କନକ ବ୍ୟୁରୋ :  ପାରମ୍ପରିକ ଚାଷ ଅପେକ୍ଷା ଏବେ ବିଦେଶୀ ଫଳ ଚାଷ କରିବାକୁ ଅଧିକାଂଶ ଚାଷୀ ପସନ୍ଦ କରୁଛନ୍ତି । ମିଆଜାକି ଆମ୍ବ, ଥାଇଲାଣ୍ଡ ପିଜୁଳି, ଥାଇଲାଣ୍ଡ କୋଳି ଭଳି ଡ୍ରାଗନ୍ ଫ୍ରୁଟସ୍ ମଧ୍ୟ ଆମ ରାଜ୍ୟରେ ଭଲ ଚାଷ ହେଉଛି । କେନ୍ଦ୍ରାପଡ଼ା, କଳାହାଣ୍ଡି, ଢେଙ୍କାନାଳ, କଟକ ପରେ ଏବେ ବ୍ରହ୍ମପୁର ଉପକଣ୍ଠ ତଟାପଲ୍ଲୀର ଇପାରୀ ବୁଲୁ ରାଓ ଡ୍ରାଗନ ଫ୍ରୁଟ୍ସ ଚାଷ କରି ସଫଳ ହୋଇଛନ୍ତି ୨ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ଏହି ଚାଷ ଏବେ ଭଲ ଅମଳ ଦେଉଛି । ମାସିକ ପ୍ରାୟ ୪୦ ହଜାର ଟଙ୍କା ଲାଭ ପାଉଛନ୍ତି ବୁଲୁ । ଏହାଦ୍ବାରା ସେ ନିଜେ ରୋଜଗର କରିବା ସହ ୫ ଜଣଙ୍କୁ ନିଯୁକ୍ତି ସୁଯୋଗ ଦେଇଛନ୍ତି ।  

Advertisment

 ବର୍ଷକରେ ୬ ମାସ ଏହି ଫଳ ଫଳିଥାଏ । ପ୍ରତିବର୍ଷ ଏପ୍ରିଲ ମାସ ଠାରୁ ଜୁଲାଇ ମାସ ପର୍ଯ୍ୟନ୍ତ ଫଳ ଆସିଥାଏ । ଥରେ ଗଛ ଲଗାଇଲେ ୨୦ରୁ ୩୦ ବର୍ଷ ପର୍ଯ୍ୟନ୍ତ  ଫଳ ଫଳେ । ଗଛ ଲଗାଇ ଉପଯୁକ୍ତ ଯତ୍ନ ନେଲେ ୪ ବର୍ଷ ପରେ ଭଲ ଫଳ ବାହାରିଥାଏ । ମାଟିରେ ଚାରା  ରୋପଣ କରିବା ପରେ ଗଛକୁ ସାହାଯ୍ୟ କରିବା ପାଇଁ ଏଥିରେ ସିମେଂଟ ଖୁଂଟି କରିବାକୁ ପଡ଼ିଥାଏ । ଅମଳ ହେଉଥିବା ଫଳକୁ ଗଞ୍ଜାମ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲା ଓ ଆନ୍ଧ୍ରପ୍ରଦେଶକୁ ବିକ୍ରି ପାଇଁ ପଠାଉଛନ୍ତି ବୁଲୁ । 

 ବିଶେଷ କରି ଦୁଇ ପ୍ରକାରର ଡ୍ରାଗନ ଫଳ ରହିଛି । ଧଳା ଓ ଗୋଲାପି ରଙ୍ଗର ଡ୍ରାଗନ ଫ୍ରୁଟ୍ସ ଚାଷ କରିଛନ୍ତି ବୁଲୁ । ଧଳା ଡ୍ରାଗନ ଫ୍ରୁଟ୍ସ ଅପେକ୍ଷା ଗୋଲାପି ରଙ୍ଗ ଫଳର ଅଧିକ ଚାହିଦା ରହିଛି ।