କନକ ବ୍ୟୁରୋ : ସିଏଜି ଅଡିଟ୍ ରିପୋର୍ଟ ଧରାଇଦେଲା ବ୍ରହ୍ମପୁର ମହାନଗର ନିଗମର ଅପାରଗତା । କୋଟିକୋଟି ଟଙ୍କା ବ୍ୟୟ ସତ୍ତ୍ୱେ ଡ୍ରେନେଜ୍ ବ୍ୟବସ୍ଥା ସଜଡ଼ା ଯାଇପାରିନାହି। ବାରମ୍ବାର ଟେଣ୍ଡର ହୋଇ ଘରୋଇ ସଂସ୍ଥା ମାଧ୍ୟମରେ କୋଟିକୋଟି ଟଙ୍କା ଅଯଥାରେ ଖର୍ଚ୍ଚ ହୋଇଛି। । ବ୍ରହ୍ମପୁର ସହରରେ ବର୍ଷା ଦିନ ତ ଦୂରର କଥା, ଖରାଦିନେ ମଧ୍ୟ ସାମାନ୍ୟ ବର୍ଷାରେ ଜଳବନ୍ଦୀ ସ୍ଥିତି ଉପୁଜୁଛି। ବସ୍ତି ଓ ତଳିଆ ଅଞ୍ଚଳ କଥା ତ ନକହିବା ଭଲ। ଗତବର୍ଷ ଅଗଷ୍ଟ ମାସରେ ଜଣେ ଶିଶୁ ନାଳରେ ଭାସିଯିବା ପରେ କର୍ତ୍ତୃପକ୍ଷଙ୍କ ତତ୍ପରତା ଦେଖିବାକୁ ମିଳିଥିଲା । ତା'ପରେ ଯଥା ପୂର୍ବ ତଥା ପର । ଏଥିପାଇଁ ବିଭାଗ- ବିଭାଗ ମଧ୍ୟରେ ସମନ୍ୱୟ ଅଭାବ ଓ ପୂର୍ବ ସରକାରଙ୍କ ଅବହେଳାକୁ ସହରବାସୀ ଦାୟୀ କରିଛନ୍ତି । ଗତ ୨୪ବର୍ଷରେ ଡ୍ରେନେଜ୍ ସମସ୍ୟାର ସମାଧାନ ଲାଗି ମାଷ୍ଟର ପ୍ଲାନ୍ ପ୍ରସ୍ତୁତ ହୋଇପାରିଲା ନାହିଁ। ଯାହାର ଦଶା ଏବେ ଭୋଗିବାକୁ ପଡୁଛି। ବାହାନା ଓ ସାପୁଆ ଭଳି ପ୍ରାକୃତିକ ନାଳ ଅବରୋଧ ଯୋଗୁ ବ୍ରହ୍ମପୁର ସହରରୁ ବର୍ଷାଜଳ ନିଷ୍କାସନ ହୋଇପାରୁନି ।
ସିଏଜି ରିପୋର୍ଟ ଅନୁସାରେ, ୨୦୧୨ରେ ଡ୍ରେନେଜ୍ ମାଷ୍ଟର ପ୍ଲାନ୍ ପାଇଁ ୭୦ ଲକ୍ଷ ଟଙ୍କା ଅଟକଳ କରି ଏକ ଏଜେନସିକୁ ଦାୟିତ୍ଵ ଦିଆ ଯାଇଥିଲା । କାମ ଅଧା ରହିବା ସହ ୧୪ ଲକ୍ଷ ଟଙ୍କା ଅଯଥା ଖର୍ଚ୍ଚ ହୋଇଛି । ୨୦୧୮ରେ ଓଡ଼ିଶା ବିପର୍ଯ୍ୟୟ ପୁନରୁଦ୍ଧାର ପ୍ରକଳ୍ପ ପାଣ୍ଠିରୁ ଟଙ୍କା ଦେଇ ଘରୋଇ କମ୍ପାନିକୁ ନିୟୋଜିତ କରାଯାଇଥିଲା। ଏହା ମଧ୍ୟ ହୋଇପାରିଲା ନାହିଁ । ୨୦୨୪ରେ ବିଇଏମ୍ସିକୁ ନଗର ଉନ୍ନୟନ ବିଭାଗ ୧୮ କୋଟି ଟଙ୍କା ଦେଇଛି ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ବିଧାନସଭାରେ କହିଛନ୍ତି । ପ୍ରଶ୍ନ ଉଠୁଛି, କାହିଁକି ହୋଇପାରୁନି କାମ? ସେପଟେ ବିଶେଷଜ୍ଞ ନଥିବାରୁ କ୍ୟାମେରା ଆଗରେ କିଛି କହିବାକୁ ବିଇଏମସି କମିଶନର ମନା କରିଛନ୍ତି । ରାଜ୍ୟରେ ସରକାର ବଦଳିଛି, ନୂଆ ସରକାର ବ୍ରହ୍ମପୁରର ଏହି ଦୀର୍ଘଦିନର ସମସ୍ୟାର ସମାଧାନ କରିବେ ବୋଲି ସହରବାସୀଙ୍କ ଆଶା ରଖିଛନ୍ତି ।
ବ୍ରହ୍ମପୁରରେ ଡ୍ରେନେଜ୍ ସମସ୍ୟା । ସିଏଜି ରିପୋର୍ଟ ଧରାଇଲା ଅପାରଗତା ।
କୋଟିକୋଟି ଟଙ୍କା ଖର୍ଚ୍ଚ ପରେ ବି ସୁଧୁରୁନି ଡ୍ରେନେଜ୍ । ଉଠିଲା ପ୍ରଶ୍ନ, କାହା ସ୍ୱାର୍ଥରେ କାମ କରୁଛି ବିଇଏମସି ।
/kanak/media/media_files/2025/02/27/F4T29DAcLKEqqZRgRuxI.jpg)