧ୍ୟ ହେଉଛନ୍ତି। ଏମିତି କି ପରୀକ୍ଷା ସମୟରେ ଦୁର୍ଘଟଣାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ । ତେଣୁ ବେଳ ଥାଉଥାଉ ସାବଧାନ ହେବାକୁ ସୂଚାଇ ଦେଇଛନ୍ତି ବୁଦ୍ଧିଜୀବୀ ।
ଅନ୍ୟପଟେ ସାଧାରଣ ଜନତାଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ତୁରନ୍ତ ନୁତନ ପରିବହନ କୋଠା କାର୍ଯ୍ୟକ୍ଷମ କରିବାକୁ ଦାବି ହୋଇଛି । ସେପଟେ ଜିଲ୍ଲାପାଳ ବିଜୟ କୁମାର ଦାସ କହିଛନ୍ତି ଏଯାଏଁ କୋଠାଟିକୁ ପ୍ରଶାସନକୁ ହସ୍ତାନ୍ତର କରିନାହିଁ ନିର୍ମାଣକାରି ସଂସ୍ଥା । ହସ୍ତାନ୍ତର ପ୍ରକ୍ରିୟା ସରିଲେ ଯଥାଶୀଘ୍ର କାର୍ଯ୍ୟକ୍ଷମ କରାଯିବ ।