କନକ ବ୍ୟୁରୋ : ଜମିକୁ ପାଣି ମିଳିବ , ଭଲ ଫସଲ ହେବ ବୋଲି ଭାବି ଡ୍ୟାମ୍‌ ନିର୍ମାଣ ପାଇଁ ନିଜ ଜମି ଦେଇଦେଲେ । ହେଲେ ପାଣି ମିଳିଲା ନାହିଁ । ଡ୍ୟାମ୍‌ର ପାଣି ତଳିଆ ଅଞ୍ଚଳର ରହୁଥିବା ଗାଁକୁ ଯାଉଥିବା ବେଳେ ଡ୍ୟାମ୍‌ ପାଇଁ ଜମି ଦେଇଥିବା ଲୋକ ମୁଣ୍ଡରେ ହାତ ଦେଇ ବସିଛନ୍ତି । ରାୟଗଡ଼ା ଜିଲ୍ଲାର ବିଷ୍ଣୁଗୁଡ଼ା ଡ୍ୟାମ୍‌ । ଟେଣ୍ଟାଲିଗୁଡ଼ାରେ ନିର୍ମିତ ଏହି ଡ୍ୟାମ୍‌ରେ ପାଣି ଅଛି, ହେଲେ ଦୀପ ତଳ ଅନ୍ଧାର ପରି ଡ୍ୟାମ୍‌ ନିକଟ ଚାଷ ଜମିରେ ପହଞ୍ଚିପାରୁ ନି। ଜମିରେ ଗାଈଗୋରୁ ଚରୁଛନ୍ତି । ବର୍ଷା ହେଲେ ଚାଷ ହେଉଛି, ନହେଲେ ନାହିଁ । ଏ ସମସ୍ୟା ଆଜିର ନୁହେଁ । ୨୪ ବର୍ଷ ଧରି ଅସୁବିଧା ଭୋଗୁଛନ୍ତି ଚାଷୀ । ବାରମ୍ବାର ଜିଲ୍ଲା ପ୍ରଶାସନ, ନେତା, ମନ୍ତ୍ରୀଙ୍କୁ ଦୁଃଖ ଜଣାଇ ଥକିଗଲେଣି, ହେଲେ ଦୁଃଖ ସରୁନି । 

Advertisment

ବିଷ୍ଣୁଗୁଡ଼ା ଗାଁରେ ଜମି ନମିଳିବାରୁ ୨ କିମି ଦୂର ଟେଣ୍ଟାଲିଗୁଡ଼ାରେ ଡ୍ୟାମ୍‌ ନିର୍ମାଣ ହୋଇଛି । ଡ୍ୟାମ୍‌ ହେଲେ ଭଲ ଫସଲ ହେବ ଭାବି ଜମି ଦେଇଥିଲେ ଚାଷୀ । ୨୦୦୧ରେ ୩ କୋଟି ୨୦ଲକ୍ଷ ଟଙ୍କା ବ୍ୟୟରେ ଡ୍ୟାମ୍‌ ନିର୍ମାଣ ହୋଇଛି । ମରାମତି ବାବଦରେ ୧ କୋଟି ୭୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇସାରିଛି । ୧୨ଟି ଗାଁର ୬୦୦ ହେକ୍ଟର ଚାଷ ଜମିକୁ ଜଳସେଚିତ କରିବାକୁ ଲକ୍ଷ୍ୟ ରହିଥିଲା । କିନ୍ତୁ ମାତ୍ର ୫ଟି ଗାଁକୁ ଅନ୍ୟ ଗାଁର ଚାଷୀମାନେ ପାଣି ପାଉନାହାନ୍ତି। ଜମିକୁ ପାଣି ନମିଳିବାରୁ କିଛି ଚାଷୀ କପା ଓ ମାଣ୍ଡିଆ ଚାଷ କରୁଛନ୍ତି । ଆଉ ଅଧିକାଂଶ ଚାଷୀ ପେଟ ପାଟଣା ପାଇଁ ଦାଦନ ଖଟିବାକୁ ଚାଲିଯାଉଛନ୍ତି ।