କନକ ବ୍ୟୁରୋ : ଆଉ ଭତ୍ତା ପାଇଁ ପଞ୍ଚାୟତ ଯିବେ ନାହିଁ ଡଙ୍ଗରିଆ ଜନଜାତି । ଘରକୁ ଆସି ଦୁଆର ମୁହଁରେ ଭତ୍ତା ଟଙ୍କା ଦେବ ପ୍ରଶାସନ । ରାୟଗଡ଼ା ବିଷମକଟକ ବ୍ଲକର ନିୟମଗିରି କୁର୍ଲି ପଞ୍ଚାୟତର ଘର ଘର ବୁଲି ହିତାଧିକାରୀଙ୍କୁ ଭତ୍ତା ଦେଇଛନ୍ତି ଖୋଦ ଜିଲ୍ଲାପାଳ  ।

Advertisment

ଦୁର୍ଗମ ଅଞ୍ଚଳର ଡଙ୍ଗରିଆଙ୍କ ସମସ୍ୟାକୁ ଆଖିରେ ରଖି ଜିଲ୍ଲାପ୍ରଶାସନ ପକ୍ଷରୁ ‘ଦୁଆରେ ପ୍ରଶାସନ’ ନାମକ ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି । ନିୟମଗିରିର କୁର୍ଲି ପଞ୍ଚାୟତ ଅନ୍ତର୍ଗତ ଖମ୍ବେସୀ ଠାରେ କାର୍ଯ୍ୟକ୍ରମର  ଶୁଭାରମ୍ଭ କରି ଜିଲ୍ଲାପାଳ ଘର ଘର ବୁଲି ଭତ୍ତା ବାଣ୍ଟିଛନ୍ତି । ଅନ୍ୟପଟେ ଘରେ ଭତ୍ତା ପାଇ ହିତାଧିକାରୀ ଖୁସି ଜାହିର କରିଛନ୍ତି  ।  

‘ଦୁଆରେ ପ୍ରଶାସନ’ କାର୍ଯ୍ୟକ୍ରମ ଜରିଆରେ ଉପକୃତ ହେବେ ନିୟମଗିରି ପାହାଡ଼ରେ ରହୁଥିବା ଡଙ୍ଗରିଆ ହିତାଧିକାରୀ । ଆଗକୁ କେମିତି ଦୁର୍ଗମ ଅଞ୍ଚଳରେ ସରକାରୀ ସୁବିଧା ପହଞ୍ଚି ପାରିବ ସେନେଇ ଉଦ୍ୟମ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । 

ରାୟଗଡ଼ା ଜିଲ୍ଲା ପ୍ରଶାସନ ଦ୍ୱାରା ଓଡ଼ିଶାରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ଦୁଆରେ ପ୍ରଶାସନ ଭଳି ଅଭିଯାନ । ପ୍ରଭାବିତ ଆଦିମ ଜନଜାତି ଡଙ୍ଗରିଆଙ୍କୁ ଘର ପର୍ୟ୍ୟନ୍ତ ସରକାରୀ ସୁବିଧା ପହଞ୍ଚାଇବା ଉଦ୍ୟମକୁ ସବୁ ମହଲରେ ପ୍ରଶଂସା କରାଯାଉଛି ।