କନକ ବ୍ୟୁରୋ: କାର ଭିତରେ ଶୋଇ ରହିଛନ୍ତି ରୋଗୀ । ସାଲାଇନ ବି ଲାଗିଛି । ଶ୍ବାସ ରୋଗରେ ଗୁରୁତର ଥିବା ଖଲ୍ଲିକୋଟର ସଇନ୍ଦ୍ରୀ ଯାନି ଖଲ୍ଲିକୋଟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ରେଫର କରାଯାଇଥିଲା । ରୋଗୀଙ୍କ ସମ୍ପର୍କୀୟ ପ୍ରଥମେ ୧୦୮କୁ କଲ କଲେ। ଆମ୍ବୁଲାନ୍ସ ନଆସିବାରୁ ଭଡା ଗାଡି କରି ବ୍ରହ୍ମପୁର ଏମକେସିଜିକୁ ନେଲେ। 

Advertisment

ସେହିପରି ଅଟୋ ସାଜିଛି ଆମ୍ବୁଲାନ୍ସ । ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲକୁ ଅଟୋରେ ଆସିଛନ୍ତି ଜଣେ ରୋଗୀ ଓ ତାଙ୍କ ସଂପର୍କୀୟ। କାରଣ ୧୦୮ ଆମ୍ବୁଲାନ୍ସ ପରିଚାଳନା ସଂସ୍ଥା ଜିଭିକେ ଇଏମଆରଆଇ ଓ କର୍ମଚାରୀଙ୍କ ବିବାଦ ଯୋଗୁଁ ରାଜ୍ୟବ୍ୟାପୀ ପ୍ରଭାବିତ ହୋଇଛି ଆମ୍ବୁଲାନ୍ସ ସେବା।

ରୋଗୀଙ୍କ ସଂପର୍କୀୟ କଷ୍ଟମର କେୟାରକୁ କଲ କରିବା ପରେ ଡ୍ରାଇଭରଙ୍କୁ ଗନ୍ତବ୍ୟସ୍ଥଳକୁ ପଠାଇବା ପାଇଁ ଆସୁଛି ନିର୍ଦ୍ଦେଶ । କିନ୍ତୁ ଅନ ମୋଡ ନୁହେଁ ଅଫ ମୋଡରେ ଗାଡି ନେବାକୁ କହୁଛନ୍ତି ଡ୍ରାଇଭର। ତେବେ କୌଣସି କର୍ମଚାରୀ ଆମ୍ୱୁଲାନ୍ସ ଚଳାଚଳରେ ଅସୁବିଧା ସୃଷ୍ଟି କଲେ ତାଙ୍କ ବିରୋଧରେ ନିୟମ ଅନୁସାରେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ପଷ୍ଟ କରିଛନ୍ତି କର୍ତ୍ତୃପକ୍ଷ।  

ପ୍ରଶ୍ନ ଉଠୁଛି କାହିଁକି ଅଫରୋଡରେ ଗାଡ଼ି ନେବାକୁ କହୁଛନ୍ତି ଡ୍ରାଇଭର। ଅନରୋଡ ଗାଡ଼ି ଚଳାଇଲେ ଜିପିଏସ ସିଷ୍ଟମ ଅନ ରହିବ ଏବଂ ଆମ୍ବୁଲାନ୍ସ କେତେବାଟ ଚାଲିଛି ସେହି ଆଧାରରେ କମ୍ପାନି ସରକାରଙ୍କଠାରୁ ପାଇବ ପାଉଣା। ହେଲେ ଡ୍ରାଇଭରଙ୍କୁ ସେମାନଙ୍କ ପ୍ରାପ୍ୟ ମିଳୁନଥିବାରୁ କମ୍ପାନିର କ୍ଷତି ଚାହୁଁଛନ୍ତି ଡ୍ରାଇଭର । ଏଥିସହ ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଆମ୍ବୁଲାନ୍ସ କର୍ମଚାରୀ ।

ଆମ୍ବୁଲାନ୍ସ କର୍ମଚାରୀଙ୍କ ଦାବି   

  • ଚାକିରିରୁ ବାହାର କରାଯାଇଥିବା ୯୪ ଜଣଙ୍କୁ ପୁନଃ ନିଯୁକ୍ତି
  • ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଗ୍ରାଚ୍ୟୁଇଟି ସହ ୧ ରୁ ୫ ତାରିଖ ଭିତରେ ଦରମା
  • ୧୨ଘଣ୍ଟା ଖଟିଲେ ୧୨ ଘଣ୍ଟାର ପ୍ରାପ୍ୟ ଓ କର୍ମଚାରୀ ମୃତ୍ୟୁ ହେଲେ ଇନ୍ସସ୍ୟୁରାନ୍ସ
  • ଡ୍ରାଇଭରଙ୍କ ପାଇଁ ବିଶ୍ରାମ ଗୃହ 

ଏହି ବିବାଦ ଭିତରେ ଅଫରୋଡ ସିଷ୍ଟମରେ ୧୦୮ ଆମ୍ବୁଲାନ୍ସ ଅସ୍ତରଙ୍ଗରୁ ଜଣେ ଗୁରୁତର ରୋଗୀଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ଆଣିଥିଲେ। ତେବେ ଏବେ ବି ବିବାଦ ଛିଡିନାହିଁ । ପରିଚାଳନା ସଂସ୍ଥା ଦରମା ବ୍ୟବସ୍ଥା କରିଥିଲେ ମଧ୍ୟ ଏବେ ବି ଅନେକ ଦାବି ବାକି ଅଛି । ତେବେ ଏହି ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ ।