କନକ ବ୍ୟୁରୋ;  ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟ ବିଧାନସଭାରେ ବିଜେପି ଉପରେ ତୀବ୍ର ଆକ୍ରମଣ କରିଛନ୍ତି । ମମତା ଅଭିଯୋଗ କରିଛନ୍ତି, ବିଜେପିର ଏକଛତ୍ରବାଦୀ ଓ ଉପନିବେଶବାଦୀ ମନୋଭାବ ରହିଛି ଏବଂ ସେମାନେ ବଙ୍ଗଳାକୁ ନିଜର ଉପନିବେଶ କରିବାକୁ ଚାହୁଛନ୍ତି । ମମତା କହିଛନ୍ତି, “ବିଜେପି ରାଜ୍ୟର ସ୍ୱାୟତ୍ତତା ଓ ସଂସ୍କୃତିକୁ ଧ୍ୱଂସ କରିବାକୁ ଚେଷ୍ଟା କରୁଛି । ବିଜେପି କେନ୍ଦ୍ରୀୟ ଶକ୍ତି ବ୍ୟବହାର କରି ବଙ୍ଗଳାକୁ ନିୟନ୍ତ୍ରଣ କରିବାକୁ ଚାହୁଛି । ବିଧାନସଭାରେ ଏକ ପ୍ରସ୍ତାବ ଆଲୋଚନା ସମୟରେ ମମତା ଏହି ମନ୍ତବ୍ୟ ଦେଇଛନ୍ତି, ଯେଉଁଥିରେ ସେ କେନ୍ଦ୍ର ସରକାରଙ୍କ ନୀତି ଓ ରାଜ୍ୟରେ ହସ୍ତକ୍ଷେପ ଉପରେ ପ୍ରଶ୍ନ ଉଠାଇଛନ୍ତି ।

Advertisment

ମମତା ଆହୁରି କହିଛନ୍ତି, ବଙ୍ଗଳାର ଜନତା ଏହାକୁ କେବେ ବରଦାସ୍ତ କରିବେ ନାହିଁ । ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବିଜେପିର ରାଜନୈତିକ କୌଶଳକୁ ଟାର୍ଗେଟ କରି ରାଜ୍ୟରେ ସେମାନଙ୍କ ପ୍ରଭାବ ବୃଦ୍ଧି ପାଇଁ ଚେଷ୍ଟାକୁ ବିରୋଧ କରିଛନ୍ତି । ସେପଟେ ବିଧାନସଭାରେ ହଟ୍ଟଗୋଳ ଯୋଗୁ ବିଜେପି ମୁଖ୍ୟ ସଚେତକ ଶଙ୍କର ଘୋଷ ଓ ଦଳର ବିଧାୟକଙ୍କୁ ମାର୍ଶାଲ ଲଗାଇ ଗୃହରୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ ବାଚସ୍ପତି । ଠେଲାପେଲା ଭିତରେ ବିଜେପି ବିଧାୟକ ଆହତ ହୋଇଛନ୍ତି ।  ବିଧାନସଭା ଅଧିବେଶନର ଅବଶିଷ୍ଟ ଦିନ ଲାଗି ବିଜେପି ମୁଖ୍ୟ ସଚେତକ ଶଙ୍କର ଘୋଷଙ୍କୁ ସସପେଣ୍ଡ କରାଯାଇଛି । ଏହାକୁ କଡ଼ା ଭାଷାରେ ନିନ୍ଦା କରିଛି  ବିଜେପି ।  ପ୍ରବାସୀ ବଙ୍ଗାଳୀଙ୍କ ଉପରେ ନିର୍ଯାତନା ନେଇ ଏକ ସରକାରୀ ପ୍ରସ୍ତାବ ଆଲୋଚନା ବେଳେ ପଶ୍ଚିମବଙ୍ଗ ବିଧାନସଭାରେ ପ୍ରବଳ ହଟ୍ଟଗୋଳ ହୋଇଥିଲା । ବିଜେପିକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଡ଼ା ସମାଲୋଚନା କରିବାରୁ ବିଜେପି ବିଧାୟକମାନେ ବିରୋଧ କରିଥିଲେ ।