କନକ ବ୍ୟୁରୋ : ରୁଷରୁ ତେଲ କିଣିବା ନେଇ ମାସ ମାସ ଧରି ଶୁଳ୍କ ଧମକ ଦେବା ପରେ ଆମେରିକା ରାଷ୍ଟ୍ରପତି ଭାରତ ପ୍ରତି ନିଜର ଆଭିମୁଖ୍ୟ ନରମ କରିଥିବା ଜଣାପଡିଛି । ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବନ୍ଧୁତାକୁ ଗୁରୁତ୍ୱ ଦେବା ଆରମ୍ଭ କରିଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କର ସମ୍ପର୍କକୁ ନେଇ ବ୍ରିଟେନର ପ୍ରଧାନମନ୍ତ୍ରୀ କିର୍ ଷ୍ଟାରମରଙ୍କ ସହ କଥା ହୋଇଛନ୍ତି । ଟ୍ରମ୍ପ୍ କହିଛନ୍ତି, ମୁଁ ଭାରତର ଅତି ନିକଟର। ମୁଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ମଧ୍ୟ ଅତି ନିକଟତର । କିଛି ଦିନ ତଳେ ମୁଁ ତାଙ୍କ ସହ କଥା ହୋଇଥିଲି। ମୁଁ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛି। ଆମ ଭିତରେ ବହୁତ ଭଲ ସମ୍ପର୍କ ରହିଛି ।
ଏହି ବୟାନ ସେତେବେଳେ ଆସିଛି, ଯେଉଁ ସମୟରେ ୟୁରୋପୀୟ ଦେଶଗୁଡ଼ିକ, ରୁଷ ଠାରୁ ତେଲ କିଣୁଥିବା ନେଇ ସମାଲୋଚନା କରିଛନ୍ତି ଟ୍ରମ୍ପ। ଋଷରୁ ତେଲ କିଣିବା ନେଇ ଭାରତ ଉପରେ ବାରମ୍ବାର ଅସନ୍ତୋଷ ପ୍ରକାଶ କରିବା ସତ୍ତ୍ୱେ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କର ଘନିଷ୍ଠ ସମ୍ପର୍କ ଉପରେ ଗୁରୁତ୍ୱାରୋପ କରିଛନ୍ତି ।
ଏହାସହ ବିଶ୍ୱ ବଜାରରେ ତୈଳ ଦର ହ୍ରାସ ରୁଷିଆକୁ ଚୁକ୍ତି କରିବାକୁ ବାଧ୍ୟ କରିବାର ସବୁଠାରୁ ବଡ଼ ମାଧ୍ୟମ ବୋଲି ସେ କହିଛନ୍ତି । ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟିକ କାରବାରକୁ ନେଇ ଦେଖାଦେଇଥିବା ତିକ୍ତତା, ଏବେ ସୁଧୁରିବା ସ୍ଥିତିରେ ପହଞ୍ଚିଛି । ଖୁବ୍ଶୀଘ୍ର ଭାରତରୁ ଆମେରିକା ଶୁଳ୍କ ପ୍ରତ୍ୟାହାର କରିନେବାର ସମ୍ଭାବନା ରହିଛି। ଗୁରୁବାର ଭାରତର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି. ଅନନ୍ତ ନାଗେଶ୍ୱରନ୍ କହିଥିଲେ ଯେ ନଭେମ୍ବର ୩୦ ପରେ କେତେକ ଆମଦାନୀ ଉପରେ ଲାଗିଥିବା ଶୁଳ୍କକୁ ପ୍ରତ୍ୟାହୃତ ହେବ। ଯଦି ଏପରି ହୁଏ ତେବେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ପୁଣି ଥରେ ମଜଭୁତ ହେବ ।