କନକ ବ୍ୟୁରୋ : ହ୍ୱାଇଟ୍ ହାଉସ୍କୁ ଡାକି ଅତିଥିଙ୍କୁ ଅପମାନିତ କରୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହି କଥା ସେତେବେଳେ ସାମ୍ନାକୁ ଆସିଛି, ଯେତେବେଳେ ୟୁକ୍ରେନ୍ ରାଷ୍ଟ୍ରପତି ଓ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ଆମେରିକା ଗସ୍ତରେ ଆସି ଅପମାନିତ ହୋଇ ଚାଲିଯାଇଛନ୍ତି ।
କିଛି ମାସ ପୂର୍ବରୁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ହ୍ୱାଇଟ୍ ହାଉସ୍ ଆସିଥିଲେ। ସେଠାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା କିନ୍ତୁ ଟ୍ରମ୍ପଙ୍କ ସହ ଜେଲେନସ୍କିଙ୍କ ସାକ୍ଷାତକାର ଅତ୍ୟନ୍ତ ଖରାପ ଥିଲା । ରାତ୍ରୀଭୋଜନ ଅଧାରୁ ଛାଡ଼ି ଜେଲେନସ୍କି ଚାଲିଯାଇଥିବା ଦେଖିବାକୁ ମିଳିଥିଲା । ଠିକ୍ ସେହିପରି ଗୋଟିଏ ଦିନ ପୂର୍ବରୁ, ଯେତେବେଳେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ରାମାଫୋସା ଆମେରିକା ଗସ୍ତରେ ଆସିଥିଲେ, ଟ୍ରମ୍ପଙ୍କ ବ୍ୟବହାର ତାଙ୍କ ପ୍ରତି ବି ଭଲ ନଥିଲା । ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କ ଉପରେ ଟ୍ରମ୍ପ ଚାପ ପକାଉଥିବା ଦେଖିବାକୁ ମିଳିଥିଲା । ଟ୍ରମ୍ପଙ୍କ ସହ ଆୟୋଜିତ ବୈଠକରେ ଅତିଥି ହୋଇ ଆସିଥିବା ରାଷ୍ଟ୍ରପତି ଅପମାନିତ ଅନୁଭବ କରିଥିଲେ ।
ବିଦେଶୀ ନେତାଙ୍କ ସହ ଡୋନାଲ୍ଡ ଟ୍ରମ୍ପଙ୍କ କୂଟନୈତିକ ଶୈଳୀ ସବୁବେଳେ ଖବରରେ ରହିଆସିଛି । ଅନେକ ସମୟରେ ଦେଖିବାକୁ ମିଳେ, ବିଦେଶୀ ନେତାଙ୍କ ସହ ଟ୍ରମ୍ପ ଯୁକ୍ତିତର୍କ କରନ୍ତି, ନିଜର ଦବଦବା ଜାହିର କରିଥାନ୍ତି । ଏଠାରେ ପ୍ରଶ୍ନ ଉଠେ ଟ୍ରମ୍ପ ଏପରି କରନ୍ତି କାହିଁକି? କୁହାଯାଏ ଟ୍ରମ୍ପ "ଆମେରିକା ଫାଷ୍ଟ" ନୀତିକୁ ଅନୁସରଣ କରନ୍ତି, ଯେଉଁଥିପାଇଁ ସେ ଏପରି ବ୍ୟବହାର କରନ୍ତି । ସେ ବିଦେଶୀ ନେତାମାନଙ୍କ ସହ ଆଲୋଚନାରେ ଅର୍ଥନୈତିକ ଚୁକ୍ତି, ବାଣିଜ୍ୟ ସନ୍ତୁଳନ ଏବଂ ଜାତୀୟ ସୁରକ୍ଷାକୁ ପ୍ରାଥମିକତା ଦିଅନ୍ତି, ଯାହା କେତେକ ସମୟରେ ତାଙ୍କର ଆଲୋଚନାକୁ ଆକ୍ରମଣାତ୍ମକ କିମ୍ବା କଠୋର କରିଦେଇଥାଏ । କେବେ କେବେ ତ ଅପମାନଜନକ ଭାଷାର ବ୍ୟବହାର କରିଥାନ୍ତି ଟ୍ରମ୍ପ । ଯାହା ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ଏବଂ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କ ସହ କରିଥିଲେ...
ଟ୍ରମ୍ପ ହ୍ୱାଇଟ୍ ହାଉସରେ ବିଦେଶୀ ନେତାଙ୍କୁ କାହିଁକି ଅପମାନିତ କରନ୍ତି?
ଟ୍ରମ୍ପଙ୍କ ଏହି ଶୈଳୀ "ଆମେରିକା ଫାଷ୍ଟ" ନୀତିର ଏକ ଅଂଶ, ଘରୋଇ ସମର୍ଥକମାନଙ୍କୁ ସନ୍ତୁଷ୍ଟ କରିବା ଏବଂ କୂଟନୈତିକ ଚାପ ପ୍ରୟୋଗ କରିବାର ରଣନୀତି । ବାଣିଜ୍ୟ ଚୁକ୍ତି, ସାମରିକ ସହାୟତା କିମ୍ବା ନୀତି ପରିବର୍ତ୍ତନ ପାଇଁ ବିଦେଶୀ ନେତାମାନଙ୍କ ସହିତ କଠୋରତାର ସହ ଆଲୋଚନା କରି ସେ ଆମେରିକୀୟ ସ୍ୱାର୍ଥକୁ ପ୍ରାଥମିକତା ଦିଅନ୍ତି । ତାଙ୍କର ନାଟକୀୟ ଏବଂ ଅନୌପଚାରିକ ଶୈଳୀ ରିଆଲିଟି ଟିଭି ସୋ’ ଠାରୁ ଅଧିକ ପ୍ରଭାବିତ ହୋଇଥିବା ପରି ମନେହୁଏ, ଯାହା ଫଳରେ ସେ ଜାଣିଶୁଣି ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରୁଥିବା ଦେଖାଯାଉଛି ।