କନକ ବ୍ୟୁରୋ: ସବୁ ସୀମା ପାର୍ କଲେ ଦୁର୍ବୃତ୍ତ । ଘଟାଇଲେ ଅଭାବନୀୟ କାଣ୍ଡ । ବୁଲା କୁକୁରକୁ ଖଣ୍ଡାରେ ହାଣି କଲେ ଲହୁଲୁହାଣ । ସିସିଟିଭିରେ କଏଦ୍ ହୋଇଛି ବ୍ରହ୍ମପୁରର ଏହି ନିର୍ମମ ଘଟଣାର ଦୃଶ୍ୟ । ଏବେ ପୁଲିସ ଦୁର୍ବୃତ୍ତଙ୍କୁ ଖୋଜୁଛି । 

Advertisment

ଯନ୍ତ୍ରଣାରେ ଜର୍ଜରିତ ନିରୀହ କୁକୁରଟି କହିପାରୁନି, ସେ କି ଭୁଲ୍ କରିଥିଲା ? ତାକୁ ଦୁର୍ବୃତ୍ତମାନେ ନିର୍ଦ୍ଦୟ ଭାବେ ଖଣ୍ତାରେ ହାଣିଛନ୍ତି । ସିସିଟିଭିରେ କଏଦ୍ ହୋଇଛି ପୂରା ଘଟଣା ।  ବ୍ରହ୍ମପୁର ଗାନ୍ଧୀ ନଗର ସପ୍ତମ ଲାଇନର ଦେଖିବାକୁ ମିଳିଛି ଭୟଙ୍କର ଦୃଶ୍ୟ । ସ୍କୁଟିରେ ୩ ଜଣ ଯୁବକ ଆସି ଗୋଟିଏ ବୁଲା କୁକୁରକୁ ଖଣ୍ଡାରେ ହାଣିଛନ୍ତି । ପରେପରେ ଆଉ ଦୁଇ ଜଣ ଆସି ଆକ୍ରମଣ କରି ଚମ୍ପଟ ମାରିଥିଲେ । ଘଟଣାକୁ ଲୋକ ନିନ୍ଦା କରିଛନ୍ତି ।  
 
ଏହି ଘଟଣା ଅନେକ ପ୍ରଶ୍ନ ଛିଡ଼ା କରିଥିବା ବେଳେ ବ୍ରହ୍ମପୁରରେ ବଢୁଥିବା ଅପରାଧ, ପୁଲିସ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି । ଯୁବକମାନେ ଖଣ୍ଡା ଧରି ଗାନ୍ଧୀନଗରକୁ କାହିଁକି ଆସିଥିଲେ ? କ’ଣ ଥିଲା ସେମାନଙ୍କ ଯୋଜନା ? କ’ଣ ପାଇଁ ବୁଲା କୁକୁରକୁ ହାଣିବାକୁ ଚାହିଁଲେ ଦୁର୍ବୃତ୍ତ? ଏହି ଘଟଣାକୁ ନେଇ ଥାନାରେ ଅଭିଯୋଗ ହୋଇ ନଥିଲେ ମଧ୍ୟ ପୁଲିସ ସମ୍ପୃକ୍ତ ଯୁବକଙ୍କୁ ଚିହ୍ନଟ କରି ଧରିବା ପାଇଁ ଉଦ୍ୟମ କରୁଛି । ବୁଲା କୁକୁରକୁ ନିର୍ଦ୍ଦୟ ଭାବେ ଖଣ୍ଡାରେ ହାଣିବା ଭଳି ଘଟଣା ପରେ ବ୍ରହ୍ମପୁରରେ ଭୟର ବାତାବରଣ  ସୃଷ୍ଟି ହୋଇଛି ।