କନକ ବ୍ୟୁରୋ : ଦେଶମାନଙ୍କ ଉପରେ  ଟାରିଫ୍‌ ପ୍ରହାର କରୁଥିବା ଟ୍ରମ୍ପଙ୍କୁ ସତରେ କଣ କିଛି ରୋଗ ଆକ୍ରାନ୍ତ କରିଛି  ?  ଭାଇରାଲ ହେଉଥିବା  ଏହି ଫଟୋରେ ସ୍ପଷ୍ଟ ଦେଖିବାକୁ ମିଳିଛି  ଟ୍ରମ୍ପଙ୍କ ହାତରେ କିଛି ଅଜବ ଦାଗ ।  ଯାହା  ଟ୍ରମ୍ପଙ୍କ ସ୍ୱାସ୍ଥ୍ୟକୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି । ଦକ୍ଷୀଣ କୋରିଆ ରାଷ୍ଟ୍ରପତିଙ୍କ ବୈଠକ ସମୟରେ  ଟ୍ରମ୍ପ ଡାହାଣ ହାତରେ କଳା-ନୀଳ ଦାଗ ଦେଖିବାକୁ ମିଳିଥିଲା, ଯାହାକୁ ସେ ବାରମ୍ବାର ଲୁଚାଇବାକୁ ଚେଷ୍ଟା କରୁଥିଲେ । ଏହି ଘଟଣା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ବିଭିନ୍ନ କଳ୍ପନାଜଳ୍ପନା ପ୍ରକାଶ ପାଇଛି ।

Advertisment

ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା, ଯେତେବେଳେ ଟ୍ରମ୍ପ ନିଜର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଗଣମାଧ୍ୟମର କ୍ୟାମେରା ତାଙ୍କ ଉପରେ ଥିବାବେଳେ ତାଙ୍କ ଡାହାଣ ହାତର ଆଙ୍ଗୁଠି ଏବଂ ପାପୁଲିରେ କିଛି ଅଜବ ଦାଗ ଦେଖାଯାଇଥିଲା । ଏହି ଦାଗଗୁଡ଼ିକ କୌଣସି ଆଘାତ କିମ୍ବା ରକ୍ତ ଜମାଟ ବାନ୍ଧିବା ଭଳି ଜଣାପଡୁଥିଲା । ଟ୍ରମ୍ପ ଏହି ଦାଗକୁ ଲୁଚାଇବା ପାଇଁ ବାରମ୍ବାର ନିଜ ହାତକୁ ପକେଟରେ ରଖୁଥିଲେ କିମ୍ବା ଅନ୍ୟ ହାତରେ ଘୋଡାଇ ଦେଉଥିଲେ। ତାଙ୍କର ଏହିଭଳି ଆଚରଣ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି ।  ତେବେ ବର୍ତ୍ତମାନ  ଟ୍ରମ୍ପଙ୍କ ପକ୍ଷରୁ କିମ୍ବା ତାଙ୍କ ଟିମ୍ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ ।
 ଏହା ପୂର୍ବରୁ ମଧ୍ୟ ଟ୍ରମ୍ପଙ୍କ ହାତରେ ସମାନ ଧରଣର ଦାଗ ଦେଖିବାକୁ ମିଳିଥିଲା । ସେତେବେଳେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ପ୍ରଶ୍ନ ଉଠିଥିଲା । କିଛି ବିଶେଷଜ୍ଞ ମତ ଦେଇଛନ୍ତି ଯେ ଏହି ଦାଗ ଇଞ୍ଜେକ୍ସନ କିମ୍ବା କୌଣସି ମେଡିକାଲ ପ୍ରକ୍ରିୟା ଯୋଗୁଁ ହୋଇପାରେ । ବାର୍ଦ୍ଧକ୍ୟ କାରଣରୁ ମଧ୍ୟ ବେଳେବେଳେ ରକ୍ତବାହୀ ଶିରା ଦୁର୍ବଳ ହୋଇଯିବା ଫଳରେ ଏଭଳି ଦାଗ ଦେଖାଯାଇଥାଏ । 

ଚଳିତ ବର୍ଷ ଜୁଲାଇ ମାସରେ, ହ୍ୱାଇଟ୍ ହାଉସ୍ ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ଚିକିତ୍ସକ ଡକ୍ଟର ସିଆନ୍ ବାର୍ବାବେଲାଙ୍କ ଦ୍ୱାରା ଟ୍ରମ୍ପଙ୍କ ହାତରେ ଦେଖାଯାଇଥିବା ଆଘାତ ବିଷୟରେ ଏକ ଚିଠି ପ୍ରକାଶ କରିଥିଲେ । ଯେଉଁଥିରେ କୁହାଯାଇଥିଲା ଯେ ଏହି ଚିହ୍ନଗୁଡ଼ିକ 'ବାରମ୍ବାର ହାତ ଥରିବା ଏବଂ ହୃଦରୋଗକୁ ରୋକିବା ପାଇଁ ନିଆଯାଇଥିବା ଆସ୍ପିରିନ୍ ଔଷଧ' ଯୋଗୁଁ ହୋଇଛି । ଡା. ବାର୍ବାବେଲା  ସ୍ପଷ୍ଟ କରିଥିଲେ ଏହି ରୋଗ ବିଶେଷ କରି ୭୦ ବର୍ଷ ବୟସରୁ ଅଧିକ ବ୍ୟକ୍ତିଙ୍କ ଠାରେ ଦେଖାଦେଇଥାଏ ବୋଲି ସେ କହିଥିଲେ ।    

ଟ୍ରମ୍ପଙ୍କୁ ୭୮ ବର୍ଷ ବୟସ ହୋଇଥିବାରୁ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ । ଯଦିଓ ସେ ନିଜକୁ ସମ୍ପୂର୍ଣ୍ଣ ସୁସ୍ଥ ଏବଂ କାର୍ଯ୍ୟକ୍ଷମ ବୋଲି ଦାବି କରୁଛନ୍ତି, ତଥାପି ତାଙ୍କ ହାତରେ ଦେଖାଯାଉଥିବା ଏହି ରହସ୍ୟମୟ ଦାଗ ତାଙ୍କ ସ୍ୱାସ୍ଥ୍ୟ ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।