କନକ ବ୍ୟୁରୋ: ବିହାରରୁ ଦିଲ୍ଲୀ ଯାଉଥିବା ଏକ ଡବଲ-ଡେକର ବସ୍ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଭୟଙ୍କର ଦୁର୍ଘଟଣାରେ ଦୁଇ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି, ଯେଉଁଥିରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଉଛି । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।

Advertisment

ପୁଲିସ କହିଛି ଯେ ଇଟାୱାର ସୈଫାଇ ଥାନା ଅଞ୍ଚଳ ଅନ୍ତର୍ଗତ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଏହି ଦୁର୍ଘଟଣା ଘଟିଛି । ପ୍ରାରମ୍ଭିକ ତଦନ୍ତରେ ଅନୁମାନ କରାଯାଉଛି ଯେ ଡ୍ରାଇଭର ଶୋଇପଡ଼ିବାରୁ ବସ୍ ନିୟନ୍ତ୍ରଣ ବାହାରକୁ ଚାଲିଗଲା, ଆଉ ରେଲିଙ୍ଗ୍ ଭାଙ୍ଗି ରାସ୍ତା ତଳକୁ ଖସି ପଡ଼ିଲା । ଦୁର୍ଘଟଣା ସମୟରେ ବସ୍‌ରେ ୭୦ରୁ ଅଧିକ ଯାତ୍ରୀ ଥିଲେ, ଯେଉଁଥିରୁ ୨ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୪୦ ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ଆହତଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଉଛି ।

ପୁଲିସର ସୂଚନା ଅନୁଯାୟୀ, ମୃତକଙ୍କ ମଧ୍ୟରେ ଜଣେ ମହିଳା ଏବଂ ଜଣେ ପୁରୁଷ ଅଛନ୍ତି । ମୃତ ମହିଳା ନେପାଳର ବାସିନ୍ଦା ସୈଦା ଖାତୁନ୍ ଏବଂ ମୃତ ପୁରୁଷଙ୍କ ଦରଭଙ୍ଗାର ବାସିନ୍ଦା ୫୫ ବର୍ଷୀୟ ମନୋଜ କୁମାର ବୋଲି ଚିହ୍ନଟ କରାଯାଇଛି । ଦୁର୍ଘଟଣାରେ ଆହତ ସମସ୍ତ ଯାତ୍ରୀଙ୍କୁ ସୈଫାଇ ମେଡିକାଲ୍ ବିଶ୍ୱବିଦ୍ୟାଳୟରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ସେମାନଙ୍କର ଚିକିତ୍ସା ଚାଲିଛି । 

ସେହିପରି ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ଇଟାୱାର ଡିଏମ-ଏସଏସପିଙ୍କ ସମେତ ଅନେକ ଉଚ୍ଚ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମାମଲା ବିଷୟରେ ସୂଚନା ନେଉଛନ୍ତି ।