କନକ ବ୍ୟୁରୋ:  ଫିଟିଲା ପାଦର ଶାଙ୍କୁଳି, ବାଟ କଢ଼ାଇଲା ବିଜୁଳି
                       କୋଳରେ ଦେଖି ନାରାୟଣ, କବାଟ ଫିଟିଲା ତକ୍ଷଣ ।।
                       ନିଦ୍ରାରେ ମୋହିତ ସକଳ, ବୃଷ୍ଟି କରନ୍ତି ମେଘମାଳ
                        ତିନ୍ତିବା ଦେଖି ଜଗନ୍ନାଥ, ଫଣାରେ ଢାଙ୍କିଲା ଅନନ୍ତ ।।

Advertisment

ପୁରାଣର ଏହି ଶ୍ରୁତି ମଧୂର ପଂକ୍ତି  ପଢ଼ିଥିବେ ନିଶ୍ଚୟ । କିନ୍ତୁ ପ୍ରଭୁ ଶ୍ରୀ ସାକ୍ଷୀଗୋପାଳଙ୍କ ମନ୍ଦିରରେ କେମିତି ହୁଏ ଶ୍ରୀକୃଷ୍ଣ ଜନ୍ମନୀତି ତାର କିଛି ତଥ୍ୟ ଆପଣଙ୍କୁ ଆମୋଦିତ କରିବ ନିଶ୍ଚୟ । ପୂରା ନୀତିକାନ୍ତିକୁ ନାଟକୀୟ ଢଙ୍ଗରେ ପାଳନ କରାଯାଏ । କୃଷ୍ଣପକ୍ଷ ଅଷ୍ଟମୀ ତିଥି ନିଶାର୍ଦ୍ଧରେ ପାଳନ କରାଯାଏ ଜନ୍ମବିଧି  । ଏହି ନୀତିକାନ୍ତି କରିଥାନ୍ତି ସାକ୍ଷୀଗୋପାଳ ମନ୍ଦିର  ପୂଜାପଣ୍ଡା ସେବକ , ପୁରାଣ ପଣ୍ଡିତ ଓ ପୁରୋହିତ । ବିଶ୍ବନିୟନ୍ତା ଶ୍ରୀକୃଷ୍ଣ ଧରାବତରଣ କରିବା ପରେ ମନ୍ଦିର ଗର୍ଭ ଗୃହରେ ଥିବା ଆପଟ ସେବାୟତ ଛୋଟ ଛୁଆ ଭଳି କୁଆଁକୁଆଁ ହୋଇ କାନ୍ଦିଥାନ୍ତି । କିଟ୍ କିଟ୍ ଅନ୍ଧକାର ଭିତରେ କାନ୍ଦ ଶବ୍ଦ ଶୁଣି ସଚେତ ହୋଇଯାନ୍ତି ବସୁଦେବ । ବନ୍ଦୀଘରୁ ବା ମନ୍ଦିର ଗର୍ଭଗୃହରୁ ପ୍ରଭୁଙ୍କୁ ମୁଣ୍ଡରେ ମୁଣ୍ଡାଇ ମନ୍ଦିର ପଛପଟ ପାର୍ଶ୍ୱରେ ପ୍ରସ୍ତୁତ ହୋଇଥିବା କୃତ୍ରିମ ଯମୁନା ନଦୀ ପାରି ହୋଇଯିବା ବେଳେ ଆକାଶରେ ଘୋଟିଆସେ ସାତଖଣ୍ଡ ମେଘ ।  ଭଣ୍ଡାର ମେକାପ ତିଆରି ହୋଇଥିବା ସପ୍ତଫେଣୀ ନାଗ ଫଣାରେ ପ୍ରଭୁଙ୍କୁ ଢାଙ୍କି ଦିଅନ୍ତି । ନଦୀ ପାରିହେବା ବାଟରେ ଉଗ୍ରସେନଙ୍କ ହାତରେ ଧରା ପଡ଼ିଯାନ୍ତି ବସୁଦେବ । ନିଶାର୍ଦ୍ଧରେ ଅଜଣା ବ୍ୟକ୍ତିଙ୍କୁ ଦେଖି ହଠତ୍ ଉତକ୍ଷୀପ୍ତ ହୋଇ କୁହନ୍ତି ‘କିଏ କିଏରେ ଚୋର, ରାତି ଅଧରେ ହୋଇଲୁ ବାହାର, ଜାଣିନୁ କି କଂସ ରାଜାର ପ୍ରତାପ, ମାଛି ପଡ଼ିଲେ ନବଖଣ୍ଡ’। ଉତ୍ତରରେ ବସୁଦେବ କୁହନ୍ତି ’ ନାରାୟଣ ନାରାୟଣ’ । ଉଗ୍ରସେନ ସଂଶୟରେ ପଚାରନ୍ତି ’ ଯଦି ନାରାୟଣ, ଦେଖା ତୋର ଶଙ୍ଖ ଚକ୍ର ଗଦା ପଦ୍ମ’। ପ୍ରଭୁଙ୍କୁ ଦେଖି ସାଷ୍ଟ୍ରାଙ୍ଗ ପ୍ରଣିପାତ କରନ୍ତି ଉଗ୍ରସେନ ।

ପରେ ପରେ ଘଣ୍ଟଘଣ୍ଟା, ବାଜା, କାହାଳୀ ଓ ମଶାଲ ଜଳାଇ ବସୁଦେବ ପ୍ରଭୁଙ୍କୁ ମନ୍ଦିରକୁ ବିଜେ କରିଥାନ୍ତି। ମଣ୍ଡଣୀ ସୁଆଁସୁଆଁ ସେବକଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଦୋଳିରେ ଆରମ୍ଭ ହୁଏ ଶ୍ରୀକୃଷ୍ଣଙ୍କ ନୀତିକାନ୍ତି। ଶିଶୁ କୃଷ୍ଣଙ୍କୁ କ୍ଷୀର ପାନ, କାନଫୋଡା ଆଦି ନୀତି ଓ ଉପଚାର ୧୦୮ କୋରା କରାଯାଇ ମନ୍ଦିର ପହୁଡ଼ କରାଯାଏ । ନନ୍ଦ ଉତ୍ସବରେ ଉତ୍ସବମୁଖର, ଭାବମୟ ହୋଇଉଠେ ପୂରା ସାକ୍ଷୀଗୋପାଳ ପରିବେଶ ।