VSFD/GREL Photograph: (DFEFFLD)
କନକ ବ୍ୟୁରୋ : ବାଲେଶ୍ଵର ସହଦେବ ଖୁଣ୍ଟା ଅଞ୍ଚଳରେ ରୁହନ୍ତି କବିତା ଷଣ୍ଢ। ଜଣେ ଶିକ୍ଷିତ ମହିଳା। ପ୍ରଥମେ ଗୃହିଣୀ ଓ ତିନି ପିଲାଙ୍କ ମା’। ପରିବାର ଦାୟିତ୍ୱ ସୂଚାରୁ ରୂପେ ତୁଲାଇବା ପରେ ଆତ୍ମନିର୍ଭରଶୀଳ ହେବାକୁ ଇଚ୍ଛା କରି ନିଜସ୍ଵ ଉଦ୍ୟମରେ ୨୦୧୨ ମସିହାରୁ ବ୍ୟବସାୟ କରିବାକୁ ଇଛାକଲେ। ବ୍ୟାଙ୍କରୁ ଏକ ଲକ୍ଷ ଟଙ୍କା ଋଣ ଆଣି ଆରମ୍ଭ କଲେ ଧୂପକାଠି ବ୍ୟବସାୟ। ସେଥିପାଇଁ ଧୂପ ତିଆରି ମେସିନ ଓ କଞ୍ଚାମାଲ କିଣିଲେ। ପରେ ସ୍ୱୟଂ ଚାଳିତ ଧୂପକାଠି ତିଆରି ମେସିନ କିଣି କାମକୁ ଆଗକୁ ବଢ଼ାଇଲେ। ଧୂପ ତିଆରି ପାଇଁ ପାଖାପାଖି ୪ଟି ମେସିନ କିଣିଛନ୍ତି କବିତା । ମସଲା ଗୋଳାଇବାକୁ ମିକ୍ସର ମେସିନ, ଶୁଖାଇବା ପାଇଁ ଡ୍ରାୟର ମେସିଲ ମଧ୍ୟ ସେ କିଣିଛନ୍ତି । ବ୍ୟବସାୟ ବଢିବାରୁ ୫ ଜଣ ମହିଳାଙ୍କୁ ନିଯୁକ୍ତି ମଧ୍ୟ ସେ ଦେଇଛନ୍ତି।
କବିତା ସବୁ କାମ ନିଜେ ତଦାରଖ କରିଥାଆନ୍ତି। କଞ୍ଚାମାଲ କିଣିବା, ତିଆରି କରିବା, ପ୍ୟାକିଂ ଓ ଦୋକାନରେ ପହଞ୍ଚାଇବା କାମ ମଧ୍ୟ ସେ ନିଜେ କରନ୍ତି। ପ୍ରତ୍ୟେକ ଦିନ ଦେଢ଼ କୁଇଣ୍ଟାଲ ଧୂପ କାଠି ତିଆରି ହେଉଛି । ସେ ଗୁଡ଼ିକୁ ଡ୍ରାୟର ମେସିନ ଓ ଖରାରେ ଶୁଖାଇ ବିଡ଼ା ବନ୍ଧାଯାଏ। ପରେ ସଠିକ୍ ଅନୁପାତରେ ଅତର ଦେଇ ପ୍ୟାକିଂ କରି ବଜାରକୁ ନିଅନ୍ତି। ଧୂପକାଠି ପ୍ରସ୍ତୁତ କରି ବିଡ଼ା ବାନ୍ଧିବାକୁ ପ୍ରାୟ ୨ ଦିନ ସମୟ ଲାଗିଥାଏ। ୫ ଜଣ କର୍ମଚାରୀଙ୍କ ଦରମା, ଘରଭଡା ଓ ଅନ୍ୟାନ୍ୟ ଖର୍ଚ୍ଚ ଯାଇ ମାସକୁ ୨୫ରୁ ୩୦ ହଜାର ଟଙ୍କା ରୋଜଗାର କରୁଛନ୍ତି କବିତା।
ପ୍ରତ୍ୟେକ ଦିନ କବିତା ପରିବାର କାମ ସାରି ନିଜ ବ୍ୟବସାୟକୁ ୭ରୁ ୮ ଘଣ୍ଟା ସମୟ ଦେଇଥାନ୍ତି। ଏହି ବ୍ୟବସାୟ କରି ପିଲାଙ୍କ ପାଠପଢ଼ା ଖର୍ଚ୍ଚ ତୁଲାଇବା ସହ ବଡ଼ ଝିଅର ବାହାଘର ମଧ୍ୟ କରିଛନ୍ତି। ଏହି କାମ କବିତାଙ୍କୁ ରୋଜଗାର ସହ ଆତ୍ମସନ୍ତୋଷ ଦେଉଥିବା ସେ କହିଛନ୍ତି ।
Follow Us