କନକ ବ୍ୟୁରୋ: ବିଶ୍ବର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା ପାଇବ ନୂଆ ରାଷ୍ଟ୍ରପତି । ଅର୍ଥାତ ହ୍ବାଇଟ ହାଉସକୁ ଆସିବେ ନୂଆ ବସ୍ । ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବେ ଡୋନାଲ୍ଡ ଟ୍ରମ୍ପ । ଆମେରିକାର ୨୪୮ ବର୍ଷର ଇତିହାସରେ ଏଭଳି କିଛି ହୋଇନାହିଁ, ଯାହା ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହରେ ହେବାକୁ ଯାଉଛି । ଚୀନ ରାଷ୍ଟ୍ରପତିଙ୍କ ସି ଜିଙ୍ଗପିଙ୍ଗ ସମେତ ଅନେକ ରାଷ୍ଟ୍ରମୁଖ୍ୟକୁ ଶପଥ ଗ୍ରହଣ ସମାରୋହରେ ଯୋଗଦେବାକୁ ଟ୍ରମ୍ପ ବ୍ୟକ୍ତିଗତ ଭାବେ ନିମନ୍ତ୍ରଣ କରିଛନ୍ତି । ଟ୍ରମ୍ପଙ୍କ ଶପଥଗ୍ରହଣ ସମାରୋହ ପାଇଁ ଅନେକ ପରମ୍ପରାକୁ ପଛକୁ ଠେଲିଦିଆଯାଇଛି । ଭାରତୀୟ ସମୟ ଅନୁସାରେ, ଆଜି ରାତି ସାଢେ ୧୦ଟାରୁ ସମାରୋହ ଆରମ୍ଭ ହୋଇଯିବ ।
- ସବୁଠୁ ଶକ୍ତିଶାଳୀ ଦେଶକୁ ଅନାଇଛି ବିଶ୍ୱ
- ଆଜିଠୁ ଆମେରିକାରେ ଟ୍ରମ୍ପ ୨.୦
ଆମେରିକା ରାଜନୀତିରେ ଏହି ଚେହେରା, କୌଣସି ଚମତ୍କାରଠୁ କମ ନୁହେଁ, ଦୁନିଆଁ ଯାହାଙ୍କୁ ଡୋନାଲ୍ଡ ଟ୍ରମ୍ପ ନାଁରେ ଜାଣିଛି । ଗତବର୍ଷ ଦ୍ବିତୀୟ ଥର ପାଇଁ ନିର୍ବାଚନ ଜିଣି ସେ ଅସମ୍ଭବକୁ ସମ୍ଭବ କରିପାରିଛନ୍ତି । ଯେତେବେଳେ ଆମେରିକାର ଏକ ଗୋଷ୍ଠୀ ଟ୍ରମ୍ପଙ୍କୁ ଅପସନ୍ଦ କରୁଥିଲେ ସେତେବେଳେ ଲୋକଙ୍କ ସମର୍ଥନରେ ସେ ପୁଣି ରାଷ୍ଟ୍ରପତି ନିର୍ବାଚିତ ହେଲେ। ଦ୍ୱିତୀୟଥର ଆମେରିକାର ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଶପଥ ନେବେ। ତେବେ ଗତବର୍ଷ ଟ୍ରମ୍ପଙ୍କ ଉପରେ ହୋଇଥିବା ଆକ୍ରମଣକୁ ଦୃଷ୍ଟିରେ ରଖି ୱାସିଂଟନ୍ ଡିସି ଓ ଏହାର ଆଖପାଖ ଅଞ୍ଚଳରେ ସୁରକ୍ଷାକୁ ବଢାଇଦିଆଯାଇଛି ।
