କନକ ବ୍ୟୁରୋ: ଜାନୁଆରୀ ୨୦ ତାରିଖରେ ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ନେବେ ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଦ୍ବିତୀୟଥର ଲାଗି ଟ୍ରମ୍ପ ଶପଥ ନେଉଥିବା କାରଣରୁ ଜୋରଦାର ପ୍ରସ୍ତୁତି ବି ହେଲାଣି । କୁହାଯାଉଛି କି, ଗତ ୨୪୮ ବର୍ଷ ଭିତରେ ଯାହା ହୋଇନଥିଲା ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ତାହା ହେବାକୁ ଯାଉଛି । ଅର୍ଥାତ୍ ଶପଥ ସମାରୋହ ଏମିତି ହେବାକୁ ଯାଉଛି ଯାହା କେବେ ଆମେରିକାରେ ହୋଇନଥିଲା କି ଆମେରିକାବାସୀ ଦେଖିନଥିଲେ । କାରଣ ଶପଥ ପାଇଁ ମେଗା ଇଭେଣ୍ଟର ଆୟୋଜନ କରାଯାଉଛି ।
ପରମ୍ପରାରରୁ ଉର୍ଦ୍ଧ୍ବରେ ଉଠି କିଛି ନୂଆ ତଥା ସ୍ମରଣୀୟ କରିବାକୁ ଟ୍ରମ୍ପ ଚାହୁଁଛନ୍ତି । ସେଇଥି ଲାଗି ନିଜ ଶପଥ ସମାରୋହ ଲାଗି ଚୀନର ରାଷ୍ଟ୍ରପତି ଜିନିପିଙ୍ଗ ସହ ଅନେକ ରାଷ୍ଟ୍ରର ମୁଖ୍ୟଙ୍କୁ ନିଜେ ନିମନ୍ତ୍ରଣପତ୍ର ପଠାଇଛନ୍ତି ଟ୍ରମ୍ପ । କେବଳ ଚୀନ ରାଷ୍ଟ୍ରପତି ନୁହଁନ୍ତି ବରଂ ଅନେକ ମାନ୍ୟଗଣ୍ୟ ଅତିଥିଙ୍କୁ ନିମନ୍ତ୍ରଣ ପତ୍ର ମିଳିଛି । ସ୍ଥିତି ତ ଏମିତି ହୋଇଛି କି ଯେଉଁମାନେ କୋଟି କୋଟି ଟଙ୍କା ଡୋନେସନ୍ କରିଛନ୍ତି ସେମାନଙ୍କ ଲାଗି ବି ପାସ୍ ନାହିଁ । ଶପଥଗ୍ରହଣ ବହୁ ପୂର୍ବରୁ ଭିଆଇପି ପାସ ମଧ୍ୟ ନାହିଁ । ତେଣୁ ଏହି ମେଗା ଇଭେଣ୍ଟରେ ଅନେକଙ୍କ ସାମିଲ ହେବାକୁ ଇଚ୍ଛା ଥିଲେ ବି ସୁଯୋଗ ନଥିବା କୁହାଯାଉଛି ।
ଶପଥ ପାଇଁ କି ପ୍ରସ୍ତୁତି ହୋଇଛି
ଏଥର ଆମେରିକା ରାଷ୍ଟ୍ରପତିଙ୍କ ଶପଥଗ୍ରହଣ ପାଇଁ ଭବ୍ୟ ଆୟୋଜନ କରାଯାଇଛି
ଚୀନ ରାଷ୍ଟ୍ରପତିଙ୍କ ସହ ଅନେକ ରାଷ୍ଟ୍ର ମୁଖ୍ୟଙ୍କୁ ଟ୍ରମ୍ପ ଦେଇଛନ୍ତି ନିମନ୍ତ୍ରଣ
ଶପଥଗ୍ରହଣ ଉତ୍ସବରେ ବାଜିବ ଭାରତୀୟ ବ୍ୟାଣ୍ଡ
ଶପଥଗ୍ରହଣ ସମାରୋହ କମିଟିକୁ ମିଳିଛି ୧୭୦ ମିଲିଅନ ଆମେରିକୀୟ ଡଲାଲରୁ ଅଧିକ ଟଙ୍କା
ଅନେକ ଉଦ୍ୟୋଗପତିଙ୍କୁ ବି ମିଳିଲାନି ଭିଭିଆଇପି ପାସ୍
ବିଶ୍ବର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା । ତେଣୁ ସେଠାକାର ନିର୍ବାଚନଠୁ ଆରମ୍ଭ କରି ରାଷ୍ଟ୍ରପତିଙ୍କୁ ନେଇ ଭାରି ଚର୍ଚ୍ଚା । ଖାସ କରି ଟ୍ରମ୍ପ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । କାରଣ ତାଙ୍କର ନୀତି ଲାଗି ପୁରା ବିଶ୍ବରେ ଟ୍ରମ୍ପଙ୍କ ଉପରେ ନଜର ରହିଛି । ରାଷ୍ଟ୍ରପତି ହେବା ପୂର୍ବରୁ ଋଷିଆ-ୟୁକ୍ରେନ୍ ଯୁଦ୍ଧ ସହ ମଧ୍ୟପ୍ରାଚ୍ୟରେ ଶାନ୍ତି ଫେରାଇ ଆଣିବେ ବୋଲି କହିଥିଲେ ଟ୍ରମ୍ପ । ଖାଲି ଏତିକି ନୁହେଁ ବରଂ ଚୀନ ଉପରେ ଆମଦାନୀ ଶୁଳ୍କ ବଢାଇବାକୁ ଖୋଲାଖୋଲି କହିଥିଲେ । ଯାହାକୁ ନେଇ ସେ ବିବାଦୀୟ ହୋଇଥିଲେ । ଏହା ପରେ ବି ଯେଉଁପରି ଭାବରେ ଟ୍ରମ୍ପଙ୍କ ଶପଥଗ୍ରହଣ ଉତ୍ସବ ଆୟୋଜନ କରାଯାଉଛି ତାହାକୁ ନେଇ ଚର୍ଚ୍ଚା ହେବା ସ୍ବାଭାବିକ ।
ଏଥର ନୂଆକରି ଆମେରିକା ରାଷ୍ଟ୍ରପତିଙ୍କ ଶପଥଗ୍ରହଣ ଉତ୍ସବରେ ଭାରତୀୟ ବ୍ୟାଣ୍ଡ ବାଜିବ । ଆଉ ପୁରା ବିଶ୍ବର ନେତା ଦେଖିବେ ଭାରତର ଐତିହ୍ୟ ଓ ପରମ୍ପରା । ପୂର୍ବରୁ ବି ମୋଦି-ଟ୍ରମ୍ପଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଚାଲେ । କାରଣ ଏକ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଟ୍ରମ୍ପ କହିଥିଲେ, ମୋଦି ମୋର ଜଣେ ଅତି ଭଲବନ୍ଧୁ । ତାଙ୍କୁ ଦେଖିବାକୁ ହାଉଡି ମୋଦି କାର୍ଯ୍ୟକ୍ରମରେ ଯେତିକି ଲୋକ ହୋଇଥିଲେ ସେତିକି ବୋଧହୁଏ ମୋ ପାଇଁ ହୋଇନଥିଲେ । ଚମତ୍କାରିତା ବ୍ୟକ୍ତିତ୍ବ ମୋଦିଙ୍କର ରହିଛି । ଏ ସବୁ କଥା ଦେଖିଲେ ଟ୍ରମ୍ପ ଓ ମୋଦିଙ୍କ ସମ୍ପର୍କ କେମିତି ତାହା ଭଲରେ ବୁଝାପଡ଼େ । ଏବେ ଶପଥ ସମାରୋହରେ ଭାରତୀୟ ବ୍ୟାଣ୍ଡ ବାଜିବାକୁ ନେଇ ଭାରତ-ଆମେରିକା ସମ୍ପର୍କ କେତେ ମଜବୁତ ତାହା ପ୍ରମାଣିତ ହୋଇଛି ।
ବଡ଼ ବୟାନ ରଖିଲା ଆମେରିକା
ଶପଥଗ୍ରହଣ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମକୁ ନେଇ ଜୋରଦାର ଚର୍ଚ୍ଚା ବେଳେ ଆମେରିକା ଏନେଇ ପ୍ରତିକ୍ରିୟା ରଖିଛି । କହିଛି, ଆମେ କେବଳ ଆମ ମିତ୍ର ଦେଶ ନୁହେଁ ବରଂ ଶତ୍ରୁ, ପ୍ରତିପକ୍ଷ ରାଷ୍ଟ୍ରଙ୍କୁ ବି ନିମନ୍ତ୍ରଣ ଦେଇଛୁ । ଆମେରିକା ବାର୍ତ୍ତା ଦେବାକୁ ଚାହୁଁଛି ପ୍ରତି ଦେଶ ସହ ଆମେ ଉତ୍ତମ ସମ୍ପର୍କ ରକ୍ଷା କରିବାକୁ ଚେଷ୍ଟା କରୁଛୁ । ସେପଟେ ଶପଥ ସମାରୋହରେ ଚୀନ ରାଷ୍ଟ୍ରପତି ଜିନପିଙ୍ଗ ସାମିଲ ହେବା ନେଇ ଅନିଶ୍ଚିତତା ଥିବା ବେଳେ ଉପରାଷ୍ଟ୍ରପତି ସାମିଲ ହେବା ନେଇ ସୂଚନା ରହିଛି । ଅବଶ୍ୟ ଏନେଇ ଚୀନ ପକ୍ଷରୁ ସରକାରୀ ଭାବରେ କିଛି କୁହାଯାଇନି । କେବଳ ଚୀନ କାହିଁକି ବରଂ ଅଲସାଲାଭାଡୋର, ଆର୍ଜେଣ୍ଟିନା, ଇଟାଲୀକୁ ବି ନିମନ୍ତ୍ରଣ ମିଳିଛି । ଏହାସହ ଭାରତ ପକ୍ଷରୁ ଟ୍ରମ୍ପଙ୍କ ଶପଥଗ୍ରହଣ ଉତ୍ସବରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସାମିଲ ହେବା ନେଇ ଜଣାପଡ଼ିଛି ।
ସମାରୋହ ପାଇଁ ମିଳିଛି କେତେ ଚାନ୍ଦା
ଆମେରିକାର ରାଷ୍ଟ୍ରପତିଙ୍କ ଶପଥଗ୍ରହଣ ଉତ୍ସବ ଲାଗି ଅନେକ ଚାନ୍ଦା ମିଳିଛି । କୁହାଯାଉଛି କି, ନିର୍ବାଚନ ସରିବା ପରେ ଟ୍ରମ୍ପଙ୍କ ଦଳର ଡୋନେସନ୍ ଅଚାନକ ବୃଦ୍ଧି ହୋଇଛି । ଏମିତିକି ନୂଆ ସରକାରକୁ ମନାଇବା ସହିତ ନିଜର ପ୍ରୋମସନ୍ ଲାଗି କୋଟି କୋଟି ଟଙ୍କା ଡୋନେସନ୍ ଦେଇଛନ୍ତି ଉଦ୍ୟୋଗପତି । ଅନ୍ତର୍ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ସମାରୋହ ପାଇଁ ୧୭୦ ମିଲିୟନ ଡଲାର ଟଙ୍କା ମିଳିଥିବା ବେଳେ ଏହା ୨୦୦ ମିଲିୟନ ଡଲାର ପାର କରିବାକୁ ସତେ ଯେମିତି ଅପେକ୍ଷା କରିଛି । ସେପଟେ କୋଟି କୋଟି ଟଙ୍କାର ଡୋନେସନ୍ ଦେବା ପରେ ବି ଅନେକ ଉଦ୍ୟୋଗପତିଙ୍କୁ ପାସ୍ ମିଳିନଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି । ଏବେ ସମୟ କହିବ କେମିତି ସରୁଛି ଟ୍ରମ୍ପଙ୍କ ଶପଥ ସମାରୋହ ।