କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର୍ ନବଜୋତ୍ ସିଂ ସିଦ୍ଧୁଙ୍କୁ ଅବା କିଏ ନଜାଣେ । କଣ୍ଟ୍ରୋଭର୍ସି ଭିତରେ ଘେରି ରହିଥିବା ସିଦ୍ଧୁ ନିଜ ଟିପ୍ପଣୀକୁ ନେଇ ସବୁବେଳେ ଚର୍ଚ୍ଚା ସାଉଁଟିଥାନ୍ତି । ତେବେ ଗତ କିଛି ଦିନ ହେଲା ନିଜ ଧର୍ମପତ୍ନୀଙ୍କ କ୍ୟାନ୍ସରର ଘରୋଇ ଡାଏଟ୍ ପ୍ଲାନକୁ ନେଇ ସେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କରିଛନ୍ତି । ତାଙ୍କର ଏକ ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।
ଏକ ସାମ୍ବାଦିକ ସମ୍ମିଳନୀରେ ନବଜୌତ୍ ସିଂ ସିଦ୍ଧୁ କହିଥିଲେ ଯେ ଚିନି ଏବଂ ଦୁଗ୍ଧ ଜାତୀୟ ଖାଦ୍ୟର ସେବନ ନକରି ହଳଦୀ ଏବଂ ନିମ୍ବକୁ ଖାଦ୍ୟରେ ସାମିଲ୍ କରି ତାଙ୍କ ପତ୍ନୀଙ୍କ ୪ର୍ଥ ଷ୍ଟେଜର କ୍ୟାନ୍ସର ଠିକ୍ ହୋଇଗଲା । ସିଦ୍ଧୁଙ୍କ ଏହି ଟିପ୍ପଣୀ ଉପରେ ଟାଟା ମେମୋରିୟଲ୍ ହସ୍ପିଟାଲର ଡାଇରେକ୍ଟର ଡକ୍ଟର ସିଏସ୍ ପ୍ରମେଶ୍ କୁହନ୍ତି , ଏହି କଥା ଉପରେ କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ । କ୍ୟାନ୍ସର ରୋଗୀଙ୍କୁ ପରାମର୍ଶ ଦେଇ ଡକ୍ଟର କହିଛନ୍ତି ଏଭଳି ଅପ୍ରମାଣିତ ଉପଚାର ଉପରେ ବିଶ୍ୱାସ କରିବାର ଭୁଲ୍ ଆଦୌ କରନ୍ତୁ ନାହିଁ । କେବଳ ଏତିକି ନୁହଁ ଟାଟା ମେମୋରିୟଲ୍ ହସ୍ପିଟାଲରେ ବର୍ତ୍ତମାନ କାର୍ଯ୍ୟକାଳରେ ଥିବା ୨୬୨ ଡାକ୍ତର ଏବଂ ହସ୍ପିଟାଲର ପୂର୍ବ କ୍ୟାନ୍ସର ବିଶେଷଜ୍ଞଙ୍କ ହସ୍ତାକ୍ଷର ନେଇ ସେ ଏ ଷ୍ଟେଟମେଣ୍ଟ୍ ଜାରି କରିଛନ୍ତିି । ଏହି ଷ୍ଟେଟମେଣ୍ଟରେ ସଫା ସଫା ଲେଖାହୋଇଛି କି , ହଳଦୀ ଓ ନିମ୍ବରୁ କ୍ୟାନ୍ସର ଠିକ୍ ହେବାକୁ ନେଇ କୌଣସି ଡାକ୍ତରୀ ଡାଟା ଉପଲବ୍ଧ ନାହିଁ ।