ଆମେରିକାରେ ଏବେ ଚାରିଆଡେ ଖାଲି ଟ୍ରମ୍ପ ଆଉ ଟ୍ରମ୍ପ । ଡୋନାଲ୍ଡ ଟ୍ରମ୍ପ ଏକ ଏଭଳି ନାଁ, ଯିଏ ଆମେରିକା ରାଜନୀତିର ଆକଳନକୁ ଓଲଟପାଲଟ କରିଦେଇଛନ୍ତି । ଟ୍ରମ୍ପଙ୍କ ଶପଥଗ୍ରହଣ ସମାରୋହ ଏକ ମେଗା ଇଭେଣ୍ଟରେ ପରିଣତ ହେବାକୁ ଯାଉଛି। ଶପଥଗ୍ରହଣ ସମାରୋହ ପାଇଁ ଡୋନାଲ୍ଡ ଟ୍ରମ୍ପ ଏଥର ଅନେକ ପରମ୍ପରା ଭାଙ୍ଗିଛନ୍ତି। ଆମେରିକାର ଏହି ରିପବ୍ଲିକାନ ନେତା ଚୀନ ରାଷ୍ଟ୍ରପତି ସି ଜିଙ୍ଗପିଙ୍ଗ ସମେତ ଅନେକ ରାଷ୍ଟ୍ରମୁଖ୍ୟଙ୍କୁ ବ୍ୟକ୍ତିଗତ ଭାବେ ନିମନ୍ତ୍ରଣ କରିଛନ୍ତି । ଭାରତ ପକ୍ଷରୁ ଶପଥଗ୍ରହଣ ସମାରୋହରେ ପ୍ରତିନିଧିତ୍ବ କରିବେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ।
ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହ
- ଆମେରିକାର ମୁଖ୍ୟ ବିଚାରପତି ଟ୍ରମ୍ପଙ୍କୁ ଶପଥପାଠ କରାଇବେ
- ଏହାପରେ ରାଷ୍ଟ୍ରପତି ଟ୍ରମ୍ପ ଅଭିଭାଷଣ ରଖିବେ
- ଭାଷଣ ପରେ ଔପଚାରିକ ପ୍ରେସିଡେନ୍ସିଆଲ ଲଞ୍ଚ୍ ହେବ
- ଲଞ୍ଚ୍ ପରେ କ୍ୟାପିଟଲ ହିଲ୍ସରୁ ହ୍ବାଇଟ ହାଉସ ଯାଏଁ ରାଷ୍ଟ୍ରପତିଙ୍କ ପରେଡ୍ ହେବ
- ପରେଡ୍ ସହିତ ଟ୍ରମ୍ପ ହ୍ବାଇଟ ହାଉସରେ ପହଞ୍ଚିବେ
- ଶପଥ ଗ୍ରହଣ ସମାରୋହ ପାଇଁ ଖର୍ଚ୍ଚ ହେବ ୧୭୦ ମିଲିୟନ ଡଲାର
ଆମେରିକାରେ ଟ୍ରମ୍ପଙ୍କ ଶପଥ ଗ୍ରହଣକୁ ନେଇ ଏଭଳି କ୍ରେଜ ରହିଛି ଯେ, ଭିଆଇପି ପାସ କେବେଠୁ ସରିଯାଇଛି । ଅନେକ ପ୍ରମୁଖ ଲୋକଙ୍କୁ ଭିଆଇପି ପାସ ମିଳିପାରିନାହିଁ । ବିଶ୍ବର ଏହି ଶକ୍ତିଶାଳୀ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟଙ୍କ ଶପଥଗ୍ରହଣକୁ ସାରା ଦୁନିଆଁ ଚାହିଁଛି। ଏବେ ୪ ବର୍ଷ ପରେ ବିଶ୍ବର ରାଜନୈତିକ ସ୍ଥିତି ବଦଳିଛି । ଯୁଦ୍ଧ ପରିସ୍ଥିତି ଦେଖାଦେଇଛି । ପ୍ରଶ୍ନ ଉଠୁଛି, ଦ୍ବିତୀୟଥର ରାଷ୍ଟ୍ରପତି ହେବା ପରେ ଟ୍ରମ୍ପ କଣ ଦୁନିଆର ନକ୍ସ ବଦଳାଇଦେବେ। ଆମେରିକା ଫାଷ୍ଟର ନାରା ଦେଉଥିବା ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ବିତୀୟ ପାଳି କେମିତି ରହିବ ତା ଉପରେ ସମସ୍ତଙ୍କ ନଜର ରହିବ।