କନକ ବ୍ୟୁରୋ : ଭୁବନେଶ୍ୱର ବଡ଼ଗଡ଼ ୪୫ ନମ୍ବର ୱାର୍ଡ ଶବର ସାହିରେ ବିଏମସିର ଦାୟିତ୍ୱହୀନତା ପାଇଁ ସେହି ଅଞ୍ଚଳରେ ଏବେ ବାଟ ଚାଲି ହେଉନି । ମାସ ମାସ ଧରି ଅଧପନ୍ତରିଆ ଡ୍ରେନ କାମ ପାଇଁ ଏବେ ମଳ ଓ ନର୍ଦ୍ଦମା ପାଣି ଘରେ ପଶିଲାଣି । ଡ୍ରେନ କାମ ପାଇଁ ବାରମ୍ବାର ଗୁହାରୀ କରିବା ସତ୍ତ୍ୱେ ମଧ୍ୟ ବିଏମସି ନିଦାବିଷ୍ଣୁ ପାଲଟି ଯାଇଥିଲା । ଯାହାର ପରିଣାମ ଭୋଗୁଛନ୍ତି ଲୋକେ । ମାସ ମାସ ଧରି ଅଭିଯୋଗ କରି ନିରାଶ ହେବା ପରେ ବିଏମସି ଅଫିସର ମଧ୍ୟ ସମାନ ଅବସ୍ଥା କରିଛନ୍ତି ଶବର ସାହି ବାସିନ୍ଦା । ସିଟି ଇଞ୍ଜିନିୟରଙ୍କ ପ୍ରକୋଷ୍ଠରେ ପରିସ୍ରା କରି ପ୍ରତିବାଦ କରିଛନ୍ତି ବସ୍ତିବାସିନ୍ଦା ।
ବସ୍ତିବାସିନ୍ଦାଙ୍କ ଏଭଳି ପ୍ରତିବାଦ ଭିତରେ ମୁହଁ ଖୋଲିଛନ୍ତି ଭୁବନେଶ୍ୱର ମେୟର । କହିଛନ୍ତି, ଖୁବଶୀଘ୍ର ହେବ ଡ୍ରେନ ମରାମତି କାମ । ତେବେ ବିଏମସି ଅଫିସରେ ପ୍ରତିବାଦରକାରଙ୍କ ପରିସ୍ରା ପ୍ରସଙ୍ଗକୁ ଖଣ୍ଡନ କରି ସୁଲୋଚନା କହିଛନ୍ତି ଏଥିରେ ସତ୍ୟତା ନାହିଁ, ଘଟଣାକୁ ଅତିରଞ୍ଜିତ କରାଯାଉଛି ।
ଏସବୁ ଭିତରେ ବିଏମସିକୁ ଚେତାବନୀ ଦେବା ସହ ଡେଡଲାଇନ ଦେଇଛନ୍ତି ବସ୍ତିବାସିନ୍ଦା । ରବିବାର ସୁଦ୍ଧା କାମ କର ନଚେତ ମଙ୍ଗଳବାର ସମଦଶା ଭୋଗିବ ବୋଲି କହିଛନ୍ତି ।