ପ୍ରେସ୍ କନଫ୍ରେନ୍ସରେ ସିଦ୍ଧୁ କହିଥିଲେ , ତାଙ୍କ ଧର୍ମପତ୍ନୀ ନବଜୋତ୍ କୌର୍ ଷ୍ଟେଜ୍ – ୪ କ୍ୟାନ୍ସର ସହ ସଂଗ୍ରାମ କରୁଥିଲେ । ଏକ ସାଧାରଣ ଘରୋଇ ଡ଼ାଏଟ୍ ଏବଂ ବ୍ୟବସ୍ଥିତ ଜୀବନଚର୍ଯ୍ୟା ଦ୍ୱାରା ତାଙ୍କର କ୍ୟାନ୍ସର ଠିକ୍ ହୋଇଗଲା । ଡାକ୍ତର ତାଙ୍କ ପତ୍ନୀଙ୍କ ବଂଚିବାର ଚାନ୍ସ ୫ ପ୍ରତିଶତ ବୋଲି କହିଥିଲେ କିନ୍ତୁ ହଳଦୀ , ନିମ୍ବପାଣି , ଆପଲ୍ ସାଇଡର୍ ଭିନେଗାର୍ , ଲେମ୍ବୁ ପାଣି ନିୟମିତ ସେବନ କରି ଏବଂ ଚିନି , କାର୍ବୋହାଇଡ୍ରେଟର ସେବନ ନକରି ଇଣ୍ଟରମିଣ୍ଟେଟ୍ ଫାଷ୍ଟିଙ୍ଗର ସାହାଯ୍ୟରେ ମାତ୍ର ୪୦ ଦିନରେ ସେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ । ସିଦ୍ଧୁ କହିଥିଲେ ,ସଂନ୍ଧ୍ୟା ସମୟରେ ଅର୍ଥାତ୍ ୬ ଟାରୁ ୬.୩୦ ମଧ୍ୟରେ ତାଙ୍କ ପତ୍ନୀ ରାତ୍ରିଭୋଜନ କରୁଥିଲେ ଏବଂ ତା’ପରଦିନ ସକାଳ ୧୦ ଟା ବେଳେ ଲେମ୍ବୁପାଣି ପିଇ ଇଣ୍ଟରମିଣ୍ଟେଟ୍ ଫାଷ୍ଟିଙ୍ଗ୍ ସମାପ୍ତ କରୁଥିଲେ ।
ଟାଟା ମେମୋରିୟଲ୍ ହସ୍ପିଟାଲର ବିଶେଷଜ୍ଞମାନେ କ୍ୟାନ୍ସର ପୀଡ଼ିତଙ୍କୁ ଏନେଇ ସଜାଗ କରି କହିଛନ୍ତି । ଯଦି କ୍ୟାନ୍ସର ଭଳି ମାରାତ୍ମକ ରୋଗକୁ ଉଚିତ୍ ସମୟରେ ଡିଟେକ୍ଟ କରାଯାଏ ତାହେଲେ ଏହାର ଚିକିତ୍ସା ହୋଇପାରିବ ଏବଂ କ୍ୟାନ୍ସର ଚିକିତ୍ସାରେ ସର୍ଜରୀ , ରେଡିଏସନ୍ ଏବଂ କେମୋଥେରାପୀ ହିଁ ଉଚିତ୍ ଚିକିତ୍ସା । ଡକ୍ଟର ପ୍ରମେଶ୍ ସିଦ୍ଧୁଙ୍କ ଏକ ଭିଡ଼ିଓ କ୍ଲିପକୁ ସୋସିଆଲ୍ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି କି , ଏଭଳି କଥା ଶୁଣି ମୁର୍ଖ ହୁଅନ୍ତୁ ନାହିଁ । ଏଥିରେ କୌଣସି ବୈଜ୍ଞାନିକ ତଥ୍ୟ ନାହିଁ । ନବଜୋତ୍ କୌରଙ୍କ ସର୍ଜରୀ ଏବଂ କେମୋଥେରାପି ହୋଇଛି , ଯେଉଁଥିପାଇଁ କ୍ୟାନ୍ସର୍ ଭଳି ମାରାତ୍ମକ ରୋଗରୁ ତାଙ୍କୁ ମୁକ୍ତି ମିଳିଛି । ହଳଦୀ , ନିମ୍ବପତ୍ର ଏବଂ ଅନ୍ୟ ଘରୋଇ ଡାଏଟ୍ ଦେହ ପାଇଁ ଭଲ କିନ୍ତୁ କ୍ୟାନ୍ସର ଠିକ୍ କରିଦେବ କହିବା ଆଦୌ ଗ୍ରହଣୀୟ ନୁହଁ ।