କନକ ବ୍ୟୁରୋ : ନିକଟରେ ତାମିଲନାଡୁର ସମୁଦ୍ର ତଟରେ ଏକ ବିରଳ ପ୍ରଜାତିର ମାଛ ଦେଖିବାକୁ ମିଳିଥିଲା । ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ଜଣେ ମତ୍ସ୍ୟଜୀବୀଙ୍କ ଜାଲରେ ୩୦ ମିଟର ଲମ୍ବର ଏକ ମାଛ ପଡ଼ିଥିଲା । ଏହି ମାଛକୁ ‘ଓରଫିସ୍’ ବା ‘ଡୁମ୍ସଡ଼େ ଫିସ୍’ ବୋଲି କୁହାଯାଏ । ତେବେ ଆପଣ ଭାବୁଥିବେ ଏଥିରେ ନୂଆ କଥା କ’ଣ ଅଛି ସମୁଦ୍ରରୁ ମାଛ ବାହାରିବନି ତ ଆଉ କ’ଣ ବାହାରିବ ? କିନ୍ତୁ ଏହି ମାଛ କୌଣସି ସାଧାରଣ ମାଛ ନୁହେଁ, ଜାପାନ ଏବଂ ଫିଲିପିନ୍ସ ସମେତ କିଛି ଏସିଆ ଦେଶରେ ମାନ୍ୟତା ରହିଛି କି ଯଦି ଜାଲରେ ଓରଫିସ୍ ମାଛ ଫସେ ତେବେ ଏହା ଦୁନିଆ ପାଇଁ ଅଶୁଭ ସଂକେତକୁ ସୂଚାଏ । ତେବେ ଏହି ମାଛକୁ ଚଳିତବର୍ଷ ମେକ୍ସିକୋ ସମେତ ଅନେକ ଦେଶରେ ଦେଖିବାକୁ ମିଳିଛି । ବୈଜ୍ଞାନିକଙ୍କ ଭାଷାରେ ଏହି ମାଛକୁ ‘ରିଗଲେକ୍ସ ଗ୍ଲେସନେ’ ବୋଲି କୁହାଯାଏ । ଏହାକୁ ଦୁନିଆର ସବୁଠାରୁ ଲମ୍ବା ହାଡ଼ ଥିବା ମାଛ ବୋଲି ମଧ୍ୟ କୁହାଯାଏ ।
/filters:format(webp)/kanak/media/media_files/2025/06/21/doomsday-fish-in-tamil-nadu-2025-06-21-07-11-53.jpg)
ଜାପାନ ଲୋକଙ୍କ କହିବାନୁସାରେ ଏହି ଓରଫିସ୍ ସମୁଦ୍ର ତଟ ଉପରକୁ ବହୁତ କ୍ବଚିତ ସମୟରେ ହିଁ ଆସିଥା’ନ୍ତି । ଗଭୀର ସମୁଦ୍ର ଭିତରେ ୨୦୦ ରୁ ୧୦୦୦ ମିଟର ତଳେ ଏହି ମାଛର ବାସ । ଯେତେବେଳେ ସମୁଦ୍ର ଜଳର ତାପମାନରେ ପରିବର୍ତ୍ତନ ଦେଖାଦିଏ ସେତେବେଳେ ହିଁ ଏହି ମାଛ ଉପରସ୍ତରକୁ ଆସିଥାଏ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଡୁମ୍ସଡ଼େ ଫିସ୍ ଗଭୀର ସମୁଦ୍ରର ନିମ୍ନ ଭାଗରେ ରହିଥାଏ । ତେଣୁ ଭୂଗର୍ଭରେ ପରିବର୍ତ୍ତନ ଦେଖାଯିବା ପୂର୍ବରୁ ହିଁ ଏହା ସମୁଦ୍ରର ଉପରିଭାଗକୁ ଚାଲିଆସେ । ଯେମିତିକି କଇଁଛ ସୁନାମି ଆସିବା ପୂର୍ବରୁ ସମୁଦ୍ରରେ ନିଜ ଠିକଣା ଛାଡ଼ି ଦୂରକୁ ଚାଲିଯା’ନ୍ତି । ୨୦୧୯ ରେ ପ୍ରଶାନ୍ତ ମହାସାଗରର ଅଧ୍ୟୟନକୁ ଯଦି ଦେଖିବା ଓରଫିସ୍ ସହ ଭୂମିକମ୍ପର ସିଧା ସାମଞ୍ଜସ୍ୟର କୌଣସି ପ୍ରମାଣ ମିଳେ ନାହିଁ । କିନ୍ତୁ ବୈଜ୍ଞାନିକଙ୍କ ମତରେ ସମୁଦ୍ର ଜୀବ ଭୂଗର୍ଭର ପରିବର୍ତ୍ତନକୁ ଶୀଘ୍ର ଜାଣିପାରନ୍ତି । ଜାପାନର ଲୋକ ଏହାକୁ ‘ପ୍ରଳୟର ମାଛ’ ବୋଲି ମଧ୍ୟ କୁହନ୍ତି ।
ଭାଇରାଲ୍ ହେଉଥିବା ଭିଡ଼ିଓରେ ୬ ରୁ ୭ ଜଣ ମତ୍ସ୍ୟଜୀବୀ ବଡ଼ ମାଛଟିକୁ ହାତରେ ଧରିଥିବାର ନଜର ଆସୁଛନ୍ତି । ତେବେ ଚଳିତବର୍ଷ ଆରମ୍ଭରୁ ଅଷ୍ଟ୍ରେଲିଆର ତସମାନିୟାରେ ୩ ମିଟର ଲମ୍ବର ଏକ ମୃତ ଓରଫିସ୍ ଦେଖିବାକୁ ମିଳିଥିଲା । ଫେବୃଆରୀରେ ମେକ୍ସିକୋରେ ମଧ୍ୟ ଏହି ମାଛ ଦେଖିବାକୁ ମିଳିଥିଲା । ତେବେ ତାମିଲନାଡୁରେ ଏହି ମାଛକୁ ନେଇ ଏବେ ଲୋକ ଚିନ୍ତିତ ରହିଛନ୍ତି କିନ୍ତୁ ପ୍ରଶାସନ ଗୁଜବକୁ ବିଶ୍ବାସ ନକରି ବୈଜ୍ଞାନିକ ତଥ୍ୟ ଉପରେ ଭରସା କରିବା ପାଇଁ ଲୋକଙ୍କୁ ଅପିଲ୍ କରୁଛନ୍ତି ।
ବି.ଦ୍ର : ଜାତୀୟ ଗଣମାଧ୍ୟମରୁ ଏହି ଖବର ପ୍ରକାଶିତ ହୋଇଛି , କୌଣସି ଅନ୍ଧବିଶ୍ବାସକୁ କନକ ନ୍ୟୁଜ୍ ପ୍ରୋତ୍ସାହନ ଦିଏ ନାହିଁ ।