କନକ ବ୍ୟୁରୋ: ସ୍ୱାଭିମାନ ଅଞ୍ଚଳ ଓରାପଦର ଗାଁ ନିକଟରେ ଚାଲିଥିବା ମେଗା ପାନୀୟ ଜଳ ପ୍ରକଳ୍ପ ନେଇ ଚିନ୍ତାରେ ଲୋକେ । ୧୭ ମାର୍ଚ୍ଚ ୨୦୨୨ରେ ୪୩ କୋଟି ୧୬ ଲକ୍ଷ ଟଙ୍କାରେ ବ୍ୟୟରେ ପ୍ରକଳ୍ପ କାମ ଆରମ୍ଭ ହୋଇଥିଲା । ଏକ ଘରୋଇ କମ୍ପାନୀ କରୁଛି ପ୍ରକଳ୍ପ ନିର୍ମାଣ କାମ । ଦୁଇ ବର୍ଷ ବିତିଲାଣି କିନ୍ତୁ କାମ ସମ୍ପୂର୍ଣ୍ଣ ହୋଇପାରୁନି । କେଉଁଠି ପାଚେରୀ କାମ ଅଧା ନିର୍ମାଣ ହୋଇଛି ତ ଆଉ କେଉଁଠି ପମ୍ପ ଗୃହ କାମ ଅଧାପନ୍ତରିଆ ହୋଇ ପଡିରହିଛି । ପାଣି ଟ୍ୟାଙ୍କ କାମ ମଧ୍ୟ ଆଜି ପର୍ୟ୍ୟନ୍ତ ସରି ପାରୁନାହିଁ । ଯାହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । କେବେ ମିଳିବ ବିଶୁଦ୍ଧ ପାଣି ତାକୁ ନେଇ ପ୍ରଶ୍ନ କରିଛନ୍ତି ।
ମାଲକାନଗିରି ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ଓ ଠିକା ସଂସ୍ଥାର ମନମୁଖୀ କାର୍ୟ୍ୟ ପାଇଁ ଏଭଳି ବିଳମ୍ବ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ରାସ୍ତା କଡରେ ପାଣି ପାଇପ ପଡିରହିଛି ହେଲେ କୌଣସି ଗାଁକୁ ସଂଯୋଗ ହୋଇପାରିନାହିଁ । ପ୍ରକଳ୍ପ ହେଲେ ଯୋଡାମ୍ବ, ପଣସପୁଟ, ଅଣ୍ଡ୍ରାପାଲି, ଯନ୍ତ୍ରି ପଞ୍ଚାୟତର ୫୮ ଗାଁ ଲୋକ ଉପକୃତ ହେବେ ।
କାମ ସରିନଥିବାରୁ ନଦୀ, ନାଳ ଓ ଚୁଆ ପାଣି ଉପରେ ହିଁ ଭରସା କରୁଛନ୍ତି ଗ୍ରାମବାସୀ । ସେପଟେ ଜଡଝଝ ବିଭାଗର ସହକାରୀ ଯନ୍ତ୍ରୀ କହିଛନ୍ତି ଡିଜାଇନରେ ପରିବର୍ତ୍ତନ ଯୋଗୁଁ ବିଳମ୍ବ ହେଉଛି କାମ । ତେବେ ଦେଖିବାକୁ ବାକି ରହିଲା କେବେ ସରୁଛି ପାନୀୟ ଜଳ ପ୍ରକଳ୍ପ କାମ ଆଉ କେବେ ମିଳୁଛି ସ୍ବାଭିମାନ ଅଞ୍ଚଳବାସୀଙ୍କୁ ବିଶୁଦ୍ଧ ପାଣି ।