କନକ ବ୍ୟୁରୋ : ଜୟପୁର ହସ୍ପିଟାଲର ଅବ୍ୟବସ୍ଥା ସୁଧୁରିବାର ନାଁ ନେଉନି। ଏହାକୁ ନେଇ ତେଜିଛି ରାଜନୀତି । ଡାକ୍ତର ରେଫର କଲେ କଡ଼ା କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି ବିରୋଧୀ । ଅଭିଯୋଗ ନୁହେଁ ସହଯୋଗ କରିବାକୁ ଅପିଲ କରିଛନ୍ତି ଶାସକ ଦଳର ବିଧାୟକ । କିଏ ବାରଣ୍ଡାରେ ତ ଆଉ କିଏ ଖଟିଆ ତଳେ । କାହାକୁ ରେଫର କରାଯାଉଛି ତ ଆଉ କାହାକୁ ମିଳୁନି ଉତ୍ତମ ଚିକିତ୍ସା । ଡାକ୍ତରଙ୍କୁ ଦେଖାଇବା ପାଇଁ ରୋଗୀଙ୍କୁ ଘଣ୍ଟା ଘଣ୍ଟା ଧରି ଧାଡିରେ ଛିଡ଼ା ହେବାକୁ ପଡୁଛି । ଏଭଳି ମାଳ ମାଳ ଅଭିଯୋଗ ନେଇ ଗତି କରୁଛି କୋରାପୁଟ ଜୟପୁର ସ୍ଥିତ ମୁଖ୍ୟ ଚିକିତ୍ସାଳୟ । ନା ବ୍ୟବସ୍ଥାର ପରିବର୍ତ୍ତନ ହେଉଛି ନା କିଛି ସୁଧାର ଆସୁଛି।  ବାରମ୍ବାର ଅଭିଯୋଗ ପରେ ବି, ୧୫୬ଟି ଡାକ୍ତର ପଦବି ରହିଥିଲେ ବି ଅଛନ୍ତି ମାତ୍ର ୪୮ଜଣ । ଖାଲି ପଡ଼ିଛି ୧୦୮ ଡାକ୍ତରୀ ପଦବି । ସେହିପରି ୧୧୫ ନର୍ସିଂ ପଦବି ଥିବାବେଳେ ଖାଲି ପଡିଛି ୫୧ । ଏମଆରଆଇ, ସିଟିସ୍କାନ ମେସିନ ବି ନାହିଁ । ଯାହାଫଳରେ ହନସନ୍ତ ହେଉଛନ୍ତି ରୋଗୀ । ସମସ୍ୟାର କେମିତି ସମାଧାନ ହେବ, ତା ଉପରେ ନଜର ଦେବେ କହିଛନ୍ତି ଜିଲ୍ଲାପାଳ । 

Advertisment

ହସ୍ପିଟାଲର ଏଭଳି ସ୍ଥିତିକୁ ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ । ପାର୍ଲାମେଣ୍ଟରେ ଉଠାଇବେ ବୋଲି କହିଛନ୍ତି କୋରାପୁଟ ସାଂସଦ । ସେହିପରି ସୁବିଧା ଥାଇ ବି ଅନ୍ୟ ମେଡିକାଲକୁ ଡାକ୍ତରମାନେ ରେଫର କରୁଥିବାରୁ ତାଗିଦ କରିଛନ୍ତି ଜୟପୁର ବିଧାୟକ । ତେବେ ଚିଠି ନଲେଖି ଜଣାଇବାକୁ କହିଛନ୍ତି ବିଜେପି ବିଧାୟକ । ଜୟପୁର ସମେତ ଅନେକ ଅଞ୍ଚଳର ଲୋକ ଏହି ହସ୍ପିଟାଲ ଉପରେ ନିର୍ଭର କରନ୍ତି । ତଥାପି ଏହି ହସ୍ପିଟାଲରେ ଏତେ ସଂଖ୍ୟାରେ ଡାକ୍ତର ପଦବୀ ଖାଲି ପଡିବା ସ୍ବାସ୍ଥ୍ୟ ବ୍ୟବସ୍ଥାର ଆନ୍ତରିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।