କନକ ବ୍ୟୁରୋ : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲଗାତାର ତାଲିବାନକୁ ଧମକ ଦେଉଛନ୍ତି । ଟ୍ରମ୍ପ ଆତଙ୍କବାଦ ଯୋଗୁଁ ତାଲିବାନକୁ ଧମକ ଦେଉଥିବାବେଳେ ଅନ୍ୟ ପଟେ ତାଲିବାନର ସର୍ବୋଚ୍ଚ ନେତାଙ୍କୁ ମୃତ୍ୟୁର ଭୟ ଘାରିଛି । ଏହି କାରଣରୁ ସେ ଲଗାତାର ନିଜର ଠିକଣା ବଦଳାଉଛନ୍ତି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଆଫଗାନିସ୍ତାନ ଇଣ୍ଟରନ୍ୟାସନାଲକୁ ଜଣାପଡ଼ିଛି ଯେ ତାଲିବାନ ନେତା ମୁଲ୍ଲା ହିବତୁଲ୍ଲା ଅଖୁନ୍ଦଜାଦା ଲଗାତାର ନିଜର ଠିକଣା ବଦଳାଉଛନ୍ତି । ସୂତ୍ରରୁ ଏହା ମଧ୍ୟ ଜଣାପଡ଼ିଛି ଯେ ସେ କେବଳ ଠିକଣା ବଦଳାଉ ନାହାନ୍ତି ବରଂ ଏହି ସପ୍ତାହରେ ଉଲେମା ପରିଷଦ ସହିତ ହେବାକୁ ଥିବା ସାପ୍ତାହିକ ବୈଠକ ମଧ୍ୟ ବାତିଲ କରି ଦେଇଛନ୍ତି ।
ମୁଲ୍ଲା ହିବତୁଲ୍ଲା ତିନୋଟି ସ୍ଥାନରେ ରହୁଥିଲେ । ମନ୍ଦିଗକ, ଏନୋ ମୀନା, ଅବଦୁଲ ରଜୀକ ଅଚକଜାଇଙ୍କ ଘର ଏବଂ କାନ୍ଦାହାର ଆର୍ମି କୋରର ପୁରୁଣା ମୁଖ୍ୟାଳୟ । କିନ୍ତୁ ଗତ ତିନି ଦିନ ହେବ ତାର ସଠିକ୍ ଠିକଣା ଜଣାପଡ଼ିନାହିଁ । ଗତ ତିନି ଦିନ ହେବ କେହି ଟ୍ରାକ୍ କରି ପାରିନାହାନ୍ତି ଯେ ସେ କେଉଁଠି ରହୁଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ତାଲିବାନ ନେତା ନିକଟରେ ବାରମ୍ବାର ନିଜର ଠିକଣା ବଦଳାଉଛି । ଆଫଗାନିସ୍ତାନ ଇଣ୍ଟରନ୍ୟାସନାଲକୁ ସୂତ୍ରରୁ ଜଣାପଡ଼ିଛି ଯେ ପୂର୍ବରୁ ମୁଲ୍ଲା ହିବତୁଲ୍ଲାଙ୍କ ବାସସ୍ଥାନ ଜଣାପଡୁଥିଲା । ଏହା ସହିତ ସେ ପ୍ରତି ସପ୍ତାହରେ ଉଲେମା ପରିଷଦ ସହିତ ଭେଟୁଥିଲେ କିନ୍ତୁ ଏହି ସପ୍ତାହରେ ସେ ଏହି ବୈଠକ ମଧ୍ୟ ବାତିଲ କରି ଦେଇଛନ୍ତି ।
ଡୋନାଲ୍ଡ ଟ୍ରମ୍ପ ନିକଟରେ ଅନେକ ଥର ତାଲିବାନକୁ ଧମକ ଦେଇଛନ୍ତି । ସେପ୍ଟେମ୍ବର ୧୭ ରେ ବ୍ରିଟେନ ଗସ୍ତ ସମୟରେ ଟ୍ରମ୍ପ ଆଫଗାନିସ୍ତାନର ବାଗ୍ରାମ ଏୟାରବେସ ଉପରେ ପୁନର୍ବାର ଆମେରିକୀୟ ନିୟନ୍ତ୍ରଣର କଥା ଉଠାଇଥିଲେ । ସେ କହିଥିଲେ, ଏହି ବେସକୁ ପୁଣି ଥରେ ନେବାର ଆମର ଗୋଟିଏ କାରଣ ହେଉଛି ଯେ ଏହା ସେହି ସ୍ଥାନରୁ ମାତ୍ର ଏକ ଘଣ୍ଟାର ଦୂରତାରେ ଅଛି, ଯେଉଁଠାରେ ଚୀନ୍ ନିଜର ପରମାଣୁ ଅସ୍ତ୍ରଶସ୍ତ୍ର ନିର୍ମାଣ କରୁଛି । ସେପ୍ଟେମ୍ବର ୨୦ ରେ ଟ୍ରମ୍ପ ସୋସିଆଲ ନେଟୱର୍କ ଟ୍ରୁଥ ସୋସିଆଲରେ ଚେତାବନୀ ଦେଇଥିଲେ ଯେ ଯଦି ବାଗ୍ରାମ ବେସର ନିୟନ୍ତ୍ରଣ ଆମେରିକାକୁ ଫେରସ୍ତ ନ ମିଳେ, ତେବେ ତାଲିବାନ ପାଇଁ ଖରାପ ହେବ । ସେହି ଦିନ ଟ୍ରମ୍ପ କହିଥିଲେ, ଯଦି ସେମାନେ ଏହା ନ କରନ୍ତି, ତେବେ ଆପଣ ଦେଖିବେ ମୁଁ କ’ଣ କରିବି । ଏହି ଧମକ ପରେ ତାଲିବାନ ପ୍ରଶାସନ ଏକ ବୟାନ ଜାରି କରି କହିଥିଲା ଦୋହା ଚୁକ୍ତି ଅନୁଯାୟୀ ଆମେରିକା ପ୍ରତିଶ୍ରୁତି ଦେଇଥିଲା ଯେ ସେ ଆଫଗାନିସ୍ତାନର ଭୌଗୋଳିକ ଅଖଣ୍ଡତା ଏବଂ ରାଜନୈତିକ ସ୍ୱାଧୀନତା ବିରୁଦ୍ଧରେ ଶକ୍ତି ପ୍ରୟୋଗ ବା ଧମକ ଦେବନାହିଁ ।