Photograph: (kanaknews)
କନକବ୍ୟୁରୋ : କାଲିଫର୍ନିଆର ରାଜ୍ୟପାଳ ଗାଭିନ୍ ନ୍ୟୁସମ୍ କହିଛନ୍ତି, ଡୋନାଲ୍ଡ ଟ୍ରମ୍ପ କେବଳ ୨୦୨୮ ପର୍ଯ୍ୟନ୍ତ ରାଷ୍ଟ୍ରପତି ରହିବେ । ସେ ତିନି ବର୍ଷ ପରେ ବିଦାୟ ନେବେ। ତେଣୁ ୟୁରୋପ ତାଙ୍କୁ ଅସ୍ଥାୟୀ ଭାବରେ ଦେଖିବା ଉଚିତ । ସେ ୟୁରୋପକୁ ଆମେରିକା ଉପରେ ବିଶ୍ୱାସ ବଜାୟ ରଖିବାକୁ ଅନୁରୋଧ କରିଛନ୍ତି ।
ଟ୍ରମ୍ପଙ୍କୁ କଟାକ୍ଷ
ଡେମୋକ୍ରାଟିକ୍ ପାର୍ଟିର ନେତା ନ୍ୟୁସମ୍ ୟୁରୋପ ସହିତ ଟ୍ରମ୍ପ ପ୍ରଶାସନର ଉତ୍ତେଜନାର ପ୍ରତିକ୍ରିୟାରେ ଏହି ବିବୃତି ଦେଇଛନ୍ତି । ଦ୍ୱିତୀୟ ଥର ପାଇଁ ରାଜ୍ୟପାଳ ହୋଇଥିବା ନ୍ୟୁସମ୍ ୨୦୨୮ରେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହୋଇପାରନ୍ତି । ଜର୍ମାନୀରେ ମ୍ୟୁନିଚ୍ ସୁରକ୍ଷା ସମ୍ମିଳନୀରେ ଏଭଳି କହି ସେ ଟ୍ରମ୍ପଙ୍କୁ କଟାକ୍ଷ କରିଛନ୍ତି। ବିଶ୍ୱସ୍ତରୀୟ ମଞ୍ଚରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଟାର୍ଗେଟ କରି, ଗାଭିନ୍ ନ୍ୟୁସମ୍ ନିଜକୁ ଆମେରିକା ରାଷ୍ଟ୍ରପତିଙ୍କ ସବୁଠାରୁ ଶକ୍ତିଶାଳୀ ପ୍ରତିପକ୍ଷ ଭାବରେ ପ୍ରତିଷ୍ଠିତ କରିବାକୁ ଚେଷ୍ଟା କରିଛନ୍ତି । ଯଦିଓ ନ୍ୟୁସମ୍ ଏପର୍ଯ୍ୟନ୍ତ ନିଜକୁ ସିଧାସଳଖ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିନାହାନ୍ତି, ସେ ଏନେଇ ସଙ୍କେତ ଦେଇଛନ୍ତି ।
ୟୁରୋପ ସହିତ ଟ୍ରମ୍ପଙ୍କ ବିବାଦ
ଡୋନାଲ୍ଡ ଟ୍ରମ୍ପ୍ ଗତ କିଛି ମାସ ଧରି ୟୁରୋପୀୟ ଦେଶମାନଙ୍କ ସହିତ ମତଭେଦରେ ଅଛନ୍ତି। ଗ୍ରିନ୍ଲାଣ୍ଡକୁ ଆମେରିକା ସହିତ ମିଶାଇବା ପାଇଁ ଟ୍ରମ୍ପ ଦେଇଥିବା ଧମକ ୟୁରୋପକୁ ବିଶେଷ ଭାବରେ ଅସନ୍ତୁଷ୍ଟ କରିଛି। ଆମେରିକା ଓ ୟୁରୋପୀୟ ଦେଶମାନଙ୍କ ମଧ୍ୟରେ ଦଶନ୍ଧି ଧରି ରହିଥିବା ସହଯୋଗକୁ ଦୃଷ୍ଟିରେ ରଖି ୟୁରୋପୀୟ ଦେଶମାନେ ଏହାକୁ ଏକ ବଡ଼ ଅପମାନ ମନେ କରୁଛନ୍ତି। ଗାଭିନ୍ ନ୍ୟୁସମ୍ ଏହାର ସୁଯୋଗ ନେଇ ଟ୍ରମ୍ପଙ୍କୁ ଟାର୍ଗେଟ କରିଥିବା କୁହାଯାଉଛି।
Follow Us