କନକ ବ୍ୟୁରୋ : ସ୍ବଚ୍ଛତା ଅଭିଯାନ କାର୍ଯ୍ୟକ୍ରମରେ ସରକାର ଲକ୍ଷଲକ୍ଷ ଟଙ୍କା ଶ୍ରାଦ୍ଧ କରୁଛନ୍ତି । ହେଲେ ଖାଲି ସଚେତନତା କାର୍ଯ୍ୟକ୍ରମରେ ହିଁ ସ୍ବଚ୍ଛତା ଅଟକିଯାଇଥିବା ଭଳି ମନେ ହେଉଛି । ଡ୍ରେନେଜ୍ ଅବ୍ୟବସ୍ଥା କାରଣରୁ ଅସରାଏ ବର୍ଷାରେ ଜଗତସିଂହପୁର ସହରରେ ପାଣି ଜମୁଛି । ବର୍ଷା ଦିନ ଆସିଲେ ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ାଉଛି ସହରର ଡ୍ରେନେଜ୍ ବ୍ୟବସ୍ଥା । ସହରରେ ବର୍ଷା ଜଳ ନିଷ୍କାସନ ପାଇଁ ୩ଟି ଡ୍ରେନେଜକଟ୍ ଅଛି । ନାଗପୁର, ପାଣିସାଳିଆ ଓ ମାଧପୁର ଡ୍ରେନେଜକଟ୍ ରହିଛି । ପ୍ରାୟ ୧୮ଟି ୱାର୍ଡ ସମେତ ସହରର ମୁଖ୍ୟରାସ୍ତାରେ ଜମୁଥିବା ବର୍ଷା ଜଳ ନିଷ୍କାସନ କରେ । ହେଲେ ଏସବୁ ଡ୍ରେନେଜ୍ ଗୁଡ଼ିକ କେଉଁଠି ଜବରଦଖଲକାରୀଙ୍କ କବ୍ଜାରେ ତ ଆଉ କେଉଁଠି ଅଳିଆ ଆବର୍ଜନାରେ ଭର୍ତ୍ତି । କେତେକ ସ୍ଥାନରେ ରକ୍ଷଣାବେକ୍ଷଣ ଅଭାବରୁ ବଣ ବୁଦାରେ ପରିଣତ ହୋଇଛି ଡ୍ରେନ୍ ।
ଡ୍ରେନେଜ୍ ଅବ୍ୟବସ୍ଥା ପାଇଁ ସହରର ବର୍ଷା ଜଳ ନିଷ୍କାସନ ହୋଇପାରୁନି । ସପ୍ତାହ ସପ୍ତାହ ଧରି ପାଣି ଜମି ରହୁଛି । ଫଳରେ ମଶା, ମାଛିଙ୍କ ସଂଖ୍ୟା ବଢ଼ି ସଂକ୍ରମଣ ଆଶଙ୍କା ବଢ଼ିଯାଉଛି । ଅନ୍ୟପଟେ ଡ୍ରେନେଜ ଅଧିକ୍ଷଣ ଯନ୍ତ୍ରୀ କହିଛନ୍ତି ସଫେଇ କାର୍ଯ୍ୟ ଆରମ୍ଭ ହୋଇଛି, ମାସେ ମଧ୍ୟରେ ଶେଷହେବ । ଜଗତସିଂହପୁର ସଂଲଗ୍ନ ଜିଲ୍ଲାରେ ହଇଜା ପରି ମହାମାରୀ ମାଡୁଥିବା ବେଳେ ଅଳିଆ ଆବର୍ଜନା ପୂର୍ଣ୍ଣ ଡ୍ରେନେଜ ସଫାରେ କାହିଁକି ଡ୍ରେନେଜ ବିଭାଗ ବିଳମ୍ବ କରୁଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।