କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିର ଭିତରର ଭିଡିଓ ଭାଇରାଲ ହେଉଛି । ହେଲେ ପ୍ରଶାସନ ସେମିତି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ଯାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ପ୍ରସଙ୍ଗକୁ ନେଇ ବିରୋଧୀ ସରକାରଙ୍କୁ ଘେରିଥିବା ବେଳେ ଆଇନ ମନ୍ତ୍ରୀ କହିଛନ୍ତି ପଦକ୍ଷେପ ନେବ ଶ୍ରୀମନ୍ଦିର ପ୍ରଶାସନ ।
ଓଡ଼ିଆଙ୍କ ଆସ୍ଥାର କେନ୍ଦ୍ର ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପ୍ରଶାସନ କେତେ ତତ୍ପର ତାହା ଆଜିର ଦୁଇଟି ଘଟଣା ପଦାରେ ପକାଇ ଦେଇଛି । ପ୍ରଥମେ ଏଏସ୍ଆଇର ଏକ୍ସ ଆକାଉଣ୍ଟରେ କିଛି ସମୟ ପାଇଁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଓ ଭୋଗ ମଣ୍ଡପର ଫଟୋ ଛଡ଼ାଯାଇଥିଲା । ଏଏସ୍ଆଇର ଏପରି ଦାୟିତ୍ୱହୀନ କାର୍ଯ୍ୟ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେହିପରି ପୁରୀ ଗଜପତି ନଗରର ଜଣେ ଯୁବକ ହିଡେନ କ୍ୟାମେରା ଥିବା ଚଷମା ପିନ୍ଧି ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ । ଚଷମାରେ ଲାଗିଥିବା ଲେନ୍ସରୁ ଫଟୋ ଭିଡିଓ ଗୁଡ଼ିକ ସିଧାସଳଖ ମୋବାଇଲ୍କୁ ଯାଉଥିଲା । ବେହରଣ ଦ୍ଵାରରେ ସନ୍ଦେହ ହେବାରୁ ଯୁବକକୁ ପୁଲିସ ଧରି ପଚରାଉଚରା କରିବା ସହ ଲେଖା ପଢ଼ା କରି ଛାଡ଼ି ଦେଇଛି ।
ଶ୍ରୀମନ୍ଦିରର ଭିତର ଭିଡିଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ ଘଟଣାକୁ ନେଇ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ପ୍ରେସମିଟ୍ କରି ସରକାର ଓ ଏଏସ୍ଆଇ ଉପରେ ପ୍ରଶ୍ନ ଉଠାଇଛି ବିଜେଡି । ଆଇନ ମନ୍ତ୍ରୀ ସ୍ପଷ୍ଟୀକରଣ ଦିଅନ୍ତୁ, ନହେଲେ କ୍ଷମା ମାଗନ୍ତୁ ବୋଲି ବିଜେଡି ମୁଖପାତ୍ର ଦାବି କରିଛନ୍ତି । ଅନ୍ୟପଟେ ଆଇନ ମନ୍ତ୍ରୀ କହିଛନ୍ତି, କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ମନ୍ଦିର ପ୍ରଶାସନକୁ ସଂପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି । ଆବଶ୍ୟକ ପଦକ୍ଷେପ ଶ୍ରୀମନ୍ଦିର ପ୍ରଶାସନ ନେବ ।
ମନ୍ଦିର ଭିତରକୁ ମୋବାଇଲ କିମ୍ୱା କ୍ୟାମେରା ନେବା ଉପରେ କଟକଣା ସତ୍ତ୍ୱେ କେମିତି ବାରମ୍ୱାର ଶ୍ରୀମନ୍ଦିର ଭିତର ଭିଡିଓ ବାହାରକୁ ଆସୁଛି । ପ୍ରଶ୍ନ ଉଠୁଛି, କାଗଜପତ୍ରରେ ରହିଯାଇଛି କଟକଣା ! ଶ୍ରୀମନ୍ଦିର ଭିତରକୁ କ୍ୟାମେରା ଗଲାବେଳେ କେମିତି ଜାଣିପାରୁନାହାନ୍ତି ସୁରକ୍ଷାକର୍ମୀ ? କାହିଁକି କଠୋର ହେଉନି ଶ୍ରୀମନ୍ଦିର ପ୍ରଶାସନ ? ଅନେକ ଘଟଣା ସାମ୍ନାକୁ ଆସିଥିଲେ ବି କାହିଁକି କାହା ବିରୁଦ୍ଧରେ ହୋଇନି ଚାର୍ଜସିଟ୍ ? ଗୁପ୍ତ କ୍ୟାମେରା ନେଇଥିବା ଯୁବକଙ୍କୁ କାହିଁକି ଛାଡ଼ିଲା ପୁଲିସ ? ରତ୍ନଭଣ୍ଡାର ଫଟୋ ଭାଇରାଲ କରିଥିବା ଏଏସ୍ଆଇ ବିରୋଧରେ କ’ଣ ନିଆଯିବ କାର୍ଯ୍ୟାନୁଷ୍ଠାନ ?