କନକ ବ୍ୟୁରୋ : କୁହାଯାଏ ରାଜନୀତିରେ ନୀତି ବୋଲି କିଛି ନାହିଁ । ଯୁଦ୍ଧ ଆଉ ପ୍ରେମରେ ସବୁ ସମ୍ଭବ ହେଲା ଭଳି, ରାଜନୀତିରେ ମଧ୍ୟ ସବୁ ସମ୍ଭବ । ଶତ୍ରୁ ଏଠି ମିତ୍ର ହୁଏ, ମିତ୍ର ଏଠି ପରମ ଶତ୍ରୁ ପାଲଟିଯାଏ । ସେଥିପାଇଁ ତ କହନ୍ତି, ରାଜନୀତିରେ ନେତାଙ୍କର ଦେଖେଇବା ଦାନ୍ତ ଅଲଗା ଆଉ ଖାଇବା ଦାନ୍ତ ଅଲଗା । ଅର୍ଥାତ ନେତାମାନେ ଏଠି କେବଳ ଦେଖେଇ ହେବା ପାଇଁ ଶତ୍ରୁ ପାଲଟନ୍ତି, ଆଉ ପରଦାର ପଛରେ କୋଳାକୋଳି ହୁଅନ୍ତି ।

Advertisment

ବୁଧବାର ଭାରତୀୟ ରାଜନୀତିରେ ମଧ୍ୟ ସେମିତି କିଛି ଦୃଶ୍ୟ ସାମ୍ନାକୁ ଆସିଥିଲା ।  ଗୋଟିଏ ପଟେ ସଂସଦ ଭିତରେ କଂଗ୍ରେସ-ବିଜେପି ନେତା କଳି ଝଗଡ଼ା ଲାଗି ନୀତି, ନୈତିକତାର ପାଠପଢ଼ା ପଢ଼ି ହୋଇଥିଲେ । ଆଉ ଅନ୍ୟପଟେ ସଂସଦ ବାହାରେ କୋଳାକୋଳି ହୋଇଥିଲେ ବିଜେଡି-ବିଜେପି ନେତା ।

ସଂସଦରେ ଶାହ-ବେଣୁଗୋପାଳଙ୍କ ଶବ୍ଦ ଯୁଦ୍ଧ

ବୁଧବାର ସଂସଦରେ କେନ୍ଦ୍ର ସରକାରଙ୍କ ତରଫରୁ ନୂଆ ବିଲକୁ ଆଗତ କରୁଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏହି ବିଲରେ ନିୟମ ଅଛି ଯେ, ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ଯନ୍ତ ଯେ କୌଣସି ନେତା ଗିରଫ ହୋଇ ୩୦ଦିନ ଜେଲରେ ରହିଲେ ତାଙ୍କୁ ପଦରୁ ହଟିବାକୁ ପଡ଼ିବ । ଯାହାକୁ ନେଇ ଗତକାଲି ସଂସଦର ସ୍ଥିତି ସରଗରମ ରହିଥିଲା । କଂଗ୍ରେସ ନେତା କେସି ବେଣୁଗୋପାଳ ଏହି ପ୍ରସଙ୍ଗରେ ଅମିତ ଶାହାଙ୍କୁ ଶବ୍ଦର ତୀରରେ ଆକ୍ରମଣ କରିଥିବାବେଳେ, ଶାହ ମଧ୍ୟ ଛାଡ଼ିନଥିଲେ । 

୨୦୧୦ ମସିହାର ସୋହରାବୁଦ୍ଧିନ କେସ୍ କଥା ଉଠାଇ ଅମିତ ଶାହଙ୍କୁ ଟାର୍ଗେଟ୍ କରିଥିଲେ ବେଣୁଗୋପାଳ । ସେ ସମୟରେ ଅମିତ ଶାହ ଗୁଜରାଟର ଗୃହମନ୍ତ୍ରୀ ଥିଲେ , ଆଉ ସେ ସମୟରେ ଶାହ ନୈତିକତାର ପାଳନ କରିଥିଲେ କି? ବୋଲି ପ୍ରଶ୍ନ କରିଥିଲେ କେସି ବେଣୁଗୋପାଳ । ଯାହାର ପାଲଟା ଜବାବ ଦେଇଥିଲେ ଶାହ । ସାଙ୍ଗେ ସାଙ୍ଗେ ଶାହ ଠିଆ ହୋଇ କହିଥିଲେ,”ଗୋଟିଏ ମିଛ କେସରେ ଫସାଇବା ପରେ ମଧ୍ୟ ମୁଁ ଇସ୍ତଫା ଦେଇଥିଲି । ଜେଲରୁ ବାହାରିବା ପୂର୍ବରୁ ମଧ୍ୟ ମୁଁ କୌଣସି ସାମ୍ବିଧାନିକ ପଦ ସମ୍ଭାଳିନଥିଲି । ଆପଣ ମୋତେ ନୈତିକତା ଶିଖାଇବେ? ” ସଂସଦରେ ବୁଧବାର ନୂଆ ବିଲକୁ ନେଇ ବିରୋଧୀମାନେ ହୋ ହଲ୍ଲା କରିଥିଲେ । ଏମିତି କି ବିଲକୁ ଚିରି ଅମିତ ଶାହଙ୍କ ଉପରକୁ ଫିଙ୍ଗିଥିଲେ ବିରୋଧୀ ।

ସଂସଦ ବାହାରେ କଂଗ୍ରେସ-ବିଜେପି ନେତା କୋଳାକୋଳି

ସଂସଦରେ ବୁଧବାର ସକାଳୁ ଗୋଟିଏ ମଜାଦାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଅନେକ ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିଜେପି ନେତାଙ୍କୁ ଟାର୍ଗେଟ୍ କରିଥିବା ଆପଣ ଦେଖିଥିବେ । ହେଲେ ବୁଧବାର କିନ୍ତୁ ଅଚାନକ ରାହୁଲ ଗାନ୍ଧୀ ଜଣେ ବିଜେପି ନେତାଙ୍କୁ ଶୁଭେଚ୍ଛା ଦେବା ସହିତ ହାତ ମିଳାଉଥିବା ଦେଖିବାକୁ ମିଳିଥିଲା । ସେ ଥିଲେ ବିଜେପି ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜୀବ ପ୍ରତାପ ରୁଡ୍ଡୀ ।

ରାହୁଲ ଗାନ୍ଧୀ ଏହି ହାତ ମିଳାଇବାକୁ ‘ଅନକମନ୍ ହ୍ୟାଣ୍ଡସେକ୍’ ନାଁ ଦେବା ସହିତ ବିଜେପି ସାଂସଦଙ୍କୁ ‘କନଷ୍ଟିଚ୍ୟୁସନ୍ କ୍ଲବ୍ ଅଫ୍ ଇଣ୍ଡିଆ’ ସେକ୍ରେଟାରି ହେବା ନେଇ ଶୁଭେଚ୍ଛା ଜଣାଇଥିଲେ । ଯାହାକି ଚର୍ଚ୍ଚା ସୃଷ୍ଟି କରିଥିଲା । ଅନେକ ସମୟରେ ବିଜେପି ସାଂସଦଙ୍କୁ ବିଭିନ୍ନ ପ୍ରସଙ୍ଗରେ ଅକଳରେ ପକାଉଥିବା ରାହୁଲ, ହଠାତ୍ ଜଣେ ବିଜେପି ସାଂସଦଙ୍କ ସହ ହାତ ମିଳାଇ ତାଙ୍କୁ ଶୁଭେଚ୍ଛା ଦେବା ନିଶ୍ଚିତ ପକ୍ଷେ ନୂଆ ଥିଲା ।

ରାଜନୀତିକୁ ପାଖରୁ ଦେଖୁଥିବା ଲୋକମାନେ ଗତକାଲିର ଏହି ଦୁଇଟି ଦୃଶ୍ୟକୁ ରାଜନୈତିକ ଦୃଷ୍ଟିକୋଣରୁ ପୋଷ୍ଟମର୍ଟମ କରିଛନ୍ତି । ଯେଉଁଥିରେ ଗୋଟିଏ ପଟେ ଦୁଇ ନେତାଙ୍କ ଶବ୍ଦ ଯୁଦ୍ଧ ଦେଖିବାକୁ ମିଳୁଥିବାବେଳେ, ଅନ୍ୟପଟେ ଦୁଇ ନେତା  ହାତ ମିଳାଇଛନ୍ତି ।