କନକବ୍ୟୁରୋ : ରାଜ୍ୟରେ ପ୍ରଥମ ଥର ପାଇଁ ଆରମ୍ଭ ହେବ କୁକୁର ଗଣନା। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆସନ୍ତାକାଲିଠୁ ଗଣନା କାର୍ଯ୍ୟ କରାଯିବ । ଦକ୍ଷ ପ୍ରାଣୀ ଚିକିତ୍ସକଙ୍କ ତତ୍ତ୍ୱାବଧାନରେ ସ୍ୱଚ୍ଛସାଥୀ, ସ୍ୱଚ୍ଛ ସୁପରଭାଇଜର, ସାନିଟାରୀ ଇନ୍ସ୍ପେକ୍ଟର ପ୍ରମୁଖ ଏହି କାର୍ଯ୍ୟ ସଂପାଦନ କରିବେ । …
ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ପ୍ରଥମ ଥର ପାଇଁ ଆରମ୍ଭ ହେବ କୁକୁର ଗଣନା । ଗୁରୁବାର ଭୋର ୫ଟାରୁ ଗଣନା କାର୍ଯ୍ୟ ଆରମ୍ଭ ହେବ। ବିଭିନ୍ନ ଜୋନ୍, ଓ୍ୱାର୍ଡ ଏବଂ ଓ୍ୱାର୍ଡରେ ଥିବା ପ୍ରତ୍ୟେକ ଗଳି ପାଇଁ ଗଠନ ହୋଇଛି ଟିମ୍ । ଦକ୍ଷ ପ୍ରାଣୀ ଚିକିତ୍ସକଙ୍କ ତତ୍ତ୍ୱାବଧାନରେ ସ୍ୱଚ୍ଛସାଥୀ, ସ୍ୱଚ୍ଛ ସୁପରଭାଇଜର, ସାନିଟାରୀ ଇନ୍ସପେକ୍ଟର, ଏସ୍ଏମ୍ଟିଏ, ଡିଇଓ, ସିଓ, ଓ୍ୱାର୍ଡ ଅଫିସର ପ୍ରମୁଖ ଗଣନା କାର୍ଯ୍ୟରେ ସାମିଲ ହେବେ ।
ଏକକାଳୀନ ୪୧୦ଟି ଟିମ୍ ଭୁବନେଶ୍ୱରର ୬୭ଟି ୱାର୍ଡର ବିଭିନ୍ନ ଗଳିକନ୍ଦିରେ କୁକୁର ଗଣାଯିବ । କୁକୁର କାମୁଡ଼ା କମାଇବା ସହ ରୋଗ ସଂକ୍ରମଣ ରୋକିବା ଏବଂ ସଡ଼କ ଦୁର୍ଘଟଣା ଉପରେ ରୋକ୍ ଲଗାଇବା ଏ ଗଣନାର ମୁଖ୍ୟ ଉଦ୍ଦେଶ୍ୟ । ତା ଛଡ଼ା ଭୁବନେଶ୍ୱରରେ କୁକୁରଙ୍କ ଘନତ୍ୱ ଜାଣିବା, ଏକ ସ୍ଥାୟୀ କୁକୁର ସଂଖ୍ୟା ପରିଚାଳନା କାର୍ଯ୍ୟକ୍ରମ ବିକଶିତ କରିବା, ମଣିଷ ଏବଂ ଖୋଲାରେ ବୁଲୁଥିବା କୁକୁରମାନଙ୍କ ମଧ୍ୟରେ ସଂଘର୍ଷ ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରତି ଗଳିକନ୍ଦିରେ ଦୁଇଟି ପର୍ଯ୍ୟାୟରେ ହେବ କୁକୁର ଗଣନା। ଏହା ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ।