କନକ ବ୍ୟୁରୋ: ଦୁବାଇ ଗଲା ଓଡ଼ିଶା ଉତ୍ପାଦିତ ଡ୍ରାଗନ୍ ଫ୍ରୁଟ୍। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓଙ୍କ ଚାଷ ଜମିରୁ ଉତ୍ପାଦିତ ଡ୍ରାଗନ୍ ଦୁବାଇ ପଠାଯାଇଛି । ଓଡ଼ିଶାରେ ଏହା ପ୍ରଥମଥର ଦେଖିବାକୁ ମିଳିଛି । କୃଷି ଓ କୃଷକକୁ ଗୁରୁତ୍ୱ ଦେଉଥିବା ସରକାରରେ ଦେଖିବାକୁ ମିଳିଛି ଏଭଳି ଉଦାହରଣ । ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ ନିଜେ ଜଣେ ଗର୍ବିତ ଚାଷୀ ଭାବେ ନିଜକୁ ପରିଚୟ ଦେଇଛନ୍ତି । କୋଭିଡ୍ ସମୟରୁ ସେ ଏହି ଚାଷ କରିଥିବା କଥା କହିଛନ୍ତି । ଭୁବନେଶ୍ୱର ବିମାନବନ୍ଦରରୁ ଆଜି ଏହା ଦୁବାଇକୁ ରପ୍ତାନୀ ହୋଇଛି ।

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ବଲାଙ୍ଗୀର ଓ ପାଟଣାଗଡ଼ ଚାଷ ଜମିରୁ ଉତ୍ପାଦିତ ହୋଇଥିବା ଫଳକୁ ପଠାଯାଇଛି । ୩ ବର୍ଷ ତଳୁ କନକ ବର୍ଦ୍ଧନ ଏହି ଫଳ ଚାଷ କରୁଥିବା କହିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହା ସପୂର୍ଣ ଜୈବିକ ପଦ୍ଧତିରେ ଚାଷ କରାଯାଇଛି । ୨୦୨୧ରୁ ଆରମ୍ଭ ହୋଇ ଏପର୍ୟ୍ୟନ୍ତ ଚାଲିଛି । ଇଣ୍ଟରନେଟ୍ ମାଧ୍ୟମରେ ଏହି ଚାଷ ପଦ୍ଧତି ମଧ୍ୟ ଜାଣିବାକୁ ପାଇଥିଲେ ବୋଲି କୃଷିମନ୍ତ୍ରୀ କହିଛନ୍ତି । ଏହି ବର୍ଷ ୬୦ କୁଇଣ୍ଟାଲ ଫଳ ବାହାରିଛି ।

ଗତବର୍ଷ ଏହି ଫଳ ୩ ମାସ ଷ୍ଟୋରେଜ ହୋଇ ରହିପାରିଥିଲା । କ୍ୟାନ୍ସର ଓ ଡାଇବେଟିସ ରୋଗୀଙ୍କ ପାଇଁ ଏହି ଫଳ ବେଶ ଉପକାରୀ । ରାଜନୀତି କରିବା ଭିତରେ ବି ଚାଷ କରୁଥିଲେ ବୋଲି ମନ୍ତ୍ରୀ କନକ ବର୍ଦ୍ଧନ ଗର୍ବର ସହ କହିଛନ୍ତି । ସମସ୍ତେ ନିଜ ସ୍ୱାସ୍ଥ୍ୟକୁ ଭଲ ରଖିବା ପାଇଁ ଅର୍ଗାନିକ ଚାଷ କରିବା ଦରକାର ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ଆଜି ପାଖାପାଖି ୪ କୁଇଣ୍ଟାଲ ଡ୍ରାଗନ ଫଳ ଏକ୍ସପର୍ଟ ହୋଇଛି ।