କନକ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍ ଦନେଇ ବ୍ରହ୍ମପୁରରେ ଉତ୍କଟ ହୋଇଛି ପିଇବା ପାଣି ସମସ୍ୟା । ଗାଁରେ ଜଳ ଯୋଗାଣ ନିମନ୍ତେ ସେଭଳି କୌଣସି ବ୍ୟବସ୍ଥା ନଥିବାରୁ ଗତ ୨ ବର୍ଷ ପୂର୍ବରୁ ମେଗା ଜଳ ପ୍ରକଳ୍ପରେ ଗାଁରେ ପାଇପ୍ ଲାଇନ୍ ବିଛାଯାଇଛି । ହେଲେ ଲୋକଙ୍କ ପାଖରେ ପହଞ୍ଚିପାରୁନି ପାଇପ୍ ପାଣି ।

Advertisment

ଦାଣ୍ଡ ଦୁଆରେ ବିଛାଯାଇଛି ପାଇପ୍ । ହେଲେ ଘରକୁ ଆସୁନି ପାଣି । ଗୋଟିଏ ନଳକୂପ ଭରସାରେ ପୂରା ଗାଁ । ଏଭଳି ସ୍ଥିତି ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍ ଦନେଇ ବ୍ରହ୍ମପୁରର । ଏଠି ମେଗା ପାନୀୟ ଜଳ ପ୍ରକଳ୍ପ ନାଁରେ ପ୍ରତି ଘରକୁ ସଂଯୋଗ ହୋଇଛି ପାଇପ୍ । ୨ ବର୍ଷ ହେଲା ପାଇପ୍ ବିଛାଯାଇଥିବା ବେଳେ ଏପର୍ଯ୍ୟନ୍ତ ଲୋକଙ୍କ ଘରକୁ ପାଣି ପହଞ୍ଚିପାରିନାହିଁ । ଫଳରେ ଗୋଟିଏ ନଳକୂପରୁ ପାଣି ନେଇ ଚଳୁଛନ୍ତି ୨ଶହରୁ ଅଧିକ ପରିବାର । ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ପରେ ମିଳୁଛି ପାଣି । ସେଥିରୁ ବି ଅନେକ ସମୟରେ ଗୋଳିଆ ପାଣି ବାହାରୁଛି । ଯାହାକୁ ପିଇ ଲୋକ ରୋଗାକ୍ରାନ୍ତ ହେଉଥିବା ଅଭିଯୋଗ ହୋଇଛି । 

ଗାଁରେ ପାଣି ସମସ୍ୟାକୁ ଦୃଷ୍ଟିରେ ରଖି ମେଗା ଜଳ ପ୍ରକଳ୍ପ କାମ ଆରମ୍ଭ ହୋଇଥିଲା । ହେଲେ ଏଯାଏଁ ଟାଙ୍କି କାମ ସରିନି । ମେଗା ଜଳ ପ୍ରକଳ୍ପର କାମ ଯେଉଁ ଠିକାଦାର ନେଇଛନ୍ତି ସେ ବି ମନ୍ଥର ଗତିରେ ଚାଲିଛି । ଏନେଇ ବ୍ଲକ୍ ବୈଠକରେ ବାରମ୍ବାର ଆଲୋଚନା ପରେ ବି କିଛି ସୁଫଳ ମିଳୁନି। ଗାଁରେ ଥିବା ଗୋଟିଏ ପୋଖରୀ ବି ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି । ତେଣୁ ତୁରନ୍ତ ମେଗା ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବା ସହ ପୋଖରୀର ପୁନରୁଦ୍ଧାର ପାଇଁ ଦାବି କରାଯାଇଛି ।