କନକ ବ୍ୟୁରୋ: ରବିବାର ଦୁବାଇରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ଏକ ନୂଆ ବିବାଦକୁ ଜନ୍ମ ଦେଇଛି। ଏସିଆ କପର ଏହି ମ୍ୟାଚ୍‌ରେ ଭାରତ ପାକିସ୍ତାନକୁ ୭ ୱିକେଟ୍‌ରେ ପରାସ୍ତ କରିଛି । ତେବେ ଟସ୍ ଏବଂ ବିଜୟ ପରେ ଭାରତୀୟ ଖେଳାଳିମାନେ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇ ନଥିଲେ। ଯାହାପରେ ପାକିସ୍ତାନ ଅଧିନାୟକ ସଲମାନ ଆଗା ମଧ୍ୟ ମ୍ୟାଚ୍‌ ପରେ ପୁରସ୍କାର ବିତରଣ ଉତ୍ସବରେ ଯୋଗ ଦେଇନଥିଲେ । ତେବେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ କହିଥିଲେ ଯେ, ଏହା ବିସିସିଆଇ ଏବଂ ଦଳ ପରିଚାଳନାର ନିଷ୍ପତ୍ତି ଥିଲା, କିଛି ଜିନିଷ କ୍ରୀଡ଼ା ମନୋଭାବଠାରୁ ବଡ଼। ହେଲେ ଏବେ ପ୍ରଶ୍ନ ଉଠୁଛି ଯେ, ଖେଳାଳିମାନେ ଖେଳ ପଡ଼ିଆରେ ହାତ ମିଳାଇବା ନିହାତି ଆବଶ୍ୟକ କି, ଏ ବିଷୟରେ ନିୟମ କ'ଣ କୁହେ?

ହାତ ମିଳାଇବା ନେଇ ICCର ନିୟମ କ’ଣ?

Advertisment

ଅନ୍ତର୍ଜାତୀୟ କ୍ରିକେଟରେ ଏକ ପରମ୍ପରା ଅଛି ଯେ ମ୍ୟାଚ୍ ପରେ ଖେଳାଳିମାନେ ପ୍ରତିପକ୍ଷ ଦଳ ସହିତ ହାତ ମିଳାଇବା ପାଇଁ ପଡ଼ିଆକୁ ପ୍ରବେଶ କରନ୍ତି । ଉଭୟ ଦଳକୁ ବନ୍ଧୁତ୍ୱପୂର୍ଣ୍ଣ ଭାବରେ ମ୍ୟାଚ୍ ଶେଷ କରିବାକୁ ଏବଂ ଉତ୍ସାହଜନକ ଶବ୍ଦ ଆଦାନପ୍ରଦାନ କରିବାକୁ ସୁଯୋଗ ଦିଆଯାଏ । ତେବେ ICC ନିୟମର କୌଣସି ସ୍ଥାନରେ ଲେଖାଯାଇନାହିଁ ଯେ, ଖେଳାଳିମାନେ ହାତ ମିଳାଇବା ବାଧ୍ୟତାମୂଳକ।  ICC ର ଆଚରଣ ସଂହିତାରେ ଆହୁରି ଅନେକ କଥା ଉଲ୍ଲେଖ କରାଯାଇଛି। କୁହାଯାଏ ଯେ ମ୍ୟାଚ୍‌ରେ ପ୍ରତିପକ୍ଷ ଦଳର ଖେଳାଳି ଏବଂ ଅମ୍ପାୟାରଙ୍କୁ ସମ୍ମାନ କରାଯିବା ଉଚିତ। ସେଥିପାଇଁ କ୍ରିକେଟ୍‌ରେ ମ୍ୟାଚ୍ ଶେଷ ହେବା ପରେ, ଖେଳାଳିମାନେ ସାଧାରଣତଃ ହାତ ମିଳାଇଥାନ୍ତି କିମ୍ବା ଅଭିବାଦନ କରିଥାନ୍ତି। ହେଲେ ହାତ ମିଳାଇବା ବାଧ୍ୟତାମୂଳକ ବୋଲି କୌଣସି ଜାଗାରେ ମଧ୍ୟ ଉଲ୍ଲେଖ କରାଯାଇନି ।

ହାତ ମିଳାଇବା ବିବାଦ ବିଷୟରେ କିଏ କ’ଣ କହିଲେ?

ଏହି ପ୍ରସଙ୍ଗରେ ପାକିସ୍ତାନ ଖେଳାଳିଙ୍କ ରାଗ ଦେଖିବାକୁ ମିଳିଛି । ପୂର୍ବତନ ପାକିସ୍ତାନ ଅଧିନାୟକ ରସିଦ ଲତିଫ୍ କହିଛନ୍ତି ଯେ, ଭାରତ ହାତ ମିଳାଇବାକୁ ମନା କରିବା ଏକ 'କଳଙ୍କ' ଯାହା ସେମାନଙ୍କୁ ସାରା ଜୀବନ ବହନ କରିବାକୁ ପଡିବ। ପୂର୍ବରୁ ଯୁଦ୍ଧ ହୋଇଛି, କିନ୍ତୁ ଆମେ ସବୁବେଳେ ହାତ ମିଳାଇଛୁ। ଯେତେବେଳେ ଆପଣ ପଡ଼ିଆରେ ଥାଆନ୍ତି, ସେତେବେଳେ ଖେଳକୁ ଠିକ୍ ଭାବରେ ଖେଳନ୍ତୁ। ଭାରତ ଯୁଦ୍ଧ ଲଢ଼ିବା ଉଚିତ୍ ଥିଲା, ପଛକୁ ହଟିବା ଉଚିତ୍ ନୁହେଁ । ଏହାସହ ପୂର୍ବତନ ପାକିସ୍ତାନୀ ବୋଲର ସୋଏବ ଅଖତର କହିଛନ୍ତି ଯେ, ଏହା ଏକ କ୍ରିକେଟ ମ୍ୟାଚ୍ । ଏହାକୁ ରାଜନୈତିକ କରାଯିବା ଉଚିତ୍ ନୁହେଁ । ଘର ଭିତରେ ମଧ୍ୟ ଝଗଡ଼ା ହେଉଛି, ଏହାକୁ ଭୁଲିଯାଅ ଏବଂ ଆଗକୁ ବଢ଼।