କନକ ବ୍ୟୁରୋ: ହରିୟାଣାର ଫରିଦାବାଦରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ଦେଢ଼ ବର୍ଷ ପୂର୍ବେ ଉତ୍ତର ପ୍ରଦେଶ ଶିକୋହାବାଦରେ ତନୁ ନାମକ ଯୁବତୀ ହରିୟାଣା ଫରିଦାବାଦ ରେସନନଗରରେ ରହୁଥିବା ଅରୁଣ ସିଂହଙ୍କୁ ବିବାହ କରିଥିଲେ । କିନ୍ତୁ ବିବାହର କିଛି ମାସ ପରେ ହିଁ ତନୁଙ୍କ ଉପରେ ଅତ୍ୟାଚାର କରିବା ଆରମ୍ଭ କରିଦେଇଥିଲେ ତାଙ୍କ ଶ୍ୱଶୁର ଘର ଲୋକେ । ତନୁଙ୍କ ଉପରେ ବାପଘରୁ ଯୌତୁକ ଟଙ୍କା ଓ ଗହଣା ଆଣିବାକୁ ଚାପ ପକାଉଥିଲେ । ଏହାପରେ ତନୁ ନିଜ ବାପ ଘରକୁ ଫେରି ଆସିଥିଲେ । ପ୍ରାୟ ବିବାହର ଏକ ବର୍ଷ ପର୍ଯ୍ୟନ୍ତ ସେ ନିଜ ବାପ ଘରେ ହିଁ ରହୁଥିଲେ । 

Advertisment

ପାରିବାରିକ କଳହ ଲାଗିଥିବାରୁ ତନୁ ଓ ଅରୁଣଙ୍କ ପରିବାର ପଞ୍ଚାୟତରେ ବୁଝାମଣା କରିବାକୁ ମନସ୍ତ କରିଥିଲେ । ଏହାପରେ ତନୁଙ୍କୁ ତାଙ୍କ ଶ୍ୱଶୁରଘର ଲୋକେ ଫେରାଇ ନେଇଥିଲେ । କିନ୍ତୁ କିଛିଦିନ ପରେ ପୁଣି ତନୁଙ୍କ ଉପର ଅତ୍ୟାଚାର ଆରମ୍ଭ କରିଦେଇଥିଲେ ବୋଲି ପୁଲିସ ନିକଟରେ ତାଙ୍କ ଭଉଣୀ କହିଛନ୍ତି । ଏହାରି ଭିତରେ ଦୁଇମାସ ପୂର୍ବେ ତନୁ କେଉଁଆଡ଼େ ନିଖୋଜ ହୋଇଯାଇଥିବା ନେଇ ସୂଚନା ଦେଇଥିଲେ ଶ୍ୱଶୁରଘର ଲୋକେ । ସନ୍ଦେହ ହେବାରୁ ତନୁଙ୍କ ପରିବାର ଲୋକେ ସ୍ଥାନୀୟ ନବୀନ ନଗର  ଥାନାରେ ଅଭିଯୋଗ କରିଥିଲେ । ଛାନଭିନ୍‌ ବେଳେ ରେସନ ନଗର କିଛି ଲୋକ ଏକ ସୂଚନା ଦେଇଥିଲେ । ଏପ୍ରିଲ ୨୩ ତାରିଖରେ ଅରୁଣ ଓ ତାଙ୍କ ବାପା ସାହି ଭିତରେ ଥିବା ଆଉ ଏକ ଗଳିରେ ଏକ ବଡ଼ଗାତ ଖୋଳିଥିଲେ ।

ଏହାକୁ ନେଇ ପଚରାଉଚରା ବେଳେ ଉଭୟ କହିଥିଲେ ଯେ ଘରୁ ବାହାରୁଥିବା ଖରାପ ପାଣି ପାଇଁ ଏହି ଗାତ ଖୋଳୁଛନ୍ତି । କିନ୍ତୁ ଗାତ ଖୋଳିବାର ଗୋଟିଏ ଦିନ ପରେ ଏହାକୁ ସିମେଣ୍ଟ କଂକ୍ରିଟ୍‌ କରିଦେଇଥିଲେ । ଏହାପରେ ଏପ୍ରିଲ ୨୫ ତାରିଖରେ ତନୁ ନିଖୋଜ ହେବା ସୂଚନା ଦେଇଥିଲେ । ପୁଲିସ ଆଜି(ରବିବାର) ଏହି ସ୍ଥାନକୁ ପୁଣି ଖୋଳିବା ପରେ ସେଠାରୁ ତନୁଙ୍କ ଗଳିତ ମୃତଦେହ ଠାବ ହୋଇଛି । ଏହାପରେ ପୁଲିସ ତନୁଙ୍କ ଶାଶୂ ଶ୍ୱଶୁର ଓ ସ୍ୱାମୀଙ୍କ ସହ ମୋଟ ୪ ଜଣଙ୍କୁ ଗିରଫ କରିଛି । ମୃତଦେହକୁ ଫରେନ୍ସିକ ଯାଞ୍ଚ ପାଇଁ ପଠାଯାଇଛି ।