କନକବ୍ୟୁରୋ : କଣ ସତରେ ଆମେ ଏତେ ତଳକୁ ଖସିଗଲେଣି , ନିଜର ମାନବିକତାକୁ ହରାଇ ନିରୀହ ଜୀବଜନ୍ତୁଙ୍କ ଉପରେ ଆମେ ନିଜର ଆଧିପତ୍ୟ ଜାହିର କରୁଛେ , କଣ ସଭ୍ୟ ସମାଜରେ ସେମାନଙ୍କର ବଂଚିବାର ଅଧିକାର ନାହିଁ , ଆପଣ ଭାବୁଥିବେ ଆମେ କାହା କଥା କହୁଛୁ ଆମେ କହୁଛୁ ପାଟି ଖୋଲିପାରୁନଥିବା ଜୀବଜନ୍ତୁଙ୍କ କଥା , ଏବେ ଜୀବଜନ୍ତୁ ଙ୍କ ଉପରେ ଆକ୍ରମଣ ବଢିଚାଲିଛି ରାଜଧାନୀ ରାଜରାସ୍ତାରେ , ଏମିତି ଆକ୍ରମଣ ହୋଇଛି ଯେ ଦେଖିଲା ମାତ୍ରେ ସେ ଦୃଶ୍ୟ ଆପଣଙ୍କୁ ମଧ୍ୟ ଚକିତ କରିବ କଣ ସତରେ ଏଭଳି ଆମ ସମାଜ ?
ଏବେ କିନ୍ତୁ ସେ ସବୁ କୁ ରୋକିବା ପାଇଁ ଭୁବନେଶ୍ବରରେ ଆରମ୍ଭ ହୋଇଛି ଜଷ୍ଟିସ ଫର ଧୋଉଲୁ କ୍ୟାମ୍ପେନ । ଲୋୟର ପିଏମଜିରେ ଏକାଠି ହୋଇଛନ୍ତି ପଶୁପକ୍ଷୀପ୍ରେମୀ ଓ ସମାଜସେବୀ । ଗତ ୨୮ ତାରିଖରେ ଭୁବନେଶ୍ୱର ସ୍ଥିତ ଭି.ଏସ.ଏସ ନଗର ଅଞ୍ଚଳରେ ଶୋଇଥିବା ଏକ ବୁଲା କୁକୁରକୁ କିଛି ଯୁବକ ମାଡ଼ ମାରିଥିବା ଭିଡିଓ ଭାଇରାଲ ହେବାରେ ଲାଗିଥିବା ବେଳେ ଆଜି ଏହାକୁ ବିରୋଧ କରି ଶାନ୍ତିପୂର୍ଣ୍ଣ ପ୍ରତିବାଦ କରାଯାଇଛି ।
ହ୍ୟୁମାନିଟି ଟୁୱାର୍ଡସ ଆନିମଲ ଓ ପିପୁଲ ଫର ଆନିମଲ ସମେତ ଅନେକ ପଶୁପ୍ରେମୀ ଆଜି ଏକାଠି ହୋଇ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଛନ୍ତି । ତେବେ ଦୁଇଦିନ ପୂର୍ବରୁ ଅର୍ଥାତ ମାର୍ଚ୍ଚ ୧ ତାରିଖରେ ହ୍ୟୁମାନିଟି ଟୁୱାର୍ଡସ ଆନିମଲର ଚେୟାରମ୍ୟାନ ରୁଦ୍ରାଶିଷ ବିଶ୍ୱଜିତ ଏନେଇ ଶହୀଦ ନଗର ଥାନାରେ ଏକ FIR ଦେଇଛନ୍ତି । ଏପଟେ କୁକୁର ଧୋଉଳୁ ଜୀବନ ହାରିଥିବା ବେଳେ ଏପର୍ଯ୍ୟନ୍ତ ଅମାନୁଷିକ କାଣ୍ଡ ଘଟାଇଥିବା ବ୍ୟକ୍ତିଙ୍କ ପରିଚୟ ମିଳିପାରିନଥିବା ବେଳେ କୌଣସି ପଦକ୍ଷେପ ନିଆଯାଇନାହିଁ । ତେଣୁ ଦୃଷ୍ଟାନ୍ତମୂଳକ ପଦକ୍ଷେପ ସହ ସଠିକ ତଦନ୍ତ ଦାବି କରିଛନ୍ତି ପଶୁପ୍ରେମୀ ।