କନକ ବ୍ୟୁରୋ: ପ୍ରତି ଗାଁରେ ପାନୀୟ ଜଳ ସୁବିଧା ପାଇଁ ବସୁଧା ଯୋଜନାରେ ପାଣିଟାଙ୍କି ନିର୍ମାଣ କରାଯାଉଛି । ସରକାରଙ୍କ ରାଜକୋଷରୁ ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ହେଲେ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ସରକାରୀ ଅର୍ଥ ଖାଇ ନିମ୍ନମାନର କାମ କରୁଛନ୍ତି । ଏହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବାଲେଶ୍ବର ବସ୍ତା ବ୍ଳକର ବରଡ଼ା ଗ୍ରାମରୁ । ନିର୍ମାଣର ୨ମାସ ନପୁରୁଣୁ ଭୁଷୁଡ଼ିବାକୁ ବସିଲାଣି ୭୦ଲକ୍ଷ ଟଙ୍କାରେ ନିର୍ମିତ ପାଣି ଟାଙ୍କି । ଏବେ ବରଡ଼ା ଗ୍ରାମବାସୀ ପିଇବା ପାଇଁ ପୋଖରୀ ପାଣି ବ୍ୟବହାର କରୁଛନ୍ତି ।  

Advertisment

ନିର୍ମାଣର ୨ମାସ ନପୁରୂଣୁ ଭୁଷୁଡ଼ିବାକୁ ବସିଲାଣି ବସୁଧା ଯୋଜନାରେ ନିର୍ମିତ ପାଣିଟାଙ୍କି । ଟାଙ୍କିର କେଉଁଠି ପାଣି ଗଳୁଛି ତ ଆଉ କେଉଁଠି ଲୁହାଛଡ଼ ଦେଖାଗଲାଣି । ସିଡ଼ି ପାହାଚରୁ ଢ଼ଳାଇ ଓ ପ୍ଲାଷ୍ଟର ବି ଖସିଗଲାଣି । ବାଲେଶ୍ୱର ବସ୍ତା ବ୍ଲକ ମୁକୁଳିସି ପଞ୍ଚାୟତର ବରଡା ଗ୍ରାମରୁ ଆସିଛି ଏହି ଚିତ୍ର । ଗ୍ରାମରେ ୧୫୦ ପରିବାର ବସବାସ କରନ୍ତି । ଗାଁରେ ପିଇବା ପାଣିର ସମସ୍ୟାକୁ ଦେଖି ବସୁଧା ଯୋଜନାରେ ୭୦ ହଜାର ଲିଟର କ୍ଷମତା ଥିବା ପାଣି ଟାଙ୍କି ନିର୍ମାଣ କରାଗଲା । ୭୦ ଲକ୍ଷ ଟଙ୍କା ବ୍ୟୟରେ ତିଆରି ହୋଇଥିବା ବେଳେ ୨ମାସରେ ଟାଙ୍କିର ଅବସ୍ଥା ଶୋଚନୀୟ । ଯାହାର ବିରୋଧ କରିବା ସହ ବିଭାଗୀୟ ଅଧିକାରୀଙ୍କ ସହିତ ସଲାସୁତରା କରି ଠିକାଦାର ଏପରି ନିମ୍ନମାନର କାମ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ ।
 

ଟାଙ୍କି ନିର୍ମାଣ ପରେ ଲୋକଙ୍କ ଘରେ ଷ୍ଟାଣ୍ଡପୋଷ୍ଟ ବସାଯାଇ ଗୋଟିଏ ମାତ୍ର ପାଇପ ସଂଯୋଗ କରାଯାଇଛି । ସେ ପାଇପ ବି ବିଭିନ୍ନ ସ୍ଥାନରୁ ଫାଟି ପାଣି ବାହାରୁଛି । ସେଥିପାଇଁ ଲୋକଙ୍କ ଘରେ ପାଣି ପହଞ୍ଚି ପାରୁନାହିଁ । ଗ୍ରାମରେ ଥିବା ୫ଟି ନଳକୂପବି ଅଚଳ ହୋଇପଡ଼ିଛି । ଫଳରେ ଗାଁରେ ଥିବା ପୋଖରୀ ଜଳକୁ ଗ୍ରାମବାସୀ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । 

ବସ୍ତା ବ୍ଲକରେ ବିଭିନ୍ନ ପଞ୍ଚାୟତରେ ଶହେରୁ ଅଧିକ ପାଣିଟାଙ୍କି ନିର୍ମାଣ କରାଯାଇଛି । ହେଲେ ସବୁ ଟାଙ୍କିର ଅବସ୍ଥା ଏକାପରି । ଅନ୍ୟପଟେ ଏନେଇ ଜଳେଶ୍ୱର ପାନୀୟଜଳ ଯୋଗାଣ ବିଭାଗର ନିର୍ବାହୀ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଏନେଇ ସନ୍ତୋଷଜନକ ଉତ୍ତର ଦେଇପାରିନାହାଁନ୍ତି ।