କନକ ବ୍ୟୁରୋ : ବ୍ରେକ୍ ଫେଲ୍ ବିକାଶର ଗାଡ଼ି, ବିନା ଚାଳକରେ କେମିତି ଗଡ଼ିବ ପରିଷଦ ? ପଶ୍ଚିମ ଓଡ଼ିଶାର ବିକାଶ ତଥା ଆଞ୍ଚଳିକ ବୈଷମ୍ୟ ଦୂର କରିବା ପାଇଁ ଗଢ଼ାଯାଇଥିବା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଏବେ ଅଚଳ ହୋଇପଡ଼ିଛି । କେବେ ଅଧ୍ୟକ୍ଷ ପଦ ପୂରଣ ହେବ, କେବେ କାଉନସିଲ୍ ଗଢ଼ାହେବ ଆଦି ପ୍ରଶ୍ନର ସ୍ପଷ୍ଟ ଉତ୍ତର ଦେଇନଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସରକାର ଏ ଦିଗରେ କାମ କରୁଥିବା କହିଥିଲେ । ୨୦୨୪ ଅଗଷ୍ଟ ୧୭ ତାରିଖରେ ଅସିତ ତ୍ରିପାଠୀ, ଅଧ୍ୟକ୍ଷ ପଦ ଛାଡ଼ିବା ପରେ ନୂଆ ଅଧ୍ୟକ୍ଷ ନିଯୁକ୍ତ ହୋଇନାହାନ୍ତି । ଦାୟିତ୍ବରେ ଅଛନ୍ତି ଉତ୍ତରାଞ୍ଚଳ ଆରଡିସି । ନା ଗଢ଼ା ହୋଇଛି କାଉନସିଲ୍ ନା ବସିଛି ବୈଠକ । ଶେଷଥର ପାଇଁ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ୨୦୨୨ ଫେବ୍ରୁଆରି ୧୨ ତାରିଖରେ ବସିଥିଲା କାଉନସିଲର ବୈଠକ । ଏଥିପାଇଁ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ପ୍ରାୟ ଦେଢ଼ ହଜାର କୋଟି ଟଙ୍କା ପଡ଼ି ରହିଥିବାବେଳେ ସରକାର ଦେଢ଼ଟଙ୍କା ବି ଖର୍ଚ୍ଚ କରୁନାହାନ୍ତି । ଏହାକୁ ଅଚଳ କରିଦେବାକୁ ବିଜେପି ଷଡ଼ଯନ୍ତ୍ର କରୁଥିବା ସେ ଅଭିଯୋଗ କରିଛନ୍ତି । ସମାନ ଢଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ।
୨୦୨୪-୨୫ରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବଜେଟ୍ ଥିଲା ୫୨୦ କୋଟି ଟଙ୍କା । ଗତ ଫେବ୍ରୁଆରିରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ତଥ୍ୟ ରଖିଥିଲେ ଯେ ୧୦ ଜିଲ୍ଲା ପାଇଁ କେବଳ ୧୫୦ କୋଟି ୮୪ ଲକ୍ଷ ଟଙ୍କାର ପ୍ରକଳ୍ପ ବଣ୍ଟନ କରାଯାଇଛି । ହେଲେ ଅଧ୍ୟକ୍ଷ ଓ କାଉନସିଲ ସଦସ୍ୟ ନଥିବାରୁ ବାଟବଣା ହୋଇଯାଇଛି ବିକାଶ ପରିଷଦ । ନିୟମ ଅନୁସାରେ ୨ ଜଣ ଲୋକସଭା ସାଂସଦ, ୧୧ ଜଣ ବିଧାୟକ ଓ ୧୦ ଜଣ ମନୋନିତ ବିଶେଷଜ୍ଞ ରହିବା କଥା କିନ୍ତୁ ସବୁ ଖାଲି ପଡ଼ିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/09/07/western-odisha-2025-09-07-21-04-18.jpg)