କନକ ବ୍ୟୁରୋ : ବର୍ତ୍ତମାନ ଅଧିକାଂଶ ଲୋକଙ୍କ ମଧ୍ୟରେ ଟ୍ୟୁମର୍‌ ସମସ୍ୟା ଦେଖାଦେଉଛି । କାହାର ମୁଣ୍ଡରେ ତ ଆଉ କାହାର ପେଟରେ ଅଧିକାଂଶ ଟ୍ୟୁମର୍‌ ହୁଏ । କିନ୍ତୁ ଗୋଡ଼ରେ ଟ୍ୟୁମର୍ ହେବା କଥା ଶୁଣିଲେ ଟିକିଏ ଆଶ୍ଚର୍ଯ୍ୟ ଲାଗିବ ନିଶ୍ଚୟ , ସେ ପୁଣି ୩୫ କେଜିର । ଉତ୍ତରପ୍ରଦେଶ ସମ୍ଭଲ ଜିଲ୍ଲାର ୨୭ ବର୍ଷୀୟ ସଲମାନ ଏହି ଗମ୍ଭୀର ରୋଗ ହେତୁ ଗତ ଛଅ ମାସ ଧରି ଶଯ୍ୟାଶାୟୀ ଥିଲେ । ଏହି ରୋଗ ହେତୁ ତାଙ୍କର ଅବସ୍ଥା ଏତେ ଖରାପ ହୋଇଯାଇଥିଲା ଯେ ସେ ଠିକ୍ ଭାବରେ ଉଠି ପାରୁନଥିଲେ କି ବସି ପାରୁନଥିଲେ । ନିଜର ଦୈନନ୍ଦିନ କାର୍ଯ୍ୟ ମଧ୍ୟ କରିପାରୁନଥିଲେ । ତାଙ୍କ ବାମ ଜଙ୍ଘରେ ଏକ ବିରାଟ ଟ୍ୟୁମର ହୋଇଥିଲା , ଯାହା ପ୍ରାୟ ୩୫ କିଲୋଗ୍ରାମ ଓଜନର ଥିଲା ।

Advertisment

ସଲମାନ ଚିକିତ୍ସା ପାଇଁ AIIMSରେ ପହଞ୍ଚିବା ପରେ ତାଙ୍କ ଅବସ୍ଥା ଦେଖି ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ । ଟ୍ୟୁମରର ଅସ୍ତ୍ରୋପଚାରରେ ବହୁତ ବିପଦଜ୍ଜନକ ଥିଲା । ଅର୍ଥୋପେଡିକ୍‌ ବିଭାଗର ସର୍ଜନ ଡାକ୍ତର ମୋହିତ ଧିଙ୍ଗରା ଏହି ଚ୍ୟାଲେଞ୍ଜକୁ ଗ୍ରହଣ କଲେ ଏବଂ ଏକ ଟିମ୍‌ ଗଠନ କରି ଅସ୍ତ୍ରୋପଚାର କରିବାକୁ ନିଷ୍ପତ୍ତି ନେଲେ । ଏହି ଦଳରେ CTVS ବିଭାଗର ଡାକ୍ତର ଅଂଶୁମାନ ଦରବାରୀ ଏବଂ ପ୍ଲାଷ୍ଟିକ୍ ସର୍ଜରି ବିଭାଗର ଡାକ୍ତର ମଧୁବାରୀ ଭାଥୁଲ୍ୟା ମଧ୍ୟ ସାମିଲ ଥିଲେ।

ଡାକ୍ତରଙ୍କ ଏହି ଟିମ୍‌ ଜୁନ୍ ୯ ତାରିଖରେ ସଫଳ ଅସ୍ତ୍ରୋପଚାର କରି ସଲମାନଙ୍କ ଗୋଡ଼ରୁ ୩୫ କିଲୋଗ୍ରାମର ଏକ ଟ୍ୟୁମରକୁ ବାହାର କରିଥିଲେ । ଡାକ୍ତରଙ୍କ ଅନୁଯାୟୀ, ଦେଶରେ ପ୍ରଥମ ଥର ପାଇଁ ଏପରି ଏକ ବଡ଼ ଟ୍ୟୁମରକୁ ଅସ୍ତ୍ରୋପଚାର କରି ସଫଳତାର ସହିତ ବାହାର କରାଯାଇଛି ।