କନକ ବ୍ୟୁରୋ : ଓଜନ ମାପରେ ଠକେଇ କରୁଥିଲେ ସାବଧାନ । ଅସାଧୁ ବ୍ୟବସାୟୀଙ୍କୁ ରାଜ୍ୟ ସରକାରଙ୍କ କଡ଼ା ଚେତାବନୀ । ଚଢ଼ଉ ଜୋରଦାର କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ଖାଉଟି କଲ୍ୟାଣ ମନ୍ତ୍ରୀ । ଧରା ପଡ଼ିଲେ ମୋଟାଅଙ୍କର ଫାଇନ୍ ସହ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଭୁବନେଶ୍ୱରର ୧ ନମ୍ବର ହାଟ ହେଉ କି କଟକର ଛତ୍ର ବଜାର ଅବା ବ୍ରହ୍ମପୁରର ବଡ଼ ବଜାର । ଏହି ସବୁ ସ୍ଥାନ ସହ ରାଜ୍ୟର ପ୍ରତ୍ୟେକ ଅଞ୍ଚଳରେ ଓଜନ ଓ ମାପରେ ବ୍ୟାପକ ଠକେଇ ହେଉଥିବା ଅଭିଯୋଗ ଆସୁଛି । ଏନେଇ ବାରମ୍ବାର ଅଭିଯୋଗ ପରେ ଆକ୍ସନକୁ ଆସିଛନ୍ତି ସରକାର । ତେଣୁ ଚଢ଼ଉ ଜୋରଦାର କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । କାହା ଉପରେ ଦୟା ଦେଖାନ୍ତୁ ନାହିଁ । ଆଖି ଦୃଶିଆ ଫାଇନ୍ କରନ୍ତୁ । ଏମିତି ହେଲେ ଅସାଧୁ ବ୍ୟବସାୟୀଙ୍କ ମଧ୍ୟରେ ଭୟ ସୃଷ୍ଟି ହେବ ବୋଲି କହିଛନ୍ତି ମନ୍ତ୍ରୀ ।
ଅସାଧୁ ବେପାରୀଙ୍କୁ ନିସ୍ତାର ନାହିଁ
ସୁନା ଦୋକାନ ଉପରେ ହେବ ଜୋରଦାର ଚଢ଼ଉ
ବିଧାନସଭାରେ ମିଳିଥିବା ତଥ୍ୟ ଅନୁସାରେ, ୫ ବର୍ଷରେ ୩୬ ଜଣ ସୁନା ବ୍ୟବସାୟୀ ଓଜନ ମାପ ଠକେଇରେ ଧରା ପଡ଼ିଛନ୍ତି । ୮ ଜଣ ବଡ଼ ବ୍ୟବସାୟୀ ନକଲି ହଲମାର୍କ ସୁନା ବିକୁଥିବା ଅଭିଯୋଗରେ ଧରା ପଡ଼ିଛନ୍ତି । ୭ ଜଣଙ୍କ ଲାଇସେନ୍ସ ରଦ୍ଦ, ଜଣକ ବିରୋଧରେ ମାମଲା ରୁଜୁ ହୋଇଛି । ତେଣୁ ବିଶେଷଭାବେ ସୁନା ଦୋକାନ ଗୁଡ଼ିକ ଉପରେ ଚଢ଼ଉ ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । ଖାଉଟିଙ୍କୁ କେମିତି ସଠିକ୍ ମାପରେ ସାମଗ୍ରୀ ମିଳିବ ସେଥିପାଇଁ ସଚେତନ ହେବାକୁ ଅଧିକାରୀଙ୍କୁ ମନ୍ତ୍ରୀ ଉପଦେଶ ଦେଇଛନ୍ତି । ଚଢ଼ଉ ଟାର୍ଗେଟ ବଢ଼ାଇବାକୁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ । ଯେଉଁ ଅଫିସର ଚଳିତବର୍ଷ ଅଧିକ ଚଢ଼ଉ କରିବେ ଆସନ୍ତାବର୍ଷ ସେମାନଙ୍କୁ ପୁରସ୍କାର ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ । ଆଜି ନିଖିଳ ଓଡ଼ିଶା ବୈଧ ମାପ ବିଜ୍ଞାନ ଅଧିକାରୀ ସଂଘର ୪୦ତମ ବାର୍ଷିକ ସାଧାରଣ ପରିଷଦ ବୈଠକରେ ଯୋଗ ଦେଇଥିଲେ ମନ୍ତ୍ରୀ ।