କନକ ବ୍ୟୁରୋ: sco ମଞ୍ଚରେ ତ୍ରିଶକ୍ତିଙ୍କୁ ଦେଖି ଟ୍ରମ୍ପ ବୋଧେ ବ୍ୟଥିବ୍ୟସ୍ତ ହୋଇପଡିଛନ୍ତି । ହଠାତ୍ ସୋସିଆଲ ମିଡିଆରେ ଭାରତ ଉପରେ ଟାରିଫ୍ ଲଗାଇବା ନେଇ ସ୍ପଷ୍ଟିକରଣ ଦେଇଛନ୍ତ । ଭାରତ ଉପରେ ଦୋଷ ଲଦି ନିଜ ମୁଣ୍ଡରୁ ଦୋଷ ଛଡେଇବାକୁ ବସିଛନ୍ତି ଟ୍ରମ୍ପ । ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ଭାରତ ସହିତ ବାଣିଜ୍ୟ ସମ୍ପର୍କ ସମ୍ପର୍କରେ ଏକ ପୋଷ୍ଟ ସେୟାର କରିଛନ୍ତି ଟ୍ରମ୍ପ । ଏଥିରେ ଟ୍ରମ୍ପ ଦାବି କରିଛନ୍ତି ଯେ ଭାରତ ଆମେରିକାକୁ ବିପୁଳ ପରିମାଣର ସାମଗ୍ରୀ ବିକ୍ରି କରେ, ଯେତେବେଳେ କି ଆମେରିକା ଭାରତକୁ ବହୁତ କମ୍ ସାମଗ୍ରୀ ବିକ୍ରି କରିପାରୁଛି । ଯାହାକୁ ସେ ଦଶନ୍ଧି ଧରି ଚାଲିଥିବା 'ଏକପାଖୀୟ ବିପର୍ଯ୍ୟୟ' ବୋଲି କହିଛନ୍ତି ।
ଡୋନାଲ୍ଡ ଟ୍ରମ୍ପ ତାଙ୍କ ପୋଷ୍ଟରେ କହିଛନ୍ତି, 'ବହୁତ କମ୍ ଲୋକ ଜାଣନ୍ତି ଯେ ଆମେ ଭାରତ ସହିତ ବହୁତ କମ୍ ବାଣିଜ୍ୟ କରୁ, କିନ୍ତୁ ଏହା ଆମେରିକା ସହିତ ବହୁତ ବାଣିଜ୍ୟ କରେ। ଅନ୍ୟ ଶବ୍ଦରେ, ସେମାନେ ସେମାନଙ୍କର ସବୁଠାରୁ ବଡ଼ ଗ୍ରାହକ ଭାବରେ ଆମକୁ ବିପୁଳ ପରିମାଣର ସାମଗ୍ରୀ ବିକ୍ରି କରନ୍ତି, କିନ୍ତୁ ଆମେ ସେଗୁଡ଼ିକୁ ବହୁତ କମ୍ ବିକ୍ରି କରିପାରିବା।'
ସେ ଭାରତ ଉପରେ ବିଶ୍ୱର ସର୍ବୋଚ୍ଚ ଆମଦାନୀ ଶୁଳ୍କ ଲାଗୁ କରିବାର ଅଭିଯୋଗ ଆଣି କହିଛନ୍ତି ଯେ ଏହା ଆମେରିକୀୟ କମ୍ପାନୀଗୁଡ଼ିକ ପାଇଁ ଭାରତରେ ବ୍ୟବସାୟ କରିବା କଷ୍ଟକର କରିଦେଇଛି । ଟ୍ରମ୍ପ ମଧ୍ୟ ଭାରତକୁ ରୁଷରୁ ତେଲ ଏବଂ ସାମରିକ ଉପକରଣ କିଣିବାକୁ ଟାର୍ଗେଟ କରିଥିଲେ । ସେ କହିଛନ୍ତି ଯେ ଭାରତ ରୁଷରୁ ବିପୁଳ ପରିମାଣରେ ତେଲ ଏବଂ ସାମରିକ ଉପକରଣ କିଣୁଛି, ଯେତେବେଳେ ଏହା ଆମେରିକାରୁ ବହୁତ କମ୍ କିଣୁଛି ।
ଡୋନାଲ୍ଡ ଟ୍ରମ୍ପ ଏହା ମଧ୍ୟ ଦାବି କରିଛନ୍ତି ଯେ ଭାରତ ଏବେ ଆମେରିକୀୟ ଆମଦାନୀ ଉପରେ ସର୍ବନିମ୍ନ ଶୁଳ୍କ ହ୍ରାସ କରିବାକୁ ପ୍ରସ୍ତାବ ଦେଇଛି, କିନ୍ତୁ ସେ ଏହାକୁ 'ବହୁତ ବିଳମ୍ବରେ ନିଆଯାଇଥିବା ପଦକ୍ଷେପ' ବୋଲି କହିଛନ୍ତି। ଆମେରିକା ରାଷ୍ଟ୍ରପତି କହିଛନ୍ତି, 'ଭାରତ ବର୍ଷ ବର୍ଷ ପୂର୍ବରୁ ଏହି ପଦକ୍ଷେପ ନେବା ଉଚିତ ଥିଲା ।' ଟ୍ରମ୍ପଙ୍କ ପୋଷ୍ଟ ଏପରି ଏକ ସମୟରେ ଆସିଛି ଯେତେବେଳେ ତାଙ୍କ ଦ୍ୱାରା ଲାଗୁ କରାଯାଇଥିବା ୫୦ ପ୍ରତିଶତ ଶୁଳ୍କ ଯୋଗୁଁ ଭାରତ-ଆମେରିକା ବାଣିଜ୍ୟ ସମ୍ପର୍କ ବହୁତ ଉତ୍ତେଜନାପୂର୍ଣ୍ଣ ହୋଇଯାଇଛି ।
ଆପଣଙ୍କୁ ଜଣାଇ ଦେଉଛୁ ଯେ ଡୋନାଲ୍ଡ ଟ୍ରମ୍ପ ଭାରତୀୟ ଆମଦାନୀ ଉପରେ ୫୦% ଶୁଳ୍କ ଲଗାଇଛନ୍ତି। ଏଥିରେ ୨୫% ବେସଲାଇନ୍ ଶୁଳ୍କ ଏବଂ ରୁଷରୁ ତେଲ କିଣିବା ପାଇଁ ଦଣ୍ଡ ସ୍ୱରୂପ ୨୫% ଅତିରିକ ଶୁଳ୍କ ଅନ୍ତର୍ଭୁକ୍ତ, ଯାହା ୨୭ ଅଗଷ୍ଟ ୨୦୨୫ ରୁ ଲାଗୁ ହୋଇଛି। ଟ୍ରମ୍ପଙ୍କ ଏହି ପଦକ୍ଷେପ ଭାରତର ବୟନଶିଳ୍ପ, ରତ୍ନ ଏବଂ ଅଳଙ୍କାର ଏବଂ ସାମୁଦ୍ରିକ ଖାଦ୍ୟ ଭଳି କ୍ଷେତ୍ରକୁ ପ୍ରଭାବିତ କରିଛି । ଯାହା ଆମେରିକା ବଜାର ଉପରେ ନିର୍ଭରଶୀଳ । ଆମେରିକା ରାଷ୍ଟ୍ରପତି ଅଭିଯୋଗ କରିଛନ୍ତି ଯେ ଭାରତ ତେଲ କିଣି ୟୁକ୍ରେନ ଯୁଦ୍ଧ ପାଇଁ ପରୋକ୍ଷ ଭାବରେ ରୁଷକୁ ପାଣ୍ଠି ଯୋଗାଇ ଦେଉଛି । ଏଥିରୁ ଗୋଟିଏ କଥା ସ୍ପଷ୍ଟ ଭାରତ ଏବଂ ରୁଷ୍ର ସମ୍ପର୍କ କୁ ସହ୍ୟ କରିପାରୁନାର୍ହାନ୍ତି ଟ୍ରମ୍ପ । ଆଉ ଯେତେବେଳେ sco ମଞ୍ଚରେ ମୋଦୀ, ପୁଟିନ୍, ଜିନପିଙ୍ଗଙ୍କୁ ଏକାଠି ଦେଖିଲେ ଟ୍ରମ୍ପ ସେତେବେଳେ ଏପରି ପୋଷ୍ଟ କରି ଭାରତ ଉପରେ ଟାରିଫ୍ ଅଭିଯୋଗ ଲଗାଇଛନ୍ତି ଡୋନାଲ୍ଟ ଟ୍ରମ୍ପ.. ।