କନକ ବ୍ୟୁରୋ: ଜିଲ୍ଲା ପରେ ଜିଲ୍ଲାକୁ ମାଡ଼ିଚାଲିଛି ଡାଇରିଆ । ପିଇବା ପାଣିରୁ ଝାଡ଼ାବାନ୍ତି ହେଉଥିବା ସ୍ପଷ୍ଟ କରିଛନ୍ତି କେନ୍ଦ୍ରୀୟ ଟିମ୍ । ତେବେ ରାଜ୍ୟରେ ପାନୀୟ ଜଳ ପ୍ରକଳ୍ପର ସ୍ଥିତି କଣ ? ଏନେଇ ଗ୍ରାଉଣ୍ଡ ଜିରୋରୁ ସ୍ଥିତି ପରଖିଛି କନକ ନ୍ୟୁଜ୍ । ଆଉ ଏହା ରାଜ୍ୟରେ ପିଇବା ପାଣି ପ୍ରକଳ୍ପର ବିକଳ ଚିତ୍ରକୁ ଦର୍ଶାଇଛି ।

Advertisment

ଗଞ୍ଜାମ, ଖୋର୍ଦ୍ଧା, ଗଜପତି ଜିଲ୍ଲାରୁ ଆସିଛି ପାନୀୟ ଜଳ ପ୍ରକଳ୍ପର ଆଶ୍ଚର୍ଯ୍ୟଜନକ ଖବର । କୌଣସି ଉପାନ୍ତ ଅଞ୍ଚଳ ନୁହେଁ ଖୋର୍ଦ୍ଧାରେ ବର୍ଷ ବର୍ଷ ଧରି ପାନୀୟ ପ୍ରକଳ୍ପ କାମ ଶେଷ ହୋଇପାରୁନାହିଁ । ବୋଲଗଡ଼ ବ୍ଲକ ପାଟପୁର ପଞ୍ଚାୟତରେ ପାଇପ୍ ବସାଇବାକୁ ଗାତ ଖୋଳା ହୋଇରହିଛି କିନ୍ତୁ ପାଇପ୍ କେବେ ବସିବ ଏବଂ କେବେ ପାଣି ଆସିବ? ତାହାର ଉତ୍ତର କାହା ପାଖରେ ନାହିଁ । ସେହିଭଳି ଗଜପତି ଜିଲ୍ଲାର ମୋହନା, ଆର.ଉଦୟଗିରି ବ୍ଲକରେ ପାନୀୟ ଜଳର ଘୋର ସଙ୍କଟ ଦେଖାଦେଇଛି । ସେପଟେ ଗଞ୍ଜାମ ଜିଲ୍ଲାରେ ବି ସମାନ ଅବସ୍ଥା । ଜିଲ୍ଲାରେ ୧୫୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚରେ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପ କାମ ଚାଲିଛି କିନ୍ତୁ ସବୁ କାମ ଅଧପନ୍ତରିଆ ।

  • କେତେ ଘରକୁ ପହଞ୍ଚିଛି ପିଇବା ପାଣି ?
  • କେନ୍ଦ୍ର-ରାଜ୍ୟ ତଥ୍ୟରେ ନାହିଁ ତାଳମେଳ 

ଘରେ ଘରେ ପିଇବା ପାଣି ପହଞ୍ଚାଇବାକୁ କେନ୍ଦ୍ର-ରାଜ୍ୟ ଯେଉଁ ତଥ୍ୟ ଦେଉଛନ୍ତି ତାହା ମେଳ ଖାଉନାହିଁ । କେନ୍ଦ୍ରର ତଥ୍ୟ ଅନୁସାରେ ଗ୍ରାମାଞ୍ଚଳରେ ୮୮,୬୮,୨୭୯ ଘର ମଧ୍ୟରୁ ୬୮,୧୧,୫୦୫ ଘରକୁ ପିଇବା ପାଣି ଯୋଗାଇ ଦିଆଯାଇଛି, ଯାହାକି  ମୋଟ ଘରର ୭୬.୮୧ % ।  ସେହିଭଳି ରାଜ୍ୟ ସରକାରଙ୍କ ତଥ୍ୟ କହୁଛି,  ଗ୍ରାମାଞ୍ଚଳରେ ୧୯୧ଟି ମେଗା ପାନୀୟ ପ୍ରକଳ୍ପ କାମ ଚାଲିଛି । ୩ଟି ପର୍ଯ୍ୟାୟରେ ଏହି ପ୍ରକଳ୍ପ କାମ ସାରିବାକୁ ଲକ୍ଷ୍ୟ ରହିଛି । ତେବେ ମାର୍ଚ୍ଚ ସୁଦ୍ଧା ୫୬ ପ୍ରକଳ୍ପର କାମ ଶେଷ ହେବ ଡିସେମ୍ବର ସୁଦ୍ଧା ସରିବ ୫୪ ପ୍ରକଳ୍ପ ସରିବ । ସେହିପରି ୨୦୨୬ ଜୁନ ସୁଦ୍ଧା ଅବଶିଷ୍ଟ ୮୧ ପ୍ରକଳ୍ପର କାମ ସରିବ  । 

ପ୍ରଶ୍ନ ଉଠୁଛି, ଜୁନ ସୁଦ୍ଧା ସବୁ ଗାଁକୁ ପିଇବା ପାଣି ଲକ୍ଷ୍ୟ ପୂରଣ ପୂର୍ବରୁ କେତେ ହଇଜା ଓ ଡାଇରିଆ ଦେଖିବେ ସରକାର? ଆଉ କେତେ ମୁଣ୍ଡ ଗଡ଼ିବ?