କନକ ବ୍ୟୁରୋ: ୬ ଦଫା ଦାବି ନେଇ ଚାଲିଥିବା ଓଡ଼ିଶା ଡ୍ରାଇଭର ମହାସଂଘର ଆନ୍ଦୋଳନ ଆଜି ତୃତୀୟ ଦିନରେ ପହଞ୍ଚିଛି । ସରକାରଙ୍କ ସହ ମହାସଂଘର ମାରାଥନ୍ ବୈଠକ ବିଫଳ ହେଲା ପରେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଜାରି ରହିଛି । ସରକାର ଲିଖିତ ପ୍ରତିଶ୍ରୁତି ନଦେବାରୁ ଆନ୍ଦୋଳନ ଜାରି ରହିବ ବୋଲି ମହାସଂଘ ରୋକ୍‌ଠୋକ୍ ଶୁଣାଇ ଦେଇଥିଲା । ଆନ୍ଦୋଳନର ଦ୍ୱିତୀୟ ଦିନରେ ସରକାରଙ୍କ ତରଫରୁ ଆଲୋଚନା ପାଇଁ ଡ୍ରାଇଭର ମହାସଂଘକୁ ଡକାଯାଇ ନଥିଲା । ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ରାଜ୍ୟରେ ଯାତ୍ରୀ ଓ ସାମଗ୍ରୀ ପରିବହନ ସଂପୂର୍ଣ୍ଣ ଭାବେ ଠପ୍‌ ହୋଇ ପଡ଼ିଛି । ତୈଳ ପରିବହନ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ଆଜି ବହୁ ତେଲ ଟାଙ୍କିରୁ ପେଟ୍ରୋଲ୍‌, ଡିଜେଲ୍‌ ସରି ଯାଇଥିବା ଜଣାପଡ଼ିଛି । 

Advertisment

ଆଜି ପେଟ୍ରୋଲ୍‌, ଡିଜେଲ୍‌ ପରିବହନ ନ ହୋଇ ପାରିଲେ ରାଜ୍ୟରେ ତେଲ ସଙ୍କଟ ଦେଖା ଦେବ । ଫଳରେ ସଙ୍ଗିନ ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । ତୈଳ ସଙ୍କଟ ନେଇ ଉତ୍କଳ ପେଟ୍ରୋଲିୟମ୍‌ ଡିଲର୍‌ ଅସୋସିଏସନ୍ ସଭାପତି ସଞ୍ଜୟ ଲାଠ୍ କହିଛନ୍ତି ଯେ ପାରାଦୀପ, ବାଲେଶ୍ବର, ଜଟଣୀ, ଝାରସୁଗୁଡ଼ା ଆଦି ପେଟ୍ରୋଲ ଡିପୋରେ ତୈଳ ପରିବହନ କରୁଥିବା ଡ୍ରାଇଭରମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଫଳରେ ଦୁଇ ଦିନ ହେଲା ତେଲ ପରିବହନ ବନ୍ଦ ରହିଛି ।  ଆଜି ବି ତୈଳ ପରିବହନ ନ ‌ହେଲେ ଅଧିକାଂଶ ତେଲ ଟାଙ୍କିରୁ ତେଲ ସରିଯିବ। ସନ୍ଧ୍ୟା ସୁଦ୍ଧା ରାଜ୍ୟର କୌଣସି ଟାଙ୍କିରେ ପେଟ୍ରୋଲ୍‌, ଡିଜେଲ୍‌ ମିଳିବ ନାହିଁ । ତେଣୁ ଆଜି ତେଲ ପରିବହନ ହେବା ଜରୁରୀ। 


ଅନ୍ୟପକ୍ଷରେ ଓଡ଼ିଶା ଡ୍ରାଇଭର ମହାସଂଘର ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ସୁରେଶ କୁମାର ପ୍ରଧାନ କହିଛନ୍ତି ଯେ ଗତକାଲି ୬ ଦଫା ଦାବି ନେଇ ପରିବହନ ମନ୍ତ୍ରୀଙ୍କ ସହିତ ସକରାତ୍ମକ ଆଲୋଚନା ହୋଇଥିଲା । ମନ୍ତ୍ରୀ ଯେଉଁ କଥା କହିଲେ ସେଥିରେ ଆମେ ରାଜି ଥିଲୁ । ଓଡ଼ିଶା ମୋଟର ଟ୍ରାନ୍ସପୋର୍ଟ ଡ୍ରାଇଭର ଓ ୱାର୍କର ୱେଲ୍‌ଫେୟାର୍‌ ବୋର୍ଡ ବୈଠକରେ ଆଲୋଚନା କରାଯାଇ ନ୍ୟାର୍ଯ୍ୟ ଦାବିଗୁଡ଼ିକ ପୂରଣ କରାଯିବ । ମନ୍ତ୍ରୀ ତାଙ୍କ ପ୍ରତିଶ୍ରୁତିକୁ ଲିଖିତ ଆକାରରେ ଦେବାକୁ ମହାସଂଘର ପ୍ରତିନିଧି ଅଡ଼ି ବସିଥିଲେ । କିନ୍ତୁ ମନ୍ତ୍ରୀ ଲିଖିତ ପ୍ରତିଶ୍ରୁତି ଦେଲେ ନାହିଁ । ଯାହାଦ୍ବାରା ସରକାରଙ୍କ କଥାକୁ ଆମେ ବିଶ୍ବାସ କଲୁ ନାହିଁ । ଲିଖିତ ପ୍ରତିଶ୍ରୁତି ନ ‌ଦେବା ଯାଏଁ ଆନ୍ଦୋଳନ ଚାଲୁ ରହିବ ବୋଲି ସୁରେଶ କୁମାର ପ୍ରଧାନ କହିଛନ୍ତି ।

ଅନ୍ୟପକ୍ଷରେ ପରିବହନ ମନ୍ତ୍ରୀ ବିଭୂତି ଜେନା କହିଛନ୍ତି, ଡ୍ରାଇଭରମାନଙ୍କ ଯେଉଁ ପ୍ରମୁଖ ଦାବି ରହିଛି, ଯେମିତିକି ୱେଲ୍‌ଫେୟାର୍‌ ବୋର୍ଡରେ ଅଟୋ ଡ୍ରାଇଭରଙ୍କୁ ସାମିଲ କରାଯିବା । ଏହି ଦାବିକୁ ବୋର୍ଡ ବୈଠକରେ ସରଳୀକରଣ କରାଯାଇ ଅଟୋ ଡ୍ରାଇଭରମାନଙ୍କୁ ସାମିଲ କରାଯିବ । ସାଧାରଣ ଲୋକଙ୍କ ଆକ୍ରୋଶରୁ ଡ୍ରାଇଭରମାନଙ୍କୁ ସୁରକ୍ଷା ସହ ଆ‌କ୍ରମଣକାରୀଙ୍କ ବିରୋଧରେ ଦୃ‌ଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସମସ୍ତ ଜିଲ୍ଲାର ଏସ୍‌ପିଙ୍କୁ ଚିଠି ଲେଖାଯାଇଛି । ଓଡ଼ିଶାରେ ଗଢ଼ି ଉଠିଥିବା ଶିଳ୍ପ ଓ କାରଖାନାମା‌ନଙ୍କରେ ଓଡ଼ିଶାର ଡ୍ରାଇଭରମାନେ ଅଧିକରୁ ଅଧିକ ଯେପରି ନିଯୁକ୍ତି ପାଇବେ, ସେ ନେଇ ସରକାରୀ ନିଷ୍ପତ୍ତି ନିଆଯିବ । ପ୍ରତି ୧୦୦ କିମିରେ ଡ୍ରାଇଭର ସୁବିଧା କେନ୍ଦ୍ର ସ୍ଥାପନ କରାଯିବ । ପୁଲିସର ମାତ୍ରାଧିକ ଯାଞ୍ଚ ଓ କାର୍ଯ୍ୟାନୁଷ୍ଠାନ ନ ହେବା ଲାଗି ନିର୍ଦ୍ଦେଶ ଦିଆଯିବ । ୱେଲ୍‌ଫେୟାର ବୋର୍ଡରେ ପଞ୍ଜୀକରଣ ମାଗଣା କରାଯିବ ଆଦି ନିଷ୍କର୍ଷ ବାହାରିଛି । 

ଖୁବ୍‌ଶୀଘ୍ର ୱେଲ୍‌ଫେୟ‌ାର ବୋର୍ଡ ବୈଠକ କରାଯାଇ ଡ୍ରାଇଭରମାନଙ୍କ ସବୁ ଦାବି ଶୁଣାଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ତେଣୁ ଡ୍ରାଇଭରମାନେ ଆନ୍ଦୋଳନରୁ ହଟିବାକୁ ମନ୍ତ୍ରୀ ନିବେଦନ କରିଥିଲେ । ଏ ନେଇ ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି କହିଛନ୍ତି, ୫ ବର୍ଷ ହେବ ଆମେ ସରକାରଙ୍କ ନିକଟରେ ଦାବି କରି ଆସୁଛୁ । କିନ୍ତୁ କେହି ଦାବି ପୂରଣ ନେଇ ପଦକ୍ଷେପ ‌ନେଉ ନାହାନ୍ତି । ତେଣୁ ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବ ।