କନକ ବ୍ୟୁରୋ : ପହଲଗାମରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଆକ୍ରମଣ ପରେ ଏବେ ସାରା ବିଶ୍ୱର ନଜର ଭାରତର କାର୍ଯ୍ୟାନୁଷ୍ଠାନ ଉପରେ । ଭାରତ ମଧ୍ୟ କୂଟନୈତିକ ସ୍ତରରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ହେଲେ ଯୁଦ୍ଧ ନେଇ ଯେଉଁ ଆଶଙ୍କା କରାଯାଉଥିଲା ତା ଉପରେ ସରକାର ଓ ସେନା ବିଚାର କରୁଛନ୍ତି । ଏଣୁ ଏବେ ଗଣମାଧ୍ୟମରେ ଉଭୟ ଦେଶର ଶକ୍ତିକୁ ନେଇ ତର୍ଜମା ଚାଲିଛି । ଏହି ତର୍ଜମା ଭିତରେ ପାକିସ୍ତାନର ଶକ୍ତିକୁ ନେଇ ଆମେରିକା ଏକ ବଡ଼ ଖୁଲାସା କରିଛି । ଆମେରିକା କହିଛି କି, ପାକିସ୍ତାନ ଏଭଳି ଏକ ଦୂରଗାମୀ କ୍ଷେପଣାସ୍ତ୍ର ପ୍ରସ୍ତୁତ କରୁଛି ଯାହା ବିଶ୍ୱର ଅନ୍ୟ କୌଣସି ଦେଶ ପାଖରେ ନାହିଁ । ଯାହା ସବୁଠାରୁ ଦୂରଗାମୀ କ୍ଷେପଣାସ୍ତ୍ର ବୋଲି ଆମେରିକା କହିଛି ।
ଏଭଳି ସୂଚନା ଆମେରିକା ହ୍ୱାଇଟ୍ ହାଉସର ଜଣେ ବରିଷ୍ଠ ଅଧିକାରୀ ଦେଇଛନ୍ତି । ସେ କହିଛନ୍ତି କି, ପାକିସ୍ତାନ ଏବେ ପରମାଣୁ ଅସ୍ତ୍ର ବହନ କରିପାରୁଥିବା ଏକ ବାଲାଷ୍ଟିକ ମିସାଇଲ ନିର୍ମାଣ କରୁଛି । ଯେଉଁ ମିସାଇଲ ଆମେରିକା ଭଳି ଦେଶ ଉପରେ ମଧ୍ୟ ଆକ୍ରମଣ କରିପାରିବ ।
ସେପଟେ ଆମେରିକାର ବିଦେଶ ବିଭାଗ ଘୋଷଣା କରିଛି କି, ପାକିସ୍ତାନକୁ ଏହି ମିସାଇଲ ନିର୍ମାଣରେ ସହାୟତା କରୁଥିବା ୪ଟି ସଂସ୍ଥା ଉପରେ ପ୍ରତିବନ୍ଧକ ଲଗାଯାଇଛି । ବିଶ୍ୱ ପ୍ରତି ପାକିସ୍ତାନ ଠାରୁ ଥିବା ବିପଦକୁ ନଜରରେ ରଖି ଏଭଳି ପ୍ରତିବନ୍ଧକ ଲଗାଯାଇଛି ।
ଯଦି ଆମେ ଦୂରଗାମୀ କ୍ଷେପଣାସ୍ତ୍ର ବାବଦରେ ଆଲୋଚନା କରିବା ତେବେ ଏପର୍ଯ୍ୟନ୍ତ ଋଷ ପାଖରେ ସବୁଠାରୁ ଦୂରଗାମୀ କ୍ଷେପଣାସ୍ତ୍ର ରହିଛି । ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ପାଖାପାଖି ୧୮ ହଜାର କିଲୋମିଟର । ଏହାର ନାମ ସୈତାନ-୨ ବୋଲି ରଖାଯାଇଛି । ସେହିଭଳି ଆମେରିକା ପାଖରେ ଥିବା ଦୂରଗାମୀ କ୍ଷେପଣାସ୍ତ୍ର ଏଲଜିଏମ-୩୦, ମିନିଟମେନ-୩ ର ଲକ୍ଷ୍ୟଭେଦ କ୍ଷମତା ୧୪ ହଜାର କିଲୋମିଟର ।