କନକ ବ୍ୟୁରୋ : କଟକ ସହରର ପ୍ରମୁଖ ସମସ୍ୟା ଡ୍ରେନ୍ । ପଙ୍କ କଢ଼ା ନଯିବାରୁ ଡ୍ରେନ୍‌ ସମସ୍ୟା ଦେଖାଦେଉଛି । କଟକ ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ଅପାରଗତାରୁ ଲୋକ ହିନସ୍ତା ହେଉଛନ୍ତି । ମହାନଗର ନିଗମରେ ମାଳମାଳ ଅଧିକାରୀ ଓ ଯନ୍ତ୍ରୀ ଅଛନ୍ତି ହେଲେ ଏ ସମସ୍ୟା ସ୍ଥାୟୀ ସମାଧାନ ହୋଇପାରୁ ନାହିଁ । 

Advertisment

ଆଗକୁ ଆସୁଛି ବର୍ଷାଋତୁ,ପରିସ୍ଥିତି କ’ଣ ହେବ ଜଳଜଳ ଦିଶିଲାଣି । ପଲିଥିନ୍, ପ୍ଲାଷ୍ଟିକ୍ ବୋତଲ, ଅନ୍ୟ ଅଳିଆ ଆବର୍ଜନା ଓ ପଙ୍କରେ ଡ୍ରେନ୍ ଭର୍ତ୍ତି ହୋଇରହିଛି । ଠିକ୍ ସମୟରେ ସଫା ନହେବାରୁ ଡ୍ରେନ୍ ପୋତି ହୋଇ ପାଣି ନିଷ୍କାସନ ହୋଇପାରୁନି । ବର୍ଷାଦିନେ କଟକ ସହରର ପରିମଳ ଓ ଜଳ ନିଷ୍କାସନ ସମସ୍ୟା ଅଣାୟତ୍ତ ହୋଇପଡ଼ିବ । ଅନେକ ସମୟରେ ବର୍ଷା ହେଲେ ଅଳିଆ ଆବର୍ଜନ ଘରେ ପଶୁଛି । ଏଥିପାଇଁ ମହାନଗର ନିଗମର ଢିଲାପଣକୁ କଟକ ସହରବାସୀ ଦାୟୀ କରିଛନ୍ତି ।  

କଟକ ସହରରେ ଡ୍ରେନଗୁଡ଼ିକ ବହୁବର୍ଷ ପୂର୍ବରୁ ପୁରୁଣା ବ୍ୟବସ୍ଥା ଅନୁସାରେ ତିଆରି ହୋଇଥିଲା । ପଙ୍କରେ ପୋତି ହେବାରୁ ଡ୍ରେନର ଜଳ ନିଷ୍କାସନ କ୍ଷମତା ହ୍ରାସ ପାଇଛି । ଓଡ଼ିଶା ପୌର ନିଗମ ନିୟମ ଅନୁଚ୍ଛେଦ ୨୮୭(୧) ଅନୁଯାୟୀ ସହରରୁ ଜଳ ନିଷ୍କାସନ ପାଇଁ ନୂଆ ଡ୍ରେନ ନିର୍ମାଣ, ମରାମତି ଏବଂ ରକ୍ଷଣାବେକ୍ଷଣ ଦାୟିତ୍ଵ ମହାନଗର ନିଗମ ଉପରେ ନ୍ୟସ୍ତ କରାଯାଇଛି । ସିଏମସି ଏସବୁ କରୁଥିଲେ ସୁଦ୍ଧା ସୁଚାରୁ ରୂପେ କରିପାରୁନଥିବା ଲୋକ ଅଭିଯୋଗ କରିଥିବା ବେଳେ ମେୟର ପ୍ରତିକ୍ରିୟା ରଖିଛନ୍ତି ।  ୨୦୧୫ରେ ସ୍ବତନ୍ତ୍ର ଭାବେ ଡ୍ରେନେଜ୍ ବିଭାଗ ଖୋଲିବା ଯୋଜନା ହୋଇଥିଲା କିନ୍ତୁ ଏଥିପାଇଁ ନଗର ଉନ୍ନୟନ ବିଭାଗ ଉପରେ ସିଏମ୍‌ସି କର୍ତ୍ତୃପକ୍ଷ ଚାପ ପକାଇ ପାରୁନାହାନ୍ତି । ଯାହା ଫଳରେ ଆଜି ଏଭଳି ଅବସ୍ଥା ହୋଇଛି ।