କନକ ବ୍ୟୁରୋ : ପୁଣି ଯୌତୁକ ଯୋଗୁ ହତ୍ୟା । ମୃତ ମହିଳାଙ୍କ ପରିବାର ଥାନାରେ ଦେଲେ ଏତଲା । ଘଟଣା ନେଇ ଭୋଗରାଇ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଶାଶୁଘର ଲୋକେ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଉଥିବା ନେଇ ଭୋଗରାଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମୃତ ମହିଳାଙ୍କ ବାପା । ସେପଟେ ଘଟଣାକୁ ପୁଲିସ ଗୁରୁତର ସହ ନେଇଥିବା ବେଳେ ଗତକାଲିଠାରୁ ହସ୍ପିଟାଲରେ ପଡ଼ିରହିଛି ମୃତଦେହ । ଫରେନସିକ ଟିମ ଉପସ୍ଥିତିରେ ହେବ ଶବ ବ୍ୟବଛେଦ । ସେପଟେ ମୃତକଙ୍କ ଶାଶୁ,ଶ୍ବଶୁର,ସ୍ୱାମୀ ଘରେ ତାଲା ପକାଇ ଛୁ’ ମାରିଛନ୍ତି । ବାଲେଶ୍ୱର ଭୋଗରାଇ ହାଟସରିଷା ଗାଁର ବିଜୟ ସାମଲ ମହାନ୍ତି ପଡ଼ିଆର ମୌସୁମୀଙ୍କୁ ୫ ମାସ ହେଲା ବିବାହ କରିଥିଲେ । ସବୁକିଛି ଠିକ୍ ଥିଲା । ଦ୍ବିପ୍ରହର ସମୟରେ ଘରେ କେହି ନଥିବା ବେଳେ ମୌସୁମୀଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ଅଚେତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଜଳେଶ୍ଵରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଡ଼ାକ୍ତର ମୌସୁମୀଙ୍କୁ ମୃତ ଘୋଷଣା କରିଥିଲେ । ବାପା ବ୍ରଜ ଗୋପାଳ ଭୋଗରାଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